www.samajalive.in
Friday, December 12, 2025
14.1 C
Bhubaneswar

ରଣଜୀ ଟ୍ରଫି: ଚଳିତ ସିଜିନରେ ଓଡ଼ିଶାର ପ୍ରଥମ ପରାଜୟ

କଟକ: ଚଳିତ ରଣଜୀ ଟ୍ରଫି ସିଜିନରେ ପରାଜୟର ପ୍ରଥମ ତିକ୍ତ ସ୍ବାଦ ଚାଖିଛି ଓଡ଼ିଶାର ସିନିୟର କ୍ରିକେଟ ଦଳ। ଟାଙ୍ଗୀର ଡ୍ରିମ୍‌ସ ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ଏଲିଟ୍ ଗ୍ରୁପ୍ ‘ସି’ ମ୍ୟାଚ୍‌ରେ ଘରୋଇ ଓଡ଼ିଶାକୁ ୪ ୱିକେଟରେ ପରାସ୍ତ କରିଛି ଭ୍ରମଣକାରୀ ଜାମ୍ମୁ-କାଶ୍ମୀର। ପ୍ରଥମ ଇନିଂସରେ ଆଗୁଆ ରହିବା ସତ୍ତ୍ବେ ୨ୟ ଇନିଂସରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦୁର୍ବଳ ପ୍ରଦର୍ଶନ କରି ଓଡ଼ିଶା ଦଳ ପରାଜୟ ଭୋଗିଛି। ମ୍ୟାଚ୍‌ରେ ପେସ୍ ବୋଲର ପ୍ରାଧାନ୍ୟ ରହିଥିବା ବେ​‌ଳେ ଏବଂ ପ୍ରଥମ ୨ ଦିନରେ ୨୭ଟି ୱିକେଟ ପଡ଼ିବା ସତ୍ତ୍ବେ ୨ୟ ଇନିଂସରେ ଜାମ୍ମୁ-କାଶ୍ମୀରକୁ ୨୦୪ ରନ୍‌ର ବିଜୟଲକ୍ଷ୍ୟ ମିଳିଥି​‌େ​‌ଲ ହେଁ ଓଡ଼ିଶାର ବୋଲର ଏହାକୁ ବଞ୍ଚାଇ ପାରିନଥିଲେ। ମଙ୍ଗଳବାର ମ୍ୟାଚ୍‌ର ୩ୟ ଦିନର ଶେଷଆଡ଼କୁ ଜାମ୍ମୁ-କାଶ୍ମୀର ୨ୟ ଇନିଂସରେ ୬ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରି ନେଇଥିଲା। ଓପ୍‌ନର ସୂର୍ଯ୍ୟାଂଶ ରୈନା ଓ ଶୁଭମ୍ ସିଂହ ପୁନ୍ଦିରଙ୍କ ଲଢ଼ୁଆ ଇନିଂସ ବଳରେ ଜାମ୍ମୁ-କାଶ୍ମୀର ଏହି ବିଜୟ ହାସଲ କରିପାରିଛି। ଆସନ୍ତା ୨୭ରୁ ଏହି ଡ୍ରିମ୍‌ସ ଗ୍ରାଉଣ୍ଡରେ ଆସାମ ବିପକ୍ଷରେ ଓଡ଼ିଶା ୭ମ ଲିଗ୍ ମ୍ୟାଚ୍ ଖେଳିବ।

