www.samajalive.in
Saturday, December 6, 2025
23.1 C
Bhubaneswar

କୁଲଡିହାରେ ବୁଲୁଛି ବାଘ ; ଅଭୟାରଣ୍ୟର ୩ଟି ସ୍ଥାନରେ ମିଳିଲା ପାଦଚିହ୍ନ

ନୀଳଗିରି : ବନ୍ୟଜନ୍ତୁ ପ୍ରେମୀ ତଥା ବନବିଭାଗ ପାଇଁ ଖୁସିର ଖବର। ଚଳିତବର୍ଷ ବାଘଗଣନାର ପଞ୍ଚମ ଦିନରେ କୁଲଡିହା ଅଭୟାରଣ୍ୟର ୩ଟି ସ୍ଥାନରେ ମିଳିଛି ବାଘର ପାଦଚିହ୍ନ। ଅଭୟାରଣ୍ୟରେ ବାଘମାନଙ୍କ ଚରାବୁଲା ତଥା ସେମାନଙ୍କ ରହଣି ନେଇ ଏକପ୍ରକାର ସ୍ପଷ୍ଟ ହୋଇଯାଇଥିବାରୁ ଶିକାରୀ ଓ କାଠୁରିଆଙ୍କୁ ପାଇଁ ଏହି ବାର୍ତ୍ତା କିନ୍ତୁ କାଳ ପାଲଟିଯିବ ବୋଲି ଚର୍ଚ୍ଚା ହେଉଛି। ଶିକାରୀମାନେ ଜଙ୍ଗଲରେ ଏଣିକି ଅବାଧରେ ବିଚରଣ କରିପାରିବେନି ।
ଚଳିତବର୍ଷ ଅର୍ଥାତ ୨୦୨୧ମସିହା ନଭେମ୍ବର ୨୫ତାରିଖରୁ କୁଲଡିହା ଅଭୟାରଣ୍ୟରେ ବାଘଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲେଶ୍ୱର ଜିଲାମୁଖ୍ୟ ବନଅଧିକାରୀ ବିମଳପ୍ରସନ୍ନ ଆଚାର୍ଯ୍ୟଙ୍କ ନିର୍ଦେଶରେ କୁଲଡିହା ବନଅଧିକାରୀ ଅନନ୍ତ ଜେନାଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ବାଘଗଣତି କାର୍ଯ୍ୟରେ ମୋଟ ୧୪ଟି ଦଳ ଗଠନ କରାଯାଇଛି। ବନକର୍ମଚାରୀମାନେ ଅଭୟାରଣ୍ୟର ବିଭିନ୍ନ ଅଞ୍ଚଳରେ ପିଆଇପି ପ୍ରସ୍ତୁତ କରି ପକାଇଥିଲେ। ସେଥିମଧ୍ୟରୁ ସର୍ବଣାନାଳ, ମୁଖଚତୁରୀ ଓ କୁଲଡିହା-୨ଅଞ୍ଚଳରେ ବାଘର ପାଦଚିହ୍ନ ମିଳିଥିବା ଦେଖିବାକୁ ମିଳିଛି।
ସୂଚନା ଯେ, କୁଲଡିହା ଅଭୟାରଣ୍ୟକୁ ଲାଗି ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ରହୁଥିବାରୁ ପ୍ରାୟତଃ ସେଠାକାର ବାଘମାନେ କୁଲଡିହାକୁ ଯା’ ଆସ କରିଥାନ୍ତି। ତେବେ ପ୍ରାୟ ସାଢ଼େ ୬ଇଞ୍ଚ ଓସାରର ପାଦଚିହ୍ନକୁ ଦେଖି ବିଭାଗ ପକ୍ଷରୁ ତର୍ଜମା ଆରମ୍ଭ ହୋଇଛି। ଏହି ପାଦଚିହ୍ନ ଗୁଡ଼ିକ ମହାବଳ ବାଘର ନା କଲରା ପତରିଆର ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏସବୁ ପରୀକ୍ଷାଗାରକୁ  ପଠାଇ ରିପୋର୍ଟ ଆସିବା ପରେ ବନବିଭାଗ ପକ୍ଷରୁ ସ୍ପଷ୍ଟ କରାଯିବ ବୋଲି କୁହାଯାଇଛି।
