ସମାଜ ଡିଜିଟାଲ ଡେସ୍କ: ହ୍ୱାଟ୍ସଆପ୍ ଏହାର ୟୁଜରମାନଙ୍କ ପାଇଁ ଏକ ନୂଆ ତଥା ଦମ୍ଦାର ଫିଚର ଆଣିଛି। ଏପର୍ଯ୍ୟନ୍ତ ଆପଣ ଗ୍ରୁପ୍ ଚାଟ୍ରେ ଟାଇପ୍ କରି ଚାଟିଂ କରିପାରୁଥିଲେ ଏବଂ ସିଧାସଳଖ ଭଏସ୍ କଲ୍ କିମ୍ବା ଭିଡିଓ କଲ୍ ଲଗାଉଥିଲେ। ଏବେ ହ୍ବାଟ୍ସଆପ୍ ଭଏସ୍ କଲ୍ ଭଳି ଭଏସ୍ ଚାଟ୍ ଫିଚର ଆଣିଛି। ଏହା ସାହାଯ୍ୟରେ ଆପଣ କଲ୍ ନ କରି ଗ୍ରୁପ୍ରେ ଲାଇଭ୍ କଥା ହୋଇପାରିବେ। ଯେଉଁମାନେ ଅଧିକ ଟାଇପ୍ ନ କରି ସିଧାସଳଖ କଥା ହେବାକୁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଏହା ବହୁତ ଉପଯୋଗୀ ସାବ୍ୟସ୍ତ ହେବ। ଏଥିସହ ଏବେ ଆପଣଙ୍କୁ ଗ୍ରୁପ୍ କଲ୍ କରି ସମସ୍ତ ଗ୍ରୁପ୍ର ସମସ୍ତ ସଦସ୍ୟଙ୍କୁ ବିରକ୍ତ କରିବାକୁ ପଡ଼ିବ ନାହିଁ।
ଯଦି ଆପଣ କୌଣସି ଗ୍ରୁପରେ ଭଏସ୍ କିମ୍ବା ଭିଡିଓ କଲ୍ କରନ୍ତି, ତେବେ ସେହି କଲ୍ ଗ୍ରୁପର ସମସ୍ତ ସଦସ୍ୟଙ୍କ ପାଖକୁ ଯାଏ। ଏମିତିରେ ଆପଣ ଗ୍ରୁପ୍ର ସବୁ ସଦସ୍ୟଙ୍କୁ ବିରକ୍ତ ନ କରି ସେମାନଙ୍କ ସହିତ କଥା ହୋଇପାରୁ ନଥିଲେ। କିନ୍ତୁ ଏବେ ଭଏସ୍ ଚାଟ୍ ଫିଚର ସାହାଯ୍ୟରେ ଆପଣ ଏଭଳି କରିପାରିବେ। ଏଥିପାଇଁ ଆପଣଙ୍କୁ ଗ୍ରୁପ୍ରେ କଲ୍ କରିବା ଦରକାର ପଡ଼ିବନି। ଏକ ସରଳ ଉପାୟ ଦ୍ଵାରା ଆପଣ ଗ୍ରୁପ୍ରେ ହିଁ ନିଜ ସହ ଭଏସ୍ ଚାଟରେ ଯୋଗଦେବା ପାଇଁ ସଦସ୍ୟମାନଙ୍କୁ ନିମନ୍ତ୍ରଣ କରିପାରିବେ। କେବଳ ଗ୍ରୁପ୍ ସଦସ୍ୟମାନଙ୍କୁ ଏହାର ନୋଟିଫିକେସନ୍ ମିଳିବ। ଏହା ବ୍ୟତୀତ ଯିଏ ଗ୍ରୁପରେ ଆପଣଙ୍କର ଆକ୍ଟିଭ୍ ଭଏସ୍ ଚାଟ୍ ଦେଖିବ ସେ ଏଥିରେ ସାମିଲ ହୋଇ ଆପଣଙ୍କ ସହ କଥା ହୋଇ ଲାଇଭ୍ ଚାଟିଂ ବା ଗପସପ କରିପାରିବ।
ପୂର୍ବରୁ ଏହି ଫିଚର କେବଳ ୩୩ରୁ ୨୫୬ ସଦସ୍ୟ ଥିବା ଗ୍ରୁପ୍ରେ ଉପଲବ୍ଧ ଥିଲା। ଏବେ ହ୍ୱାଟ୍ସଆପ୍ ଏପରି ଯେକୌଣସି ସୀମାକୁ ହଟାଇ ଦେଇଛି ଏବଂ ଏହି ଫିଚରକୁ ପ୍ରତ୍ୟେକ ଗ୍ରୁପରେ ବ୍ୟବହାର କରାଯାଇପାରିବ।
କେମିତି କରିବେ ବ୍ୟବହାର:
– ଭଏସ୍ ଚାଟ୍ ଆରମ୍ଭ କରିବା ପାଇଁ ଆପଣଙ୍କୁ ସେହି ଗ୍ରୁପ୍କୁ ଯିବାକୁ ପଡିବ ଯେଉଁଥିରେ ଆପଣ ଭଏସ୍ ଚାଟ୍ ଆରମ୍ଭ କରିବାକୁ ଚାହୁଁଛନ୍ତି। ଏହାପରେ ଆପଣ ଚାଟ୍କୁ ତଳୁ ଉପରକୁ ସ୍ୱାଇପ୍ କରି ଭଏସ୍ ଚାଟ୍ ଆରମ୍ଭ କରିପାରିବେ।
– ଥରେ ଚାଟ୍ ଆରମ୍ଭ ହୋଇଗଲେ ଏହା ସେହି ଗ୍ରୁପ୍ର ସମସ୍ତ ସଦସ୍ୟଙ୍କୁ ଚାଟ୍ ତଳେ ନଜର ଆସିବ ଏବଂ ଏଥିସହ ଜଏନ୍ ବଟନ୍ ମଧ୍ୟ ଦେଖାଯିବ।
– ଏହି ବଟନ୍ ଉପରେ ଟ୍ୟାପ୍ କରି ଗ୍ରୁପ୍ର ଯେକୌଣସି ସଦସ୍ୟ ଭଏସ୍ ଚାଟ୍ରେ ସାମିଲ ହୋଇପାରିବେ। ଏହାର ନୋଟିଫିକେସନ୍ କାହାରିକୁ ମିଳିବ ନାହିଁ। ଯିଏ ଗ୍ରୁପ୍ରେ ଆକ୍ଟିଭ୍ ଥିବେ ସେ ହିଁ ଏହାକୁ ଦେଖିପାରିବେ।
– ହ୍ୱାଟ୍ସଆପ୍ ମେସେଜ୍ ପରି ଏହି ଫିଚରଟି ମଧ୍ୟ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍ ଦ୍ୱାରା ସୁରକ୍ଷିତ ରହିବ। ଏହି ଫିଚରକୁ ସମସ୍ତ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଡିଭାଇସ୍ ପାଇଁ ଆରମ୍ଭ କରାଯାଉଛି। ଯଦି ଆପଣ ମଧ୍ୟ ଏହି ଫିଚରକୁ ବ୍ୟବହାର କରିବାକୁ ଚାହୁଁଛନ୍ତି, ତେବେ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରକୁ ଯାଇ ଆପଣଙ୍କର ହ୍ୱାଟସଆପକୁ ଅପଡେଟ୍ କରନ୍ତୁ।



