ଚାକିରି ଦେବା ନାଁରେ ଠକେଇ, ଜଣେ ଅଟକ
ଗୋପାଳପୁର : ଗୋପାଳପୁର ପୁଲିସ ଆଜି ଚାକିରି କରାଇଦେବା ନାଁରେ ଠକେଇ ଅଭିଯୋଗରେ ଜଣକୁ ଅଟକ ରଖିଛି । ସେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଗଜେନ୍ଦ୍ର ନାଥ ସାହୁ ବୋଲି ପୁଲିସ ସୂଚନା ଦେଇଛି । ସୂଚନା ପ୍ରକାରେ ଗଜେନ୍ଦ୍ର ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୧୯୮୩ ମସିହାରେ କନିଷ୍ଠ ସହକାରୀ ଭାବେ ନିଯୁକ୍ତି ପାଇଥିଲେ । ୧୯୮୯ରେ କୌଣସି କାରଣକୁ ନେଇ ସସପେଣ୍ଡ ହୋଇଥିଲେ । ଜୁଲାଇ ୨୦୨୩ରେ ଅବସର ଗ୍ରହଣ କରିଥିଲେ । ଅଭିଯୋଗ ପ୍ରକାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ଝିଅକୁ ସହକାରୀ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର)ଚାକିରି କରାଇ ଦେବେ ବୋଲି କହି ଗୁଗଲ ପେରେ ୧୮ ଲକ୍ଷ ୧୬ ହଜାର ୨୫୦ଟଙ୍କା ନେଇଥିଲେ ।
୨୦୨୩ ଡିସେମ୍ବର ୩୦ ତାରିଖରେ ଏଏସଓ ଫଳ ଜଣାପଡିବା ପରେ ନାମ ନଥିବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ କର୍ମଚାରୀ ଜଣକ । କିନ୍ତୁ ମିଥ୍ୟା ପ୍ରତିଶୃତି ଦେଇ ଗଜେନ୍ଦ୍ର ଟଙ୍କା ଫେରାଉ ନଥିଲେ । ଫୋନ ଯୋଗେ ଟଙ୍କା ମାଗିବାରୁ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିବା ସହ ଜୀବନରେ ମାରି ଦେବାକୁ ଧମକ ଦେଉଥିଲେ । ଏ ନେଇ କର୍ମଚାରୀଙ୍କ ଝିଅ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୧୧/୨୪ ମାମଲା ରୁଜୁ କରିଥିଲା । ଆଜି ଥାନା ଅଧିକାରୀ ଶରତ କୁମାର ମାହାଲିକଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ଶିଶିର କୁମାର ସାହାଣୀଙ୍କ ନେତୃତ୍ୱରେ ଏକ ଟିମ ଗଜେନ୍ଦ୍ର କଟକରେ ରହୁଥିବା ଜାଣିପାରି ସେଠାକାର ପୁଲିସ ସହାୟତାରେ ତାଙ୍କୁ କାବୁ କରି ଆଜି ଗୋପାଳପୁର ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ପୁଲିସ କହିଛି ।
Comments are closed.