ଆରଡି: ଆସନ୍ତା ସୋମବାରରୁ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବେ ହଜାରହଜାର କାଉଡିଆ ଭକ୍ତ। ଏଥିପାଇଁ ପୀଠରେ କିପରି ଚାଲିଛି ପ୍ରସ୍ତୁତି ତାର ସ୍ଥିତି ପରଖିବା ପାଇଁ ଶୁକ୍ରବାର ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ଟ୍ରଷ୍ଟି ସୌରଭ ଚକ୍ରବର୍ତ୍ତି, ଏସପି ମନୋଜ ରାଉତ, ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ପହଁଚି ମନ୍ଦିର ଭିତର ଓ ବାହାର ବେଢା ବୁଲି ଦେଖିବା ସହ ଶୃଙ୍ଖଳିତ ଜଳଲାଗି ପାଇଁ ବ୍ୟାରିକେଡ ବ୍ୟାବସ୍ଥା ଆଦି ବୁଲି ଦେଖିଥିଲେ।
ଏଥିସହ ପୀଠରେ ଶ୍ରାବଣୀଯାତ୍ରା ନିମନ୍ତେ ପ୍ରତି ରବିବାର ଓ ସୋମବାର ୨୪ ଘଣ୍ଟିଆ ପାନୀୟଜଳ ବ୍ୟାବସ୍ଥା ସହ ସ୍ୱାସ୍ଥ୍ୟ ଓ ବିଦ୍ୟୁତ ଯୋଗାଣ ନିମନ୍ତେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିବା ଉପଜିଲାପିଳ ଶ୍ରୀ ଚକ୍ରବର୍ତ୍ତୀ। ସେହିପରି ପୀଠରେ ଆଇନଶୃଙ୍ଖଳା ସହ ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟାବସ୍ଥା ସହ ଭିଡ ନିୟନ୍ତ୍ରଣ ପାଇଁ ୧୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ରହିବେ ବୋଲି ଅତିରିକ୍ତ ଏସପି ଶ୍ରୀ ଦ୍ୱିବେଦୀ କହିଛନ୍ତି। ନଦୀଘାଟର ଉଭୟ ପାର୍ଶ୍ବରେ ପୁଲିସ ବିଭାଗ ସହ ଅଗ୍ନୀଶମ ବାହିନୀ ନିୟୋଜିତ ରହିବେ। ଏପରିକି ଡଙ୍ଗାରେ ଯେପରି ଅଧିକ ସଂଖ୍ୟକ କାଉଡିଆଭକ୍ତ ପାରି ନହେବେ ସେଥିପାଇଁ କଡା ନଜର ରଖିବ ପୁଲିସ। ଏପରିକି ପୀଠରେ ଥିବା ବୈତରଣୀ ଓ ସାଳନ୍ଦୀନଦୀର ୩ଟି ନଦୀଘାଟରେ ଓଡ୍ରାଫ ବାହିନୀ ପଇଁତରା ମାରିବା ସହ ସନ୍ଧ୍ୟାରୁ ସକାଳ ଯାଏଁ ରାତ୍ରକାଳିନ ଜଳଯାତ୍ରା ସେବା ବନ୍ଦ ରହିବ। ଅନ୍ୟପଟେ ଭଦ୍ରକ-ଆଖଣ୍ଡଳମଣି, ଯାଜପୁର, ଧାନଖଣିଆ ଆଦି ରାସ୍ତାରେ ପୁଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ। ଏପଟେ ଶ୍ରାବଣୀମହାଦେବଙ୍କ ଉପରେ ଯେପରି ଶୃଙ୍ଖଳିତ ଭାବେ କାଉଡିଆ ଭକ୍ତ ଜଳଲାଗି କରିବେ ସେଥିପାଇଁ ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା ସହିତ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଉଛି। ହେଲେ ଭଦ୍ରକ-ଆଖଣ୍ଡଳମଣି ମୁଖ୍ୟ ରାସ୍ତା ସହ ପୀଠକୁ ସଂଯୋଗ କରୁଥିବା ରାସ୍ତା ଗୁଡିକର ମରାମତି କରାଯାଇନଥିବାରୁ ପୂର୍ବପରି ଖାଲଖମା ହୋଇ ପଡି ରହିଛି।



