ଚଳିତ ବର୍ଷ ପ୍ରବଳ ଗରମ – ଗ୍ରୀଷ୍ମ ପ୍ରବାହ କବଳରେ ରହିବ ଓଡ଼ିଶା

ଭୁବନେଶ୍ବର, : ଏସନ ଗ୍ରୀଷ୍ମ ପ୍ରକୋପ ଅଧିକ ରହିବା ସମ୍ଭାବନା ରହିଛି। ରାଜ୍ୟରେ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସମ୍ଭାବନା ଥିବାରୁ ଟାଣ ଖରା ହେବା ଆଶଙ୍କା ରହିଛି। ଏପ୍ରିଲ ମାସରେ ଅସହ୍ୟ ତାତି ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଶୁକ୍ରବାର ଗ୍ରୀଷ୍ମ ପ୍ରବାହ ଉପରେ ଭାରତ ପାଣିପାଗ ବିଭାଗ ଆକଳନ କରିଛି ଯେ, ଚଳିତ ବର୍ଷ ଦେଶରେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରେକର୍ଡ ହେବା ସମ୍ଭାବନା ରହିଛି। ଉତ୍ତର-ପଶ୍ଚିମ, ଉତ୍ତର-ପୂର୍ବ, କେନ୍ଦ୍ରୀୟ ଏବଂ ପେନିନ୍‌ସୁଲାର କିଛି ସ୍ଥାନରେ ସର୍ବାଧିକ ତାପମାତ୍ରା ସ୍ବାଭାବିକ କିମ୍ବା

ସ୍ବାଭାବିକରୁ କମ୍‌ ରହିପାରେ। ସେହିଭଳି ରାତି ତାପମାତ୍ରା ମଧ୍ୟ ଦେଶର ବିଭିନ୍ନ ଅଞ୍ଚଳରେ ସ୍ବାଭାବିକରୁ ଅଧିକ ରହିବା ସମ୍ଭାବନା ରହିଛି। ଦିନ ଓ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବା ଦ୍ବାରା ଗ୍ରୀଷ୍ମ ପ୍ରଭାବ ଲାଗି ରହିବ। ମାର୍ଚ୍ଚରେ ପେନିନ୍‌ସୁଲା, ଉତ୍ତର-ପୂର୍ବ, ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ଭାରତରେ ସର୍ବାଧିକ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବା ଆଶଙ୍କା ରହିଛି। ପୂର୍ବ, ପୂର୍ବ-କେନ୍ଦ୍ରୀୟ ଏବଂ ଉତ୍ତର-ପଶ୍ଚିମ ଭାରତର କେତେକ ଅଞ୍ଚଳରେ ଦିନ ତାପମାତ୍ରା ସ୍ବାଭାବିକ କିମ୍ବା ତା’ଠାରୁ କମ୍‌ ରହିପାରେ। କିନ୍ତୁ ମାର୍ଚ୍ଚରେ ଗ୍ରୀଷ୍ମ ପ୍ରବାହ ବିଶେଷ କରି ଉତ୍ତର-ପୂର୍ବ, ପେନିନସୁଲାର, ମହାରାଷ୍ଟ୍ରର କିଛି ଅଞ୍ଚଳ ଏବଂ ଓଡ଼ିଶାର କେତେକ ଅଞ୍ଚଳ ସହିତ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସମ୍ଭାବନା ରହିଛି।

ରାଜ୍ୟରେ ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ବିଶେଷକରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ଅଧିକ ରହିବ। ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଅନୁଗୋଳ, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଆଦି ଜିଲାରେ ଦିନ ତାପମାତ୍ରା ସ୍ବାଭାବିକରୁ ଅଧିକ ରହିବ। ଏପ୍ରିଲରେ ପ୍ରଚଣ୍ଡ ତାତି ଅନୁଭୂତ ହେବାକୁ ଥିବାବେ‌େଳ ମେ’ ମାସରେ ଗ୍ରୀଷ୍ମ ପ୍ରବାହ ସହିତ ଅପରାହ୍ଣରେ କାଳ ବୈଶାଖୀ ସମ୍ଭାବନା ରହିଥିବାରୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ଚଳିତ ବର୍ଷ ଏଲ୍‌ନିନୋ ଆସ୍ତେ ଆସ୍ତେ ଦୁର୍ବଳ ହେଉଥିବାରୁ ମୌସୁମୀ ବର୍ଷା ସ୍ବାଭାବିକ ରହିବା ସମ୍ଭାବନା ରହିଛି।
ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭.୪ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ମାଲକାନଗିରି ୩୭, ଟିଟିଲାଗଡ଼ ୩୬, ଭୁବନେଶ୍ବର ୩୪.୬ ଏବଂ କଟକରେ ୩୪ ଡିଗ୍ରୀ ରହିଛି। ମାର୍ଚ୍ଚ ପହିଲାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୨ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବାଧିକ ତାପମାତ୍ରା ଆସ୍ତେ ଆସ୍ତେ ବୃଦ୍ଧି ପାଇପାରେ। ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ୩ତାରିଖରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝରର କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହେବାକୁ ଥିବାବେଳେ ୪ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ।
.

Comments are closed.