www.samajalive.in
Saturday, December 13, 2025
26.1 C
Bhubaneswar

ରଣଜୀ ଟ୍ରଫି : ମ୍ୟାଚ୍ ବଞ୍ଚାଇବାକୁ ଓଡ଼ିଶାର ସଂଘର୍ଷ

କଟକ : ୨୦୧୯ ବର୍ଷ ପ୍ରଥମ ଦିନରେ ଓଡ଼ିଶା ରଣଜୀ ଟ୍ରଫି ଦଳ ଚାପରେ ପଡ଼ିଯାଇଛି। ଘରୋଇ ସର୍ଭିସେସ୍ ବିପକ୍ଷରେ ପ୍ରଥମେ ଓଡ଼ିଶାର ବ୍ୟାଟ୍‌ସମ୍ୟାନ୍ ବିଫଳ ହେବା ପରେ ବୋଲର ମଧ୍ୟ ସେପରି ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ଫଳରେ ନୂଆଦିଲ୍ଲୀର ପାଲମସ୍ଥିତ ବାୟୁସେନା ଗ୍ରାଉଣ୍ଡରେ ଚାଲିଥିବା ରଣଜୀ ଟ୍ରଫି ମ୍ୟାଚ୍‌କୁ ବଞ୍ଚାଇବା ପାଇଁ ଓଡ଼ିଶାକୁ ସଂଘର୍ଷ କରିବାକୁ ପଡ଼ୁଛି। ବିକାଶା ହାତ୍‌ୱାଲା ଅପରାଜିତ ଶତକ ମାରିବାରୁ ଘରୋଇ ସର୍ଭିସେସ୍ ୮ ୱିକେଟରେ ୪୧୭ ରନ୍‌ର ପ୍ରଭାବଶାଳୀ ସ୍କୋର୍‌କରି ପ୍ରଥମ ଇନିଂସ ଘୋଷଣା କରିଛି। ଫଳରେ ସର୍ଭିସେସ୍ ପ୍ରଥମ ଇନିଂସରେ ୨୪୦ ରନ୍‌ ଆଗରେ ରହି ମ୍ୟାଚ୍‌କୁ ନିଜ ନିୟନ୍ତ୍ରଣକୁ ନେଇପାରିଛି। ମଙ୍ଗଳବାର ମ୍ୟାଚ୍‌ର ୩ୟ ଦିନ ପରେ ସ୍ଥିତି ଏପରି ଯେ ମ୍ୟାଚ୍‌ରେ ସର୍ଭିସେସ୍‌ର ପରାଜୟ ଅସମ୍ଭବ ନିଶ୍ଚିତ ହୋଇଯାଇଛି। ଏହାସହ ଏହି ମ୍ୟାଚ୍‌ରୁ ସର୍ଭିସେସ୍ ଅତିକମ୍‌ରେ ୩ ପଏଣ୍ଟ ପାଇବା ମଧ୍ୟ ନିଶ୍ଚିତ ହୋଇଛି। ପ୍ରଥମ ଇନିଂସରେ ୨୪୦ ରନ୍ ପଛରେ ରହିବା ପରେ ୩ୟ ଦିନ ଖେଳ ଶେ​‌ଷ ସୁଦ୍ଧା ଓଡ଼ିଶା ୨ୟ ଇନିଂସରେ ୧ ୱିକେଟ ହରାଇ ୬୫ ରନ୍ କରିପାରିଛି। ଆଉ ୯ଟି ୱିକେଟ ବାକିଥାଇ ଓଡ଼ିଶା ଏବେ ୧୭୫ ରନ୍ ପଛରେ ରହିଛି। ମ୍ୟାଚ୍‌ ବଞ୍ଚାଇବା ଲାଗି ଓଡ଼ିଶା ଦଳକୁ ବୁଧବାର ୪ର୍ଥ ତଥା ଅନ୍ତିମ ଦିନରେ ପୂରା ବ୍ୟାଟିଂ କରିବାକୁ ପଡ଼ିବ।
