ରଣପୁରଗଡ: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ରଣପୁର ନବ ଦିନାତ୍ମକ ଘୋଷଯାତ୍ରା ବାହୁଡ଼ା ତୃତୀୟ ଦିବସରେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାହୁଡ଼ା ଦିନ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଶ୍ରୀମନ୍ଦିର ଖଳାରେ ପହଞ୍ଚି ଥିଲା। ତୃତୀୟ ଦିନରେ ଦେବଦଳନ ରଥକୁ ମହିଳାମାନେ ଟାଣିନେଇ ରଥ ଖଳାରେ ଲଗାଇଥିଲେ। ପରେ ପରେ ନନ୍ଦିଘୋଷ ରଥକୁ ଭକ୍ତମାନେ ରଥଖଳାକୁ ଟାଣି ନେଇଥିଲେ। ଖବର ପାଇ ଅଭିମାନିନୀ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଛତିଶା ନିଯୋଗରେ ଚୈ। ଦୋଳ ବିମାନରେ ଆସି ରଥରେ ଥିବା ମହାବାହୁଙ୍କୁ ଭେଟିଥିଲେ। ଏହି ଲକ୍ଷ୍ମୀ ନାରାୟଣ ଭେଟ୍ଟ ଦେଖିବାକୁ ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିଲା।
ଆଜି ପ୍ରଭୁ ନିଳାଦ୍ରୀ ବିଜେ କରିବେ। ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ସର୍ଭଦମନ, ମନ୍ଦିର ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ସେବାୟତ ମାନଙ୍କ ସହଯୋଗରେ ସବୁ ବିଧି ବ୍ୟବସ୍ଥାକୁ ଶୃଙ୍ଖଳିତ କରିଥିଲେ। ଶରଣକୁଳ ଉପଖଣ୍ଡୀୟ ପୋଲିସ ଅଧିକାରୀ ଦିପ୍ତୀକାନ୍ତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରଣପୁର ଥାନା ନିରୀକ୍ଷକ ଆଶିଷଦେବ ସାହୁ ଓ ଚାନ୍ଦପୁର ଥାନା ନିରୀକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ ଓ ଉଭୟ ଥାନାର ପୋଲିସ ବାହିନୀ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ବମ୍ବର ମହାପାତ୍ର, ଅଧକ୍ଷା ରଙ୍ଗୀନ ମହାନ୍ତି ଆଦି ତହସିଲର କର୍ମଚାରୀ ମାନେ ସହଯୋଗ କରିଥିଲେ।