୨୭୨.୭୫ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ଶତାଧିକ ହାତୀ, ବାଘ, ଭାଲୁ, ଗୟଳ, କୁଟରା, ସମ୍ବର, ହରିଣ ପ୍ରଭୃତି ବନ୍ୟଜନ୍ତୁ ବସବାସ କରନ୍ତି। ଏହି ଅଭୟାରଣ୍ୟ ସହ ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟ ଓ କେନ୍ଦୁଝର ଜିଲାର ହଦଗଡ଼ ଜଙ୍ଗଲ ସଂଲଗ୍ନ ରହିଛି। ବନ୍ୟଜନ୍ତୁମାନେ ଉକ୍ତ ତିନିଟି ଜଙ୍ଗଲରେ ନିଜର କରିଡ଼ର ବା ଚଲାପଥ ସ୍ଥାପନ କରିଥିବା କୁହାଯାଉଛି। କିଛିମାସ ପୂର୍ବରୁ ଅର୍ଥାତ ୨୦୨୦ମସିହା ଡିସେମ୍ବର ମାସରେ ଜଙ୍ଗଲ ଭିତରେ ଏକ ଗାଈ କ୍ଷତାକ୍ତ ହୋଇ ପଡ଼ିବା ଦେଖି ବନକର୍ମଚାରୀ ବାଘ ମାତିଥିବା ସମ୍ପର୍କରେ ସୂଚନା ପାଇଥିଲେ। ଏହି ଆକ୍ରମଣର ୨/୪ଦିନ ପରେ ରାତି ପ୍ରାୟ ସାଢ଼େ ୮ଟା ସମୟରେ ହଠାତ କୁଲଡିହା ଅଭୟାରଣ୍ୟ ଅଧୀନ ଯୋଡ଼ାଚୁଆ ଡାକବଙ୍ଗଳା ଭିତରକୁ ଏକ ହରିଣ ଦୌଡ଼ି ପଶି ଆସିଥିଲା। ୨ଟି ବାଘ ଜଙ୍ଗଲରୁ ଏହି ହରିଣକୁ ଗୋଡ଼ାଇ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଡାକବଙ୍ଗଳାର ଉତ୍ତର ପଟେ ଛକି ରହିଥିବା ବେଳେ ଅନ୍ୟଟି ଡାକବଙ୍ଗଳା ପାଶ୍ୱର୍ସ୍ଥ ବଗିଚା ପାଖରେ ହରିଣର ପଛ ଦୁଇଗୋଡ଼କୁ ଝାମ୍ପି କ୍ଷତାକ୍ତ କରି ଦେଇଥିଲା।
ବାଘ ଗର୍ଜନ ଶୁଣି କ୍ୱାର୍ଟର ଭିତରେ ଥିବା ବନକର୍ମଚାରୀମାନେ ବାହାରକୁ ଦୌଡ଼ି ଆସିବା ଦେଖି ଦୁଇଟି ବାଘ ଜଙ୍ଗଲକୁ ଲମ୍ଫ ଦେଇ ଖସି ପଳାଇଥିଲେ। ପରେ ଶବ ବ୍ୟବଛେଦ କରାଯାଇ ପ୍ରାୟ ୬୦କିଲୋ ଓଜନର ଏହି ମୃତ ହରିଣକୁ ସେଠାରେ ପୋତି ଦିଆଯାଇଥିଲା। ଉକ୍ତ ଘଟଣା ପରେ କୁଲଡିହା ବନବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଇ ଖୁମକୁଟ, ପଞ୍ଚଲିଙ୍ଗେଶ୍ୱର, ଯୋଡ଼ାଚୁଆ, ସର୍ବଣାନାଳ ପ୍ରଭୃତି ଅଞ୍ଚଳରେ ଥିବା ସନ୍ତସନ୍ତିଆ ଜାଗାରେ ବାଘର ପାଦଚିହ୍ନ ଠାବ କରାଯାଇଥିଲା ଏବଂ ପରେ ଏହି ସବୁ ଅଞ୍ଚଳରେ ଟ୍ରାପ କ୍ୟାମେରା ସଂଯୋଗ କରାଯାଇଥିଲା।
ସେହିପରି ୨୦୧୬ ମସିହାରେ କୁଲଡିହାରେ ହୋଇଥିବା ବାଘଗଣନାରେ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ପ୍ଲାଷ୍ଟର ଅଫ୍‍ ପ୍ୟାରିସ ପକାଯାଇ ମୋଟ ୯ଟି ପାଦଚିହ୍ନ ସଂଗ୍ରହ କରାଯାଇଥିଲା। ତେବେ ବିଭାଗୀୟ ତଦନ୍ତ ପରେ ଉକ୍ତ ଅଭୟାରଣ୍ୟରେ ମୋଟ ୪ଟି କଲରା ପତରିଆ ବାଘ ରହୁଛନ୍ତି ବୋଲି ସେତେବେଳେ ଘୋଷଣା କରାଯାଇଥିଲା। ୨୦୧୮ମସିହାରେ ମଧ୍ୟ ବାଘଗଣନା କରାଯାଇ ପାଦଚିହ୍ନ ଠାବ କରାଯାଇଥିଲା। ବିଭିନ୍ନ ସମୟରେ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରା ବାଘର ଫଟୋକୁ କଏଦ କରି ରଖିଥିବା ଦେଖିବାକୁ ମିଳିଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories