ଭୁବନେଶ୍ୱର: ଜୁନ୍ ପହିଲାରୁ ୧୪ ତାରିଖ ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୩୪ ପ୍ରତିଶତ ଅଧିକ ବୃଷ୍ଟିପାତ ହୋଇଛି। ସ୍ୱାଭାବିକ ବର୍ଷା ୭୦.୮ ପ୍ରତିଶତ ହେବାକୁ ଥିବାବେଳେ ୯୫.୧ ପ୍ରତିଶତ ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ କୋରାପୁଟ ଜିଲାରେ ସବୁଠୁ ଅଧିକ ୧୮୯.୩ ମିମି ବର୍ଷା ହୋଇଥିବା ବେଳେ ସ୍ୱାଭାବିକଠାରୁ ୧୬୭ ପ୍ରତିଶତ ଅଧିକ ବର୍ଷିଛି। ତିନି ଜିଲାରେ ସ୍ୱାଭାବିକରୁ କମ୍ ବର୍ଷା ହୋଇଛି। ଭଦ୍ରକରେ ସ୍ୱାଭାବିକରୁ ୨୩ ପ୍ରତିଶତ, ବୌଦ୍ଧରେ ସ୍ୱାଭାବିକରୁ ୨୯ ପ୍ରତିଶତ ଏବଂ ଗଜପତିରେ ସ୍ୱାଭାବିକରୁ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। କୋରାପୁଟ, ନବରଙ୍ଗପୁର, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, କଟକ ଓ ପୁରୀରେ ସ୍ୱାଭାବିକଠାରୁ ୬୦ %ରୁଅଧିକ ବର୍ଷା ହୋଇଛି। ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲାରେ ସ୍ୱାଭାବିକଠାରୁ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନାରୁ ଜଣାପଡିଛି। ଅପରପକ୍ଷରେ ବଲାଙ୍ଗୀର, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି।
ସାରା ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ସକ୍ରିୟ ରହିଛି। ତେବେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ଆଖାପାଖ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଦକ୍ଷିଣ ଝାଡ଼ଖଣ୍ଡ ଓ ଆଖାପାଖ ଅଞ୍ଚଳରେ ସକ୍ରିୟ ରହିଛି। ମୌସୁମି ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଜିଲାଗୁଡ଼ିକର କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ଅନୁଗୋଳ ଓ ଦେବଗଡ଼ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି।


