ବୁର୍ଲା : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୭ ତମ ଶ୍ରାଦ୍ଧ ଦିବସ ପାଳନ ଉପଲକ୍ଷେ ଆଜି ଓଡିଶା ସାରା ହାଇସ୍କୁଲ ସ୍ତରୀୟ ଏକ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି କ୍ରମରେ ଧନକଉଡା ବ୍ଲକର ନୋଡାଲ ସ୍କୁଲ ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏହି ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ବୁର୍ଲା ବାଳକ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଯତୀନ୍ଦ୍ର ମୋହନ ପଣ୍ଡା ଓ ଅବସର ପ୍ରାପ୍ତ ଶିକ୍ଷକ ହିମାଂଶୁ ଶେଖର ଠାକୁର ବିଚାରକ ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଵା ବେଳେ ମୁଖ୍ୟ ଅତିଥି ଭାବରେ ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାମକୃଷ୍ଣ ରଥ ଯୋଗ ଦେଇଥିଲେ। ପ୍ରତିଯୋଗିତା ଆରମ୍ଭରେ ରାମକୃଷ୍ଣ ରଥ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ଶ୍ରୀ ନିରଞ୍ଜନ ରଥଙ୍କ ଅକାଳ ବିୟୋଗରେ ଯୋଗୁଁ ଶୋକ ପ୍ରକାଶ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ସହିତ ସ୍ବର୍ଗତ ଶ୍ରୀ ରଥଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ପାଇଁ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା। ଆଜିର ବକ୍ତୃତାର ବିଷୟବସ୍ତୁ ଥିବା ” ଗୋପବନ୍ଧୁଙ୍କ ସ୍ବପ୍ନର ଓଡିଶା ” ଉପରେ ଛାତ୍ର ଛାତ୍ରୀ ମାନେ ଅନେକ ସାରଗର୍ଭକ ବକ୍ତୃତା ଦେଇଥିଲେ। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବୁର୍ଲା ଡିଏଭି ସ୍କୁଲର ଛାତ୍ରୀ ଅଭିଜ୍ଞା ସାହୁ, ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ବୁର୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ୱେତଲିନା ଦାସ ଓ ତୃତୀୟ ସ୍ଥାନରେ ରହିଥିଲେ କେନ୍ଦ୍ରୀୟ ବିଦ୍ୟାଳୟ ୨ ର ଛାତ୍ରୀ ସ୍ଵଂୟସିଦ୍ଧା ହୋତା। ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ପଣ୍ଡା ଏବଂ ଶ୍ରୀ ଠାକୁର ଉତ୍କଳମଣି ଗୋପବନ୍ଧୁଙ୍କ ସମ୍ୱଲପୁର କୁ ସେହି ସମୟରେ ହୋଇଥିବା ଡାକରା ଏବଂ ତାଙ୍କର ବିଚାରଧାରା ଉପରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସମାଜର ବୁର୍ଲା ସାମ୍ବାଦିକ ପ୍ରଣବାନନ୍ଦ ପଣ୍ଡା ଓ ଚିପିଲିମା ସାମ୍ବାଦିକ ସଞ୍ଜୟ ପାଗଡ ପରିଚାଳନା କରିଥିଲେ। ବୁର୍ଲାର ବିଶିଷ୍ଟ ନାଟ୍ୟକାର ପ୍ରମୋଦ କୁମାର ଦାଶ(ବାବୁଲା) ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିବା ସହିତ ଉତ୍କଳମଣି ଗୋପବନ୍ଧୁଙ୍କ ସେବା ତଥା ଆଦର୍ଶକୁ ଅନୁସରଣ କରିବା ପାଇଁ କହିବା ସହିତ ବର୍ତ୍ତମାନ ସୁସ୍ଥ ରହିବା ପାଇଁ ଯୋଗ ହିଁ ଏକ ମଧ୍ୟମ ରହିଥିବା ପରାମର୍ଶ କରିଥିଲେ। ୟୁଥ ଏଗେନଷ୍ଟର ସଭାପତି ପ୍ରଭାସ ପୃସେଠ ଏଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରତିଯୋଗିତା ଶେଷରେ ସାମ୍ବାଦିକ ପ୍ରଣବାନନ୍ଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।



