ଜେନାପଦା ଗୁଳିକାଣ୍ଡ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ଼: ପରକୀୟା ପ୍ରୀତିକୁ ନେଇ ଜେନାପଦା ଗ୍ରାମରେ ହୋଇଥିବା ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଘଟଣାର ୪୩ ଦିନ ପରେ ଆଠଗଡ଼ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ ଦାସ ଓରଫ୍ ଲିଟୁନାକୁ ଆଠଗଡ଼ ପୁଲିସର ଗୋଟିଏ ସ୍ଵତନ୍ତ୍ର ଦଳ ଏକ ଗ୍ୟାରେଜରୁ ଗିରଫ କରି ଥିବା ବେଳେ ଏହି ଘଟଣା ରେ ଅନ୍ୟ ୪ଜଣ ଅଭିଯୁକ୍ତ ଏବେବି ଫେରାର ଥିବା ପୋଲିସ ସୂତ୍ରରୁ ଜଣାପଡିଛି।ଗତ ଫେବୃଆରୀ ୧୨ ତାରିଖରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଜେନାପଦା ଦେଶ କୋଠଘରେ ବସିଥିବା ବଂଶୀଧର ନାୟକ, ଦୀନବନ୍ଧୁ ନାୟକ ଏବଂ ଜିତୁନା ନାୟକଙ୍କ ଉପରକୁ ନିଜ ବନ୍ଧୁକରୁ ସଦାନନ୍ଦ ୭ ରାଉଣ୍ଡ ଗୁଳି ଚଳାଇ ଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଏବଂ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ବଂଶୀଧର ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏ ସମ୍ପର୍କରେ ଫେବୃଆରୀ ୧୩ ତାରିଖ ରେ ଦୀନବନ୍ଧୁ ନାୟକଙ୍କ ପତ୍ନୀ ଭାନୁମତୀ ନାୟକ ଆଠଗଡ଼ ଥାନାରେ ବିଧିବଦ୍ଧ ଏତଲା ଦେବା ପରେ ଆଠଗଡ଼ ଥାନା କେସ୍ ନଂ ୪୩/୨୩ ଧାରା ୩୪୧,୩୨୩,୩୦୭,୫୦୬,୩୪ ଆଇ ପି ସି ଏବଂ ୨୫/୨୭ ଆର୍ମସ ଆକ୍ଟ ରେ ମୋକଦ୍ଦମା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଂଶୀଧରଙ୍କ ମୃତ୍ୟୁ ପରେ ଏହା ହତ୍ୟାକାଣ୍ଡ ମାମଲାରେ ରୂପାନ୍ତର ହୋଇ ଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ ଦାସ ଓରଫ୍ ଲିଟୁନା ସେହି ଦିନଠାରୁ ଫେରାର ଥିଲା। ଏହି ଘଟଣାରେ ତାକୁ ସହଯୋଗ କରିଥିବା ଅନ୍ୟତମ ଅଭିଯୁକ୍ତ ଜେନାପଦା ଗ୍ରାମର ପୁରୁଷୋତ୍ତମ ମହାନ୍ତିଙ୍କ ପୁଅ ପିରୁ ପ୍ରସାଦ ମହାନ୍ତି, ମହେଶ୍ୱର ରାଉତଙ୍କ ପୁଅ ଦିପୁନା ରାଉତ, କୃଷ୍ଣ ମୋହନ ସାହୁଙ୍କ ପୁଅ ବିଜୟ କୁମାର ସାହୁ ଏବଂ ପ୍ରଫୁଲ୍ଲ କୁମାର ସ୍ବାଇଁଙ୍କ ପୁଅ ସଞ୍ଜୟ ସ୍ଵାଇଁ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି। ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