ଓଡ଼ିଶା ଲଢ଼ୁଆ ଭାବେ ୨ୟ ଇନିଂସ ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ିରେ ୬୩ ରନ୍ କରିବା ପରେ ଓଡ଼ିଶା ପ୍ରଥମ ୱିକେଟ ହରାଇଥିଲା। ଶାନ୍ତନୁ ମିଶ୍ର ୩ଟି ଚୌକା ସହ ୩୦ ରନ୍‌କରି ଆଉଟ ହୋଇଥିଲେ। ଷ୍ଟମ୍ପ୍ ଅପସାରଣ ବେଳକୁ ଦେବାଶିଷ ସାମନ୍ତରାୟ ୫ଟି ଚୌକା ସହ ୩୫ ଓ ଶୁଭ୍ରାଂଶୁ ସେନାପତି ବିନା ସ୍କୋର୍‌ରେ ଅପରାଜିତ ଅଛନ୍ତି। ଏଲିଟ୍ ଗ୍ରୁପ୍ ‘ସି’ର ଏହି ମ୍ୟାଚ୍‌ରେ ୨ୟ ଦିନ ଖେଳ ଶେଷ ସୁଦ୍ଧା ସର୍ଭିସେସ୍ ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୧୮୩ ରନ୍ କରିଥିଲା। ୩ୟ ଦିନରେ ସର୍ଭିସେସ୍‌ର ବ୍ୟାଟ୍‌ସମ୍ୟାନ୍ ପ୍ରାଧାନ୍ୟ ବିସ୍ତାର କରିଥିଲେ। ୫ମ ୱିକେଟ ପାଇଁ ଅଧିନାୟକ ରଜତ ପାଲିୱାଲ ଓ ବିକାଶ ହାତ୍‌ୱାଲା ୮୨ ରନ୍‌ର ଲଢ଼ୁଆ ଭାଗିଦାରୀ କରିଥିଲେ। ପାଲିୱାଲ ୬ଟି ଚୌକା ସହ ୬୨ ରନ୍‌କରି ୩ୟ ଦିନରେ ପ୍ରଥମ ବ୍ୟାଟ୍‌ସମ୍ୟାନ ଭାବେ ଆଉଟ ହୋଇ ଯାଇଥିଲେ। ପରେ ଦେବିନ୍ଦର ଲୋଛବ ୧୫ ରନ୍‌କରି ବିଦାୟ ନେଇଥିଲେ। ୭ମ ୱିକେଟ ସର୍ଭିସେସ୍ ପାଇଁ ଫଳପ୍ରସୂ ହୋଇଥିଲା। ବିକାଶ ହାତ୍‌ୱାଲା ଓ ଖାଲିଦ୍ ଅହମ୍ମଦ ୭୩ ରନ୍ ଯୋଡ଼ିଥିଲେ। ଖାଲିଦ୍ ୨ଟି ଚେକା ସହ ୩୪ ରନ୍ କରିଥିଲେ। ପରେ ତଳ ଅର୍ଡରର ବ୍ୟାଟ୍‌ସମ୍ୟାନ୍ କିଛି ଉପଯୋଗୀ ଯୋଗଦାନ ଦେଇଥିବା ବେଳେ ବିକାଶ ହାତ୍‌ୱାଲା ଗୋଟିଏ ପଟେ ଚମତ୍କାର ବ୍ୟାଟିଂ କରିଥିଲେ। ଫଳରେ ସର୍ଭିସେସ୍ ପ୍ରଥମ ଇନିଂସରେ ୪ ଶହ ରନ୍ ଅତିକ୍ରମ କରି ପାରିଥିଲା। ଶେଷ ୨ ୱିକେଟରେ ସର୍ଭିସେସ୍ ୧୩୩ ରନ୍ ଯୋଗ କରି ପାରିଥିଲା। ଅରୁଣ ବାମାଲ ୧୬ ରନ୍ କରିଥିବା ବେଳେ ଦିୱେଶ ପଠାନିଆ ୧୫ ରନ୍‌କରି ଅପରାଜିତ ରହିଥିଲେ। ଶତକ ହାସଲ କରିଥିବା ବିକାଶ ହାତ୍‌ୱାଲା ୨ଟି ଛକା ଓ ୧୦ଟି ଚୌକା ସହ ୧୧୫ ରନ୍‌କରି ଅପରାଜିତ ରହିଥିଲେ। ଚଳିତ ସିଜିନ୍‌ରେ ଓଡ଼ିଶାର ସଫଳତମ ବୋଲର ବସନ୍ତ ମହାନ୍ତି ଆଦୌ ୱିକେଟ ପାଇନଥିବା ବେଳେ ଅନ୍ୟତମ ସଫଳ ବୋଲର ରାଜେଶ ମହାନ୍ତି ଗୋଟିଏ ୱିକେଟ ପାଇଥିଲେ। ଦୁଇ କାମଚଳା ସ୍ପିନର ଗୋବିନ୍ଦ ପୋଦ୍ଦାର ଓ ଅଭିଷେକ ରାଉତ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories