ଗୋପାଳପୁର: ବୟସ ୭୫ ଛୁଇଁଲାଣି। ତଥାପି ଆଜି ଯାଏଁ ମିଳିଲାନି ବାର୍ଦ୍ଧକ୍ୟ ଭତ୍ତା। ଭତ୍ତା ପାଇଁ ଦୀର୍ଘ ୧୫ ବର୍ଷ ଧରି ଆବେଦନ କରିଆସୁଛନ୍ତି। କିନ୍ତୁ ଫଳ ଶୂନ। ଆବେଦନ କରି କରି ଥକି ଯାଇଥିଲେ ସୁଦ୍ଧା ସରକାରଙ୍କ ଉପରେ ଭରସା କରି ଆଶା ବାନ୍ଧି ବସିଛନ୍ତି ୟୁ ଭାସ୍କର ପାତ୍ର।
ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ପଞ୍ଚାୟତ ଅଧୀନ କରାପଲ୍ଲୀ ବିକ୍ରି ସାହି ଗୀତା ନଗରରେ ରହୁଛନ୍ତି ଭାସ୍କର। ଭାସ୍କରଙ୍କ ଦୁଇ ପୁଅ ଓ ସ୍ତ୍ରୀଙ୍କୁ ନେଇ ପରିବାର। ଭାସ୍କର ନିଜ ପରିବାର ପ୍ରତିପୋଷଣ କରିବା ପାଇଁ କରାପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ଚା ଦୋକାନ କରିଛନ୍ତି। ଦୁଇ ପୁଅ ତାଙ୍କର ନିଜ ପରିବାର ସହ ହାଇଦ୍ରାବାଦରେ ରହି ଆସୁଥିବା ବେଳେ ଏବେ ଭାସ୍କର ନିଜ ସ୍ତ୍ରୀ ସରସ୍ବତୀଙ୍କ ସହ ରହି ଆସୁଛନ୍ତି। ଦୀର୍ଘ ୧୫ ବର୍ଷ ଧରି ବିଭିନ୍ନ ସମୟରେ ଭତ୍ତା ପାଇବା ପାଇଁ ଆବେଦନ କରିବା ସହ ସରପଞ୍ଚ ଓ ଗାଁ ଲୋକଙ୍କୁ କହି ଆସୁଥିଲେ ସୁଦ୍ଧା ଆଜିଯାଏଁ ଭତ୍ତା ପାଇ ପାରିଲେ ନାହିଁ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି।
ଗତ କିଛିଦିନ ତଳେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିବା ବେଳେ ସେହି ସମୟରେ ମଧ୍ୟ ଭାସ୍କର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏ ନେଇ ଅଭିଯୋଗ କରିଥିଲେ। କିନ୍ତୁ ଆଜି ଯାଏଁ ଏହା ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ। ପରିବାର ପ୍ରତିପୋଷଣ ନିମନ୍ତେ ଚା ଦୋକାନରୁ ଯାହା ଆଦାୟ ହେଉଛି ସେଥିରେ ନିଜ ପରିବାର ଗୁଜୁରାଣ କରି ଆସୁଛନ୍ତି। ଅନୁରୂପ ଭାବେ ତାଙ୍କ ସ୍ତ୍ରୀ ସରସ୍ବତୀଙ୍କୁ ମଧ୍ୟ ୬୫ ବର୍ଷ ହେବାକୁ ଯାଉଥିବା ବେଳେ ସେ ଆବେଦନ କରିଥିଲେ ସୁଦ୍ଧା ତାଙ୍କର ମଧ୍ୟ ଭତ୍ତା ପାଇବାରେ ବିଳମ୍ବ ଘଟୁଥିବା ପ୍ରକାଶ କରିଛନ୍ତି। ଏଣୁ ପ୍ରଶାସନ ପକ୍ଷରୁ ଏହି ବାର୍ଦ୍ଧକ୍ୟ ସମୟରେ ଭତ୍ତା ଟିଏ ମିଳିଥିଲେ ପରିବାର ପ୍ରତିପୋଷଣ କରିବାରେ ସକ୍ଷମ ହୋଇ ପାରିବେ ବୋଲି କହିଛନ୍ତି।



