ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଚାନ୍ଦପୁର ଜରି କାରଖାନା ନିକଟରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ୩୦ ହାଜର ଟଙ୍କା ସହ ସୁନା ଚେନ ଲୁଟି ନେବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଏହି ଥାନା ଅଧୀନ ପଞ୍ଚମା ଗାଁର ପିଣ୍ଟୁ ନାହାକ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଚାନ୍ଦପୁର ଗାଁର କାହ୍ନୁଚରଣ ମହାନ୍ତି ଗୁରୁବାର ରାତି ୨ଟାରେ ବ୍ରହ୍ମପୁରରୁ ନିଜ ଗାଁକୁ ବାଇକରେ ଫେରୁଥିବା ସମୟରେ ଜରି କାରଖାନା ନିକଟରେ ପିଣ୍ଟୁ ନାହାକ ସମେତ କିଛି ଅସାମାଜିକ ଯୁବକ ତାଙ୍କୁ ଅଟକାଇ ଖଣ୍ଡାରେ ଆକ୍ରମଣ କରିବା ସହ ୩୦ହାଜର ଟଙ୍କା ଓ ସୁନା ଚେନ ଲୁଟିନେଇ ଫେରାର ହୋଇଯାଇଥିଲେ। କାହ୍ନୁ ଏ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ ୩୪୯/୨୪ ନମ୍ବରରେ ମାମଲା ରୁଜୁ କରିବା ସହ ପୁଲିସ ପଞ୍ଚମାରେ ଚଢ଼ାଉ କରି ପିଣ୍ଟୁକୁ ଗିରଫ କରିଛି। ଘଟଣାରେ ଅନ୍ୟ ଯେଉଁମାନେ ସମ୍ପୃକ୍ତ ରହିଛନ୍ତି ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ଦେଇଛନ୍ତି।



