ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ତତ୍କାଳୀନ ସରକାର ପାଇଲଟ ପ୍ରକଳ୍ପ ଭାବେ ୨୦୧୬ରେ ପଞ୍ଚାୟତରାଜ ବିଭାଗ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ଠିକା ସଂସ୍ଥାକୁ ସତ୍ୟବାଦୀ ବ୍ଲକର ବଳପୁର ପଞ୍ଚାୟତର ବିଭୁତି ବାଟିକା ଠାରେ ପାଇଲଟ ପ୍ରୋଜେକ୍ଟ ଭାବେ ବସୁଧା ଯୋଜନା ମାଧ୍ୟମରେ ଉକ୍ତ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରିବା ପାଇଁ କାର୍ଯ୍ୟାଦେଶ ଦେଇଥିଲେ। ଏହି ପ୍ରକଳ୍ପ ଆରମ୍ଭ ୨୦୧୬ରେ ହୋଇଥିଲା ବେଳେ ସରିବା ଅବଧି ୨୦୧୮/୧୯ ବର୍ଷ ଥିଲା। ବିଭାଗୀୟ ସୂଚନା ଅନୁସାରେ ୨୦୨୫ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରକଳ୍ପର ୩୦ ପ୍ରତିଶତ କାମ ବାକି ରହିଥିଲା। ବର୍ତ୍ତମାନ ମଧ୍ୟ ସ୍ଥିତି ସେହିପରି ରହିଛି। ଏ ପର୍ଯ୍ୟନ୍ତ ମାତ୍ର ୨୧ ଗୋଟି ଗ୍ରାମବାସୀଙ୍କ ପାଖରେ ପାନୀୟ ଜଳ ପହଞ୍ଚିଚି ।
ଆଶ୍ଚର୍ଯ୍ୟ କଥା ହେଉଛି ନିର୍ମାଣ ସମୟରେ ନିର୍ମାଣ ପ୍ରକଳ୍ପରେ ଲାଗିଥିବା ମୋଟର, ପାଇପ ଓ ଅନ୍ୟ ଯନ୍ତ୍ରାଂଶର କାର୍ଯ୍ୟ ଦକ୍ଷତାକୁ ଲକ୍ଷ୍ୟ ନ କରି ପ୍ରତ୍ୟେକ ସମୟରେ ବିଭାଗ ଦ୍ଵାରା ବାରମ୍ବାର ଡିପିଆର ପରିବର୍ତ୍ତନ କରାଯାଉଥିବାରୁ ମୂଳ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। କ୍ଷମତା ଠାରୁ ଏବେ ଶତ ପ୍ରତିଶତ ଅଧିକ ଲୋଡ଼ ରହିବା ଦ୍ୱାରା ପ୍ରକଳ୍ପର କାର୍ଯ୍ୟ କ୍ଷମତା ପ୍ରଭାବିତ ହେଉଛି ବୋଲି ପ୍ରକଳ୍ପ ଦାୟିତ୍ୱରେ ରହିଥିବା କର୍ମଚାରୀ ସରୋଜ କୁମାର ପଣ୍ଡା ପ୍ରକାଶ କରିଥିଲେ। ସଠିକ ନିରୀକ୍ଷଣ ନ କରି ସ୍ଥାନୀୟ ଜନସାଧାରଣଙ୍କୁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଭୁଆଁ ବୁଲାଉଛି।
ଅନ୍ୟ ପଟେ ଠିକା ସଂସ୍ଥାର ଅନ୍ୟୁନ ୪କୋଟି ଟଙ୍କାର ବକେୟା ଅର୍ଥ ବିଭାଗ ପ୍ରଦାନ କରୁନଥିବାରୁ ଏହାର କାର୍ଯ୍ୟ ସଠିକ ପରିଚାଳନା ହୋଇପାରୁନାହିଁ। ଭାର୍ଗବୀ ନଦୀରୁ ପ୍ରକଳ୍ପ ମଧ୍ୟକୁ ଯେଉଁ ମୁଖ୍ୟ ପାଇପ ଦ୍ୱାରା ପାନୀୟ ଜଳ ଆସୁଛି ସେଠାରେ ଉପଯୁକ୍ତ ଚ୍ୟାନେଲ ପ୍ରସ୍ତୁତ ଓ ୱାଲ ପ୍ରସ୍ତୁତ ନହେବା କାରଣରୁ ଅଧିକାଂଶ ସମୟରେ ନଦୀ ଶଯ୍ୟାର ବାଲି ମୁଖ୍ୟ ପାଇପ ପର୍ଯ୍ୟନ୍ତ ଆସି ଜଳ ଯୋଗାଣରେ ପ୍ରତିବନ୍ଧକ ସୃଷ୍ଟି କରୁଛି ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ଏ ସବୁ ପଞ୍ଚାୟତରେ ଠିକା ସଂସ୍ଥା ଦୀର୍ଘ ଏକ ବର୍ଷ ହେବ ମୁଖ୍ୟ ପାଇପ ଲାଇନ ପକାଇ ସାରିଥିବା ବେଳେ ମୁଖ୍ୟ ପାଇପ ଲାଇନରୁ ସଂଯୁକ୍ତ ଗ୍ରାମ ଗୁଡିକର ପ୍ରତି ଘରକୁ ପଏଣ୍ଟ ସଂଯୋଗ କରିଛିl ମାତ୍ର ଏଥିରେ ପାଣି ନ ଆସିବାରୁ ଏହା ମଧ୍ୟ ନଷ୍ଟ ହେବାକୁ ବସିଲାଣି। ଏ ସମ୍ପର୍କରେ ବିଭାଗର ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଅଭିମନ୍ୟୁ ବାରିକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ବିଭାଗ ସବୁ ସମୟରେ ତାଙ୍କୁ ସହଯୋଗ କରୁଛି। କିନ୍ତୁ ଠିକା ସଂସ୍ଥା ତାଙ୍କ ବିଭାଗକୁ ସହଯୋଗ କରୁନାହାନ୍ତି। ଅନ୍ୟପକ୍ଷରେ ଏହି ପ୍ରକଳ୍ପ ଅନୁଧ୍ୟାନ ନିମନ୍ତେ ପୁରୀ ଜିଲ୍ଲାପାଳ ପ୍ରତ୍ୟେକ ସମୟରେ ମନିଟରିଂ କରିବା ସହ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କେଉଁ ଉଦ୍ଦେଶ୍ୟ ରଖି ଏଭଳି ମୁଖ୍ୟ ପ୍ରସଙ୍ଗ ଉପରେ ଅଣ ଦେଖା କରୁଛନ୍ତି ତାହା ଅଞ୍ଚଳବାସୀଙ୍କ ମଧ୍ୟରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି।
ଏହି ସମସ୍ୟା ସମ୍ପର୍କରେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଥିଲେ, ଠିକା ସଂସ୍ଥା ଓ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।