ଘଟଣାରୁ ପ୍ରକାଶ ଯେ ଗତ ଫେବୃଆରୀ ୧୨ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ସଦାନନ୍ଦ ଦାସ ଓରଫ୍ ଲିଟୁନା ଅନ୍ୟ ସହଯୋଗୀ ମାନଙ୍କ ସହିତ ଆସି ଏହି ଗୁଳିକାଣ୍ଡ ଘଟାଇ ଥିବା ବେଳେ ପୂର୍ବରୁ ମୃତ ବଂଶୀଧରଙ୍କ ପରିବାର ସହିତ ଲିଟୁନା ର ଶତୃତା ରହିଥିବା ସୂଚନା ଦେଇଛନ୍ତି ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି। ଗୁଳିକାଣ୍ଡ ଘଟଣାର କିଛି ଦିନ ପୂର୍ବରୁ ଲିଟୁନା ର ସେହି ଗ୍ରାମର ଜନୈକ ମହିଳାଙ୍କ ସହିତ କିଛି ଆପତ୍ତି ଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସ୍ଥାନୀୟ ଭଦ୍ରବ୍ୟକ୍ତିଙ୍କ ସହଯୋଗରେ ଘଟଣାର ଆପୋଷ ସମାଧାନ ହୋଇଥିଲା। କିନ୍ତୁ ଘଟଣା ଦିନ ଲିଟୁନା ସଂପୃକ୍ତ ମହିଳାଙ୍କୁ ଭେଟିବା ପାଇଁ ଯାଇଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ସେବେଠାରୁ ଲିଟୁନା ଫେରାର ଥିବା ବେଳେ ପୁଲିସ ତାର ଟେର ପାଇ ପାରୁନଥିଲା। ସେମାନଙ୍କୁ ଧରିବାକୁ ଆଠଗଡ଼ ପୋଲିସ ପକ୍ଷରୁ ଉପନିରୀକ୍ଷକ ବିଶ୍ଵଜିତ ଜେନାଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଲିଟୁନାକୁ ଫୋନ୍ ଟ୍ରାକ ଓ ଅନ୍ୟ ଉପାୟରେ ଠାବ କରିବାକୁ ଉଦ୍ୟମ କରିବା ବେଳେ ସେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ଅଞ୍ଚଳରେ ରହି ଶେଷରେ ବରଗଡ଼ ଜିଲ୍ଲାର ପଦ୍ମପୁର ଅଞ୍ଚଳରେ ଥିବା ଜଣାପଡିଥିଲା । ଅଭିଯୁକ୍ତ ସଦାନନ୍ଦ ଦାସ ଓରଫ୍ ଲିଟୁନା ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ପୁଲିସ ତାଙ୍କଠାରୁ ଗୋଟିଏ ପିସ୍ତଲ, ଦୁଇଟି ମାଗାଜିନ୍, ୨୪ ଟି ଜୀବନ୍ତ ଗୁଳି, ୩୬ ଟି ଖୋକା, ୫ହଜାର ଟଙ୍କା, ଓ ମୋବାଇଲ ସହିତ ପୁଲିସକୁ ଚକମା ଦେବାକୁ ସେ ବିଭିନ୍ନ ସମୟରେ ବ୍ୟବହାର କରୁଥିବା ଅନେକ ସିମ ଜବତ କରିଛି। ଲିଟୁନା ଗିରଫ ହେବା ପରେ ଆଠଗଡ଼ ପୁଲିସ ମାଜିଷ୍ଟ୍ରେଟଙ୍କ ସହାୟତା ରେ ତାର ଘର, ଗ୍ୟାରେଜ ଆଦି ତଲାସୀ ନେଇ ଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ତିଗିରିଆ ଥାନା ହରିଡାପଶିର ମୁଳ ବାସିନ୍ଦା ସଦାନନ୍ଦ ନିଜ ମାମୁଁ ଘରେ ଜେନାପଦା ଦେଶ ଗ୍ରାମ ରେ ରହି ପାଠ ପଢ଼ିବା ସହିତ ସେନା ବାହିନୀ ରେ ଚାକିରି କରିଥିଲେ। ଅବସର ଗ୍ରହଣ କରିବା ପରେ ଜେନାପଦା ନିକଟ ମାରୁଗୋଠ ଛକଠାରେ ଘର କରିବା ସହିତ ଏକ ଗାଡି ସର୍ଭିସିଂ ସେଣ୍ଟର ଏବଂ ଗ୍ୟାରେଜ କରିଥିଲେ। ଆଜି ଆଠଗଡ଼ ପୁଲିସ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ତଥା ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଜୟ କୁମାର ବିଶି, ଆଠଗଡ଼ ଥାନା ଆଇଆଇସି ବାମଦେବ ସ୍ଵାଇଁ, ଉପନିରୀକ୍ଷକ ବିଶ୍ଵଜିତ ଜେନା ପ୍ରମୁଖ ଉପସ୍ଥିତ ରହି ଘଟଣା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।

Comments are closed.