www.samajalive.in
Sunday, December 14, 2025
26.1 C
Bhubaneswar

ଓମ୍ ପୁରୀଙ୍କ ସ୍ମୃତିରେ ନାସିରୁଦ୍ଦିନ୍ ଶାହା

ମୁମ୍ବଇ : ସ୍ବର୍ଗୀୟ ଓମ୍ ପୁରୀ ସିନେଜଗତର ଜଣେ ଦକ୍ଷ ଓ ଚମତ୍କାର କଳାକାର ଥିଲେ, ଏଥିରେ ଦ୍ବିମତ ହେବାର ନାହିଁ। ଅଧିକାଂଶ କଳାକାର ଓ ପ୍ରଶଂସକ ଜାଣନ୍ତି ଯେ ଓମ୍ ପୁରୀ ଓ ନାସିରୁଦ୍ଦିନ୍ ଶାହ ଦୁହେଁ ଘନିଷ୍ଠ ବନ୍ଧୁ ଥିଲେ। ଦୁହିଁଙ୍କର ଏଇ ବନ୍ଧୁତାର ମୂଳଦୁଆ କିନ୍ତୁ ପ୍ରତିଦ୍ବନ୍ଦ୍ବିତାରୁ ହିଁ ଆରମ୍ଭ ହୋଇଥିଲା। ଅନେକ ବର୍ଷ ତଳେ ଦୁହେଁ ଏନଏସଡିର ଛାତ୍ର ଥିଲେ। ଏହା ପ୍ରାୟ ୧୯୭୦ବେଳର ଘଟଣା। ଦୁହେଁ ଅଭିନୟର ଛାତ୍ର ଥିବାବେଳେ ସେମାନଙ୍କ ପ୍ରଶିକ୍ଷକ ଇବ୍ରାହିମ୍ ଅଲକାଜି କିନ୍ତୁ ନାସିର୍‌ଙ୍କୁ ନିର୍ଦେଶନା ଶିଖିବାକୁ ପରାମର୍ଶ ଦେଲେ। ଏଥିରେ କିନ୍ତୁ ନାସିରଙ୍କର ଆଦୌ ରୁଚି ନଥିଲା, କାରଣ ଅଭିନୟ ଯେ ତାଙ୍କର ଦୁର୍ବଳତା ଥିଲା। ହେଲେ ଗୁରୁ ଇବ୍ରାହିମ୍ ମଧ୍ୟ ଖୁବ୍ କଡ଼ା ମିଜାଜ୍‌ର ଥିଲେ। ଶେଷରେ ଅନନ୍ୟୋପାୟ ହୋଇ ନାସିର୍ ନିର୍ଦେଶନା ଶିଖିବା ଆରମ୍ଭ କଲେ। ଏ ଭିତରେ ଅନୁଷ୍ଠାନ ତରଫରୁ ଆୟୋଜିତ ହେଉଥିବା ବିଭିନ୍ନ ନାଟକରେ ନାସିର୍‌ ସ୍ବର ଦେଉଥିଲେ। ଓମ୍ ମଧ୍ୟ ଏ ବିଦ୍ୟାରେ ବେଶ୍ ପ୍ରବୀଣ ଥିଲେ। ସେଇ ସମୟରେ ଜାପାନର ଏକ ନାଟକ ନିମନ୍ତେ ନାୟକ ଖୋଜା ଚାଲିଥାଏ। ନିର୍ଦେଶକ ଜାପାନରୁ ଆସୁଥିବାବେଳେ ନାସିର୍ ଏକରକମ ନିଶ୍ଚିତ ଥିଲେ ଯେ ଏଇ ନାଟକରେ ନାୟକ ଭୂମିକା ତାଙ୍କୁ ମିଳିବା ଥୟ। କାରଣ ଗତ କିଛି ମାସରେ ତାଙ୍କ ଅଭିନୀତ ନାଟକଗୁଡ଼ିକ ଶିକ୍ଷକମହଲରେ ଖୁବ୍ ଚର୍ଚ୍ଚିତ ହେଉଥାଏ ଯଦିଓ ସେ ନିର୍ଦେଶନାର ଛାତ୍ର ଥିଲେ। ନିର୍ଦେଶକ ଜାପାନରୁ ଆସିଲେ ଓ ସେ ବଛାବଛା ବିଦ୍ୟାର୍ଥୀଙ୍କର ପରୀକ୍ଷା ନେଲେ। ଜାପାନ ନାଟକର ନାୟକ ଭୂମିକା ନିମନ୍ତେ ଓମ୍ ପୁରୀ ମନୋନୀତ ହେଲେ। ନାସିର୍ ଦୁଃଖରେ ଭାଙ୍ଗିପଡ଼ିବା ସହ ଭାବିଲେ ଏହା ଗୁରୁ ଇବ୍ରାହିମ୍‌ଙ୍କର ଷଡ଼ଯନ୍ତ୍ର। ହେଲେ ନାଟକ ମଞ୍ଚସ୍ଥ ହେବା ପରେ ଓମ୍‌ଙ୍କ ଅଭିନୟ ଦେଖି ନାସିର୍ ଆଶ୍ଚର୍ଯ୍ୟ ହେବା ସହ ନିଜେ ଓମ୍‌ଙ୍କର ସବୁଠୁ ପ୍ରଶଂସକ ହେଲେ। ତହିଁ ଆରଦିନ ଗୁରୁ ଇବ୍ରାହିମ୍‌ଙ୍କୁ କ୍ଷମା ମାଗିବା ସହ ସେ ଅଭିନୟ ଶିଖିବାକୁ ଚାହୁଁଥିବାର କହିଲେ। ଶେଷରେ ଗୁରୁ ବାଧ୍ୟ ହୋଇ ନାସିର୍‌ଙ୍କୁ ଅନୁମତି ଦେଲେ। ଏହା ପରେପରେ ହିଁ ଓମ୍-ନାସିର୍‌ଙ୍କ ଘନିଷ୍ଠତା ବଢ଼ିଲା। ମୁମ୍ବଇ ଆସିବା ପରେ ଦୁହେଁ ‘ଭୂମିକା’ ଚଳଚ୍ଚିତ୍ର ପାଇଁ କାମ କରୁଥାନ୍ତି। ବିରତି ସମୟରେ ଦୁଇ ବନ୍ଧୁ ହୋଟେଲର ରେସ୍ତୋରାଁରେ ଭୋଜନ କରୁଥାନ୍ତି। ଏଇ ଚଳଚ୍ଚିତ୍ରରେ ସେମାନଙ୍କ ଅନ୍ୟ ଏକ ଏନଏସଡି ବନ୍ଧୁ ଯଶପାଲ୍ ମଧ୍ୟ କାମ କରୁଥିଲେ। ଯଶପାଲ୍ ଓ ନାସିର୍‌ଙ୍କ ମଧ୍ୟରେ ସବୁବେଳେ କଳି ଝଗଡ଼ା। ରେସ୍ତୋରାଁରେ ଖାଉଥିବା ସମୟରେ ଯଶପାଲ୍ ପଛରେ ବସିଥାନ୍ତି, ହଠାତ୍ ଛୁରୀରେ ନାସିର୍‌ଙ୍କୁ ଆକ୍ରମଣ କଲେ। ହାତ ଦେଖାଇ ଓମ୍‌ ହିଁ ସେତେବେଳେ ନାସିର୍‌ଙ୍କୁ ରକ୍ଷା କଲେ। ପରେ ପୁଲିସ୍ ଅଭିଯୁକ୍ତ ଯଶପାଲ୍‌ଙ୍କୁ ଗିରଫ କରିଥିଲା। ଓମ୍‌ ଜଣେ ନିବିଡ଼ ବନ୍ଧୁ, ତାଙ୍କ ମୃତ୍ୟୁ ପରେ ନାସିର୍ ଏକଥା ଗଣମାଧ୍ୟମକୁ କହିଥିଲେ। ଖୁବ୍ କମ୍ ଲୋକେ ଜାଣନ୍ତି ୧୯୮୩ରେ ମୁକ୍ତିଲାଭ କରିଥିବା ‘ମାସୁମ୍’ ଚଳଚ୍ଚିତ୍ର ପାଇଁ ପ୍ରଥମେ ଓମ୍ ପୁରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ନିର୍ଦେଶକ ଶେଖର କପୁରଙ୍କୁ ଅଭିନେତା ଓମ୍ କହିଥିଲେ, ସେ ଏଇ ଚରିତ୍ର ପାଇଁ ଫିଟ୍ ନୁହନ୍ତି। ବନ୍ଧୁ ନାସିର୍‌ଙ୍କ ନାମ ସେ ଶେଖରଙ୍କୁ ପ୍ରସ୍ତାବ ଦେଇଥିଲେ। ମାସୁମ୍ ଚଳଚ୍ଚିତ୍ର ପାଇଁ ହିଁ ନାସିରୁଦ୍ଦିନ୍ ଶାହ ସିନେଜଗତରେ ଅନ୍ୟ ଏକ ପରିଚୟ ପାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories