ଆଠଗଡ: ଆଠଗଡର ଏକ ନିଆରା ପରମ୍ପରା ଅନୁଯାଇ ବଡ ଏକାଦଶୀରେ ରଥାରୂଢ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଦର୍ଶନ କଲେ ହନୁମାନ। ଏହି ପରମ୍ପରାକୁ ଚାନ୍ଦବାଲି ଛକସ୍ଥିତ ହନୁମାନ ମନ୍ଦିରର ପ୍ରତିଷ୍ଠାତା, ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ସମାଜର ପୂର୍ବତନ ସମ୍ପାଦକ ସ୍ୱର୍ଗତ ନିରଞ୍ଜନ ରଥ ବହୁ ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ। ଗତ ଜୁନ ୧୯ ତାରିଖରେ ଶ୍ରୀ ରଥଙ୍କର ପରଲୋକ ହୋଇଯାଇଥିଲେ ମଧ୍ୟ ତାଙ୍କ ଦ୍ବାରା ପ୍ରତିଷ୍ଠିତ ପରମ୍ପରାକୁ ମନ୍ଦିର ପରିଚାଳନା କମିଟି ବଜାୟ ରଖଛନ୍ତି । ରବିବାର ସନ୍ଧ୍ୟାରେ ଶ୍ରୀ ହନୁମାନଙ୍କ ଚଳନ୍ତି ପ୍ରତିମାକୁ ସୁସଜ୍ଜିତ ବିମାନରୂଢ କରାଇ ଏକ ଶୋଭାଯାତ୍ରାରେ ରଥ ନିକଟକୁ ନିଆଯାଇଥିଲା। ସେଠାରେ ଶ୍ରୀ ହନୁମାନଙ୍କୁ ରଥ ଉପରେ ଉପବିଷ୍ଟ ସୁବର୍ଣ୍ଣ ମଣ୍ଡିତ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଦର୍ଶନ କରାଇବା ସହ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥିଲା ।
ଭକ୍ତ ଓ ଭଗବାନଙ୍କ ଏହି ଅପୂର୍ବ ମିଳନକୁ ଶହ ଶହ ଶ୍ରଦ୍ଧାଳୁ ଦେଖିବା ବେଳେ ଭାବବିହ୍ବଳ ହୋଇପଡିଥିଲେ। ହନୁମାନ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁବାସ ରାଉତ, ମନ୍ଦିର ପୂଜକ ଦେବ ପ୍ରସାଦ ମହାପାତ୍ରଙ୍କ ସମେତ ଅନ୍ୟ ସମସ୍ତ ସଭ୍ୟ ହନୁମାନଙ୍କ ବିମାନ କାନ୍ଧେଇ ନେବା ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।



