ଭୁବନେଶ୍ବର: ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ-୨୦୨୨ ଭାରତରେ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ଯ୍ୟନ୍ତ ଖେଳାଯିବ। ପ୍ରତିଯୋଗିତା ଭାରତର ୩ଟି ସ୍ଥାନ ନବି ମୁମ୍ବଇ , ଗୋଆ ଓ ଭୁବନେଶ୍ବରରେ ଖେଳାଯିବା ନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ ) ଓ ଫିଫା ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ନେଇ ବୁଧବାର ମ୍ୟାଚ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ପ୍ରତିଯୋଗିତାରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିବେ। ଦଳଗୁଡ଼ିକୁ ୪ଟି ଗ୍ରୁପରେ ବିଭକ୍ତ କରାଯାଇଛି। ସମସ୍ତ ମ୍ୟାଚ୍ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ, ଗୋଆର ଜବାହରଲାଲ ନେହରୁ ଷ୍ଟାଡ଼ିୟମ ଓ ନବି ମୁମ୍ବଇରେ ଖେଳାଯିବ। ଲିଗ୍ ପର୍ଯ୍ୟାୟ ମ୍ୟାଚ ଅକ୍ଟୋବର ୧୧ରୁ ୧୮ ପଯ୍ୟନ୍ତ ଖେଳାଯିବ। କ୍ବାର୍ଟରଫାଇନାଲ ମ୍ୟାଚ୍ ଅକ୍ଟୋବର ୨୧ ଓ ୨୨ରେ, ଅକ୍ଟୋବର ୨୬ରେ ସେମିଫାଇନାଲ ମ୍ୟାଚ ଗୋଆର ଫାଟ୍ରୋଡାରେ ଖେଳାଯିବ। ଅକ୍ଟୋବର ୩୦ରେ ନବି ମୁମ୍ବଇର ଡିୱାଇ ପାଟିଲ ଷ୍ଟାଡ଼ିୟମରେ ୩ୟ ସ୍ଥାନ ମ୍ୟାଚ୍ ସହ ଫାଇନାଲ ମ୍ୟାଚ ଖେଳାଯିବ ବୋଲି ବୁଧବାର କାର୍ଯ୍ୟସୂଚୀ ଘୋଷିତ ହୋଇଛି।
ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମରେ ଗ୍ରୁପ୍ ‘ଏ’ର ୫ଟି ଓ ଗ୍ରୁପ ‘ବି’ର ଗୋଟିଏ ସମେତ ମୋଟ ୬ଟି ଲିଗ୍ ମ୍ୟାଚ ଖେଳାଯିବ। ଭାରତ ସମସ୍ତ ଗ୍ରୁପ ଲିଗ୍ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଆୟୋଜକ ଭାରତ ଗ୍ରୁପ-ଏରେ ରହିଥିବା ବେେଳ ଘରୋଇ ଦଳ ଏଠାରେ ୩ଟି ଲିଗ୍ ମ୍ୟାଚ ଅକ୍ଟୋବର ୧୧, ୧୪ ଓ ୧୭ରେ ଖେଳିବ। ଏହି ବିଶ୍ବକପ୍ର ମ୍ୟାଚ୍ ଆୟୋଜନର ସୁଯୋଗ ଭୁବନେଶ୍ବରକୁ ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ୍ରେ ଭାରତର ସମସ୍ତ ଲିଗ୍ ମ୍ୟାଚ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହେବା ବହୁତ ବଡ ଖୁସିର ଖବର। ଅଗ୍ରଣୀ କ୍ରୀଡ଼ାସ୍ଥଳରେ ଘରୋଇ ଦଳକୁ ଆବଶ୍ୟକ କରୁଥିବା ପରିବେଶ ଉପଲବ୍ଧ ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ଭୁବନେଶ୍ବରରେ ପୂର୍ବରୁ ପୁରୁଷ ସିନିୟର ଓ ଜୁନିୟର ହକି ବିଶ୍ବକପ ସଫଳତାର ସହ ଆୟୋଜିତ ହୋଇସାରିଛି। ଏହାଛଡ଼ା ପ୍ରମୁଖ ଘରୋଇ ଫୁଟବଲ ପ୍ରତିଯୋଗିତା ଆଇଏସ୍ଏଲ, ଆଇ-ଲିଗ୍ , ସୁପର୍ କପ, ଭାରତୀୟ ମହିଳା ଫୁଟବଲ ଲିଗ୍ ଆଦି ସଫଳତାର ସହିତ ଆୟୋଜିତ କରିଛି। ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ମ୍ୟାଚକୁ ସଫଳ ଆୟୋଜନ ନେଇ ବଦ୍ଧପରିକର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରତିଯୋଗିତା ସ୍ଥାନୀୟ ଆୟୋଜକ କମିଟି ନିର୍ଦେଶକ ଅଙ୍କୁଶ ଆରୋରା କହିଛନ୍ତି, ମହିଳା ଫୁଟବଲକୁ ଆଗକୁ ବଢାଇବା ଲକ୍ଷ୍ୟ ଅନୁସାରେ ସମର୍ଥନ ପ୍ରଦାନ କରୁଥିବାରୁ ଫିଫା, ଆୟୋଜକ ରାଜ୍ୟ ସରକାର ଏବଂ ସମସ୍ତ ଅଂଶୀଦାରଙ୍କ ନିକଟରେ ଆମେ କୃତଜ୍ଞ।
ସୂଚନାଯୋଗ୍ୟ, ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ବକପ ୨୦୨୦ କରୋନା ପାଇଁ ବାତିଲ ହେବା ପରେ ଏହାର ୨୦୨୨ ସଂସ୍କରଣର ଆୟୋଜନ ଅଧିକାର ଭାରତକୁ ମିଳିଛି। ଫିଫା ବିଶ୍ବକପ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କଳିଙ୍ଗ ଷ୍ଟାଡ଼ିୟମ ମୁଖ୍ୟ ଗ୍ରାଉଣ୍ଡ ନବୀକରଣ କରାଯିବା ସହିତ ୨୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଗ୍ୟାଲେରୀ, ଅତ୍ୟାଧୁନିକ ଖେଳାଳି ଡ୍ରେସିଂ ରୁମ, ଅଫିସିଆଲ ରୁମ ପ୍ରସ୍ତୁତ କରାଯାଇଛି। ଏହାଛଡ଼ା ୪ଟି ଅଭ୍ୟାସ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡ଼ିୟମ, ୭ମ ବାଟାଲିୟନ ପଡିଆରେ ୨ଟି ଓ କ୍ୟାପିଟାଲ ହାଇସ୍କୁଲ ପଡିଆରେ ଗୋଟିଏ ଅଭ୍ୟାସ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଇଛି।