୫ଟି ମ୍ୟାଚ୍‌ରୁ ୪ଟି ବିଜୟ ଓ ଗୋଟିଏ ଡ୍ର ପରେ ୬ଷ୍ଠ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ପରାଜୟ ଭୋଗିଛି। ଫଳରେ ୬ଟି ମ୍ୟାଚ୍ ପରେ ଓଡ଼ିଶା ୨୮ ପଏଣ୍ଟ ସହ ଚଳିତ ସିଜିନ୍‌ରେ ପ୍ରଥମଥର ପାଇଁ ୨ୟ ସ୍ଥାନକୁ ଖସିଆସିଛି। ଅନ୍ୟପକ୍ଷରେ ୬ଷ୍ଠ ମ୍ୟାଚ୍‌ରେ ୫ମ ବିଜୟ ସହ ୩୨ ପଏଣ୍ଟ ପାଇଁ ଜାମ୍ମୁ-କାଶ୍ମୀର ଗ୍ରୁପ୍ ‘ସି’ର ଶୀର୍ଷସ୍ଥାନକୁ ଉନ୍ନୀତ ହୋଇଛି। ପ୍ରଥମ ଇନିଂସରେ ୩୭ ରନ୍‌ ଆଗରେ ରହିଥିବା ଓଡ଼ିଶା ୨ୟ ଦିନର ଷ୍ଟମ୍ପ୍ ଅପସାରଣ ବେଳକୁ ୭ ୱିକେଟ ହରାଇ ୧୩୬ ରନ୍ କରିଥିଲା। ଓଡ଼ିଶା ଏକଦା ୨ ୱିକେଟରେ ୮୯ ରନ୍ କରିଥିଲା। ତେବେ ବିପର୍ଯ୍ୟୟ ଭୋଗି ଓଡ଼ିଶା ୪୩ ରନ୍‌ରେ ୫ଟି ୱିକେଟ ହରାଇଥିଲା। ୩୫ ରନ୍‌ରେ ଓଡ଼ିଶା ୫ଟି ଶେଷ ୨ୟ ଇନିଂସ ୱିକେଟ ହରାଇବା ଘରୋଇ ଦଳ ପାଇଁ କାଳ ହୋଇଥିଲା। ମଙ୍ଗଳବାର ୩ୟ ଦିନ ପ୍ରାରମ୍ଭରେ ହିଁ ଓଡ଼ିଶା ୨ୟ ଇନିଂସରେ ୧୬୬ ରନ୍‌ରେ ଅଲ୍ଆଉଟ ହୋଇଯିବାରୁ ଜାମ୍ମୁ-କାଶ୍ମୀରକୁ ୨ୟ ଇନିଂସରେ ୨୦୪ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ରାଜେଶ ଧୁପର ୬୮ଟି ବଲ୍‌ ଖେଳି ୨ଟି ଚୌକା ସହ ୧୩ ରନ୍ କରିଥିଲେ। ସୂର୍ଯ୍ୟକାନ୍ତ ପ୍ରଧାନ ୫ଟି ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୩ ରନ୍ କରିଥିଲେ। ରାଜେଶ ମହାନ୍ତି ୯ ରନ୍ କରିଥିବା ବେଳେ ବସନ୍ତ ମହାନ୍ତି ୫ ରନ୍‌କରି ଅପରାଜିତ ଥିଲେ। ଜାମ୍ମୁ-କାଶ୍ମୀରର ପେସ୍ ବୋଲର ଉମର ନାଜିର ୫ଟି ଓ ଆକିବ୍ ନବି ୨ଟି ୱିକେଟ ନେଇଥିଲେ।
୨୦୪ ରନ୍‌ର ବିଜୟଲକ୍ଷ୍ୟ ପାଇବା ପରେ ଜାମ୍ମୁ-କାଶ୍ମୀର ୩୯ ରନ୍‌ରେ ୨ଟି ୱିକେଟ ହରାଇଥିଲା। ଅହମ୍ମଦ ଓମାର୍ ବାନ୍ଦେ ୫ ଓ ଶୁଭମ୍ ଖଜୁରିଆ ୯ ରନ୍‌କରି ଆଉଟ ହୋଇଥିଲେ। ୩ୟ ୱିକେଟ ଭାଗୀଦାରୀ ଜାମ୍ମୁ-କାଶ୍ମୀର ପାଇଁ ସବୁଠାରୁ ଫଳପ୍ରସୂ ହୋଇଥିଲା ଏବଂ ଏହା ଘରୋଇ ଓଡ଼ିଶାଠାରୁ ମ୍ୟାଚ୍ ଛଡ଼ାଇ ନେଇଥିଲା ବୋଲି କହିପାରିବା। ସୂର୍ଯ୍ୟାଂଶୁ ରୈନା ଓ ଶୁଭମ୍ ସିଂହ ପୁନ୍ଦିର ୩ୟ ୱିକେଟ ପାଇଁ ୭୭ ରନ୍ ଯୋଗକରି ଓଡ଼ିଶାକୁ ନିରାଶ କରିଥିଲେ। ପୁନ୍ଦିର ୮୩ ବଲ୍‌ରୁ ୮ଟି ଚୌକା ସହ ୪୫ ରନ୍ କରିଥିଲେ। ଏହାସହ ଦେବବ୍ରତ ପ୍ରଧାନ ୪୭ ରନ୍ ମଧ୍ୟରେ ୪ଟି ୱିକେଟ ନେଇ ଓଡ଼ିଶାକୁ ମ୍ୟାଚ୍‌କୁ ଫେରାଇ ଆଣିବାର ପ୍ରୟାସ କରିଥିଲେ। ଅଧିନାୟକ ପରଭେଜ୍‌ ରସୁଲ ୨ଟି ଚୌକା ସହ ୧୫ ରନ୍‌କରି ଆଉଟ ହୋଇଥିଲେ। ଲଢ଼ୁଆ ଅର୍ଦ୍ଧଶତକ ହାସଲ କରିଥିବା ସୂର୍ଯ୍ୟାଂଶ ରୈନା ୧୫୧ ବଲ୍‌ରୁ ୧୦ଟି ଚୌକା ସହ ୬୯ ରନ୍‌କରି ଆଉଟ ହୋଇଥିଲେ। ଫଜିଲ ରସିଦ୍ ୧ ରନ୍‌କରି ଆଉଟ ହୋଇଥିଲେ। ୬ଷ୍ଠ ୱିକେଟର ପତନ ବେଳକୁ ବିଜୟ ପାଇଁ ଜାମ୍ମୁ-କାଶ୍ମୀର ଆହୁରି ୪୧ ରନ୍ ଆବଶ୍ୟକ କରୁଥିଲା। ଏହିଠାରେ ଓଡ଼ିଶା ସୁଯୋଗ ହାତଛଡ଼ା କରିଥିଲା। ଅବ୍‌ଦୁଲ ସମାଦ୍ ଓ ଆକିବ୍ ନବି ଜଗିରଖି ଖେଳିବା ବଦଳରେ ଆକ୍ରମଣ କରିଥିଲେ। ଫଳରେ ୫୪ ବଲ୍‌ରୁ ଦୁହେଁ ଅବିଭାଜିତ ୭ମ ୱିକେଟ ପାଇଁ ୪୨ ରନ୍ ଯୋଡ଼ି ଦଳକୁ ଜିତାଇଥିଲେ। ସମାଦ୍ ୨୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୦ ଓ ଆକିବ୍ ନବି ୨୫ ବଲ୍‌ରୁ ୫ଟି ଚୌକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ଦେବବ୍ରତ ୪ଟି ୱିକେଟ ପାଇଥିଲେ। ଆକିବ୍ ନବି ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories