ବାସୁଦେବପୁର : ମୁଖ୍ୟମନ୍ତ୍ରୀ କଳାକାର ପେନସନ ଯୋଜନାରେ ଚୟନ ହୋଇଥିବା ଅଣକଳାକାରମାନଙ୍କୁ ବାଦ ଦେବା ପ୍ରସଙ୍ଗକୁ ନେଇ ଆଜି ବାସୁଦେବପୁର ବ୍ଲକ କାର୍ଯ୍ୟାଳୟରେ ଥିବା ମିଶନଶକ୍ତି ସଭା ଗୃହରେ କଳା ସଂସ୍କୃତି ସଂଘ ବାସୁଦେବପୁର ପକ୍ଷରୁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଜୁନ ମାସ ଦୁଇ ତାରିଖରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପତ୍ର ସଂଖ୍ୟା ୫୫୨୦ ମାଧ୍ୟମରେ ଜିଲ୍ଲାପାଳ ତଥା ଜିଲ୍ଲା ଦଣ୍ଡାଧିକାରୀଙ୍କୁ ଅବଗତ କରାଯାଇଛି । ମାତ୍ର ଜିଲ୍ଲା ପ୍ରଶାସନର କାର୍ଯ୍ୟାନ୍ୱୟନର ବିଳମ୍ବତାକୁ ନେଇ ପ୍ରକୃତ କଳାକାରମାନଙ୍କ କ୍ଷେତ୍ରରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ପେନସନ ସହାୟତା ରାଶି ବୃଦ୍ଧି, କଳାକାରମାନଙ୍କୁ ବୀମାଭୁକ୍ତ କରାଇବା ସହ ପ୍ରତ୍ୟେକ ବ୍ଲକରେ କଳା ସଂସ୍କୃତି ସଂଘର ସ୍ଥାୟୀ କାର୍ଯ୍ୟାଳୟ ଦାବିକୁ ଅଣଦେଖା କରୁଥିବାବେଳେ ଅଣକଳାକାରଙ୍କ କ୍ଷେତ୍ରରେ ନୀରବତାକୁ ନେଇ ବୈଠକରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆଗାମୀ ଦିନରେ ସରକାର କଳାକାରଙ୍କୁ ଅଣଦେଖା କଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । କରୁଣାକର ମଲ୍ଲିକଙ୍କ ସଭାପତିତ୍ୱରେ ଉପସଭାପତି ଅଭୟ ସାମଲ, ସଂପାଦକ ମନକୁମାର ପାଢୀ, ଅମର ପଣ୍ଡା, ନିରଞ୍ଜନ ନାୟକ, ଆଦିକନ୍ଦ ପାଢୀ, ମାମା ପଣ୍ଡା, ପ୍ରଭାସକୁମାର ମହାପାତ୍ର ପ୍ରମୁଖଙ୍କ ସମେତ ନବେ ଜଣ ଯାତ୍ରା କଳାକାରମାନେ ଉପସ୍ଥିତ ଥିଲେ । ଶେଷରେ ଉପଦେଷ୍ଟା କମିଟି ସସ୍ୟ ଅଭିମନ୍ୟୁ ପଲାଇ ଧନ୍ୟବାଦ ଦେଇଥିଲେ ।
Popular Categories



