ସମ୍ବଲପୁର: ବିଶ୍ବ ଶାନ୍ତି ଓ ଜଗତ କଲ୍ୟାଣ ତଥା ସମସ୍ତଙ୍କ ସୁଖ ଶାନ୍ତି ବୃଦ୍ଧି ପାଇଁ ସମ୍ବଲପୁର କେନଘାଟି ସ୍ଥିତ ଶ୍ରୀରାମ ବାଟିକାରେ ମହାରୁଦ୍ରାଭିଷେକ ଅନୁଷ୍ଠିତ ହୋଇଛି। ସମାଜସେବୀ ଶତ୍ରୁଘନ ଲାଲ ସାହା ଓ ନାତି ଆୟୁଷ ସାହା ସମସ୍ତ ପୂଜା କର୍ମ କରିଥିଲେ। କୁନ୍ତରା ସ୍ଥିତ ପ୍ରାକୃତିକ ଚିକିତ୍ସାଳୟ ଓ ଯୋଗ ଅନୁସନ୍ଧାନ କେନ୍ଦ୍ର ର ୫୦ ରୁ ଊର୍ଦ୍ଧ୍ବ ଶିଷ୍ୟ ଓ ଆଚାର୍ଯ୍ୟ ଏହି ରୁଦ୍ରାଭିଷେକର ସାମୁହିକ ବେଦ ମନ୍ତ୍ର ପାଠ କରିଥିଲେ। କୁନ୍ତରା ‘ଋଷିକୂଳ ସେବାଶ୍ରମ ଟ୍ରଷ୍ଟର ମୁଖ୍ୟ ଜିବନଜ୍ୟୋତି ମହାରାଜଙ୍କ ସମସ୍ତ ଶିଷ୍ୟ ଓ ଆଚାର୍ଯ୍ୟ ମାନଙ୍କୁ ଚନ୍ଦନ ସିନ୍ଦୂର ସହ ନବବସ୍ତ୍ର ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା।
ଶ୍ରୀରାମ ବାଟିକା ପରିସରରେ ରୁଦ୍ରାଭିଷେକ ପାଈଁ ସ୍ବତନ୍ତ୍ର ଭାବେ ଏକ ଯଜ୍ଞ ସ୍ଥଳୀ ନିର୍ମାଣ କରାଯାଇଥିଲା। ବେଦମନ୍ତ୍ର ପାଠ ମଧ୍ୟରେ ମହା ମୃତ୍ୟୁଞ୍ଜୟ ଜପ ପରିବେଶକୁ ଭକ୍ତିମୟ କରିଥିଲା। ପାଖ ଆଖର ସାଧୁସନ୍ଥ ଓ ମଠ ମହନ୍ତ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଶିକ୍ଷାବିତ ବିପିନ ନନ୍ଦ, ବିଶ୍ବରଂଜନ ପୁଝାରୀ, ଡ. ପ୍ରମୋଦ ରଥ, ସାବିତ୍ରୀ ପଟ୍ଟନାୟକ ସହ ସ୍ଥାନୀୟ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଏହି ବିଶିଷ୍ଠ ପୂଜାରେ ଯୋଗ ଦେଇଥିଲେ। ସମସ୍ତେ ଯେପରି ଈଶ୍ବରଙ୍କ ଆଶ୍ରିତ ହେବେ ଓ ପରସ୍ପର ମଧ୍ୟରେ ସୁ -ସମ୍ପର୍କ ରଖିବେ, ବିଶ୍ୱ ଶାନ୍ତି ସ୍ଥାପନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରେ ଏହି ମହାରୁଦ୍ରାଭିଷେକ ର ଆୟୋଜନ କରାଯାଇଛି ବୋଲି ଆୟୋଜକ ସିଦ୍ଧାର୍ଥ ସାହା କହିଛନ୍ତି।



