ଗୋପାଳପୁର : ଡୁରା ନ୍ୟାସନାଲ ହାଇସ୍କୁଲରେ ଆଜି ବନ ମହୋତ୍ସବ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାରତୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲ କଲେଜର କ୍ୟାନ୍ସର ସ୍ପେଶିଏଲିଷ୍ଟ ଡ଼ା ସରୋଜ ଦାଶ ଯୋଗ ଦେଇ ବୃକ୍ଷ ରୋପଣ ଦ୍ବାରା ବିଭିନ୍ନ ରୋଗର ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଗଞ୍ଜାମ ଜିଲ୍ଲାର ଇକୋ କ୍ଳବର ସଂଯୋଜକ ଶଙ୍କର ନାରାୟଣ ବେଜ, ବ୍ରହ୍ମପୁର ବନଖଣ୍ଡର ବନପାଳ ସୋମନାଥ ମଲିକ,ବନରଖି ସୁରଭି ପାଣିଗ୍ରାହୀ,ସମାଜସେବୀ ବିଭୂତି ଭୂଷଣ ସାହୁ, ସ୍ଥାନୀୟ ସରପଞ୍ଚ ବିଷ୍ଣୁ ପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ଇକୋକ୍ଳବର ଦାୟିତ୍ୱରେ ଥିବା ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ ଅମିତା ରାଣୀ ସାହୁଙ୍କ ତତ୍ତ୍ଵାବଧାନରେ ଚାରା ବଣ୍ଟନ କରାଯାଇଥିଲା। ତାହା ସହ ସ୍କୁଲ ପରିସର ମଧ୍ୟରେ ପ୍ରାୟ ୩୦ ଟି ଫଳ ଓ ଜଙ୍ଗଲ ଜାତୀୟ ଚାରା ରୋପଣ କରିବା ସହ ପ୍ରାୟ ଦେଢ଼ଶହରୁ ଉର୍ଦ୍ଧ୍ବ ଚାରା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରି ଗ୍ରାମରେ ରୋପଣ କରିବାକୁ କୁହାଯାଇଥିଲା । ଏହି ସପ୍ତାହ ମଧ୍ୟରେ ପ୍ରାୟ ପାଞ୍ଚ ଶହ ଚାରା ରୋପଣ କରାଯିବ ବୋଲି କହିଛନ୍ତି। ଏଥିରେ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।
Popular Categories



