ସମ୍ବଲପୁର: ସମ୍ବଲପୁରର ଦୁର୍ଗାପାଲି ଦେଇ ଯାଇଥିବା ରେଳପଥ ଉପରେ ନିର୍ମିତ ଓଭର ବ୍ରିଜକୁ ଗତ ମେ ୨୫ ତାରିଖରେ ଧୁମଧାମରେ ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦଘାଟିତ କରାଯାଇଥିଲା । ପ୍ରଥମରୁ ହିଁ ଏହି ବ୍ରିଜର ସ୍ଥାୟିତ୍ୱ ଓ ନିର୍ମାଣ ଉପରେ ପ୍ରଶ୍ନ ଉଠି ଆସୁଥିବା ବେଳେ ଦୀର୍ଘ ୬ ବର୍ଷ ଧରି ନିର୍ମାଣ ଏବଂ ୬୦ କୋଟି ୪୩ ଲକ୍ଷ ୭୮ ହଜାର ଟଙ୍କାରେ ଏହାର ନିର୍ମାଣ ସମ୍ପନ୍ନ ହୋଇଥିଲା। ଜନତାଙ୍କ ଦ୍ୱାରା ଉଠାଯାଉଥିବା ପ୍ରଶ୍ନ ସତ୍ୟରେ ପରିଣତ ହୋଇଥିଲା ଏବଂ ବ୍ରିଜ ଉଦଘାଟନର ୨୪ ଘଣ୍ଟା ନ ପୂରୁଣୁ ବ୍ରିଜରେ ବଡ ଗର୍ତ୍ତ ହୋଇଯାଇଥିଲା । ଉଦଘାଟନର ପରଦିନ ସକାଳ ସମୟରେ ଘଟଣା ଜଣାପଡିବା ପରେ ତୁରନ୍ତ ତରବରିଆ ଭାବରେ ଉକ୍ତ ଖାଲକୁ ମରାମତି କରାଯାଇଥିବା ବେଳେ ଗତ ୩ ତାରିଖରେ ପୁନଃ ଏକ ବିରାଟ ଖାଲ ସୃଷ୍ଟି ହୋଇଥିଲା। ଏହି ଖାଲକୁ ପୋତିବାର କିଛି ସମୟ ପରେ ସେହି ଦିନ ରାତ୍ରିରେ ଅନ୍ୟ ଏକ ସ୍ଥାନରେ ଏକ ୧୪ ଚକିଆ ଭାରି ମାଲବାହୀ ଟ୍ରକ ଧସି ଯିବାରୁ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ବ୍ରିଜରେ ବାରମ୍ବାର ଖାଲ ଓ ବଡ ବଡ ଗର୍ତ୍ତ ସୃଷ୍ଟି ହେଉଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବାରଣ ଖେଳି ଯାଇଥିବା ବେଳେ ଏହି ବ୍ରିଜ ଉପରେ ଯାତାୟାତ କରିବା ମାନେ ଜୀବନକୁ ବାଜି ଲଗାଇ ଯାତ୍ରା କରିବାକୁ ହେଉଛି ବୋଲି ଜନତା ମତ ଦେଇ ଆସୁଛନ୍ତି ।
କିନ୍ତୁ ପ୍ରଶାସନ ଜନତାଙ୍କ ଅଭିଯୋଗକୁ ହେୟ ଜ୍ଞାନ କରି ଆସୁଥିବା ଏବଂ ବିଗତ ୧୦ ଦିନରୁ ଅଧିକ ହେବ ନିରନ୍ତର ବର୍ଷା ଲାଗି ରହିଥିବାରୁ ଏହି ବ୍ରିଜ ଉପରେ ଯାତାୟାତ କରିବା ଏବେ ବିପଜ୍ଜନକ ହୋଇପଡିଛି । ରବିବାର ରାତ୍ରିରେ ପ୍ରବଳ ବର୍ଷା ହେବା ପରେ ପୁନଃ ବ୍ରିଜରେ ୪ଟି ସ୍ଥାନରେ ବଡ ବଡ ଗର୍ତ୍ତ ସୃଷ୍ଟି ହୋଇଛି। ସବୁଠାରୁ ବଡ ବିଷୟ ହୋଇଛି ଯେ, ଯେଉଁ ସ୍ଥାନରେ ଗର୍ତ୍ତ ହୋଇଛି, ସେହି ସ୍ଥାନରେ ପୂର୍ବରୁ ମଧ୍ୟ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ ତାକୁ ମରାମତି ମଧ୍ୟ କରାଯାଇଥିଲା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ବ୍ରିଜ ନିର୍ମାଣରେ ବହୁ ଦୁର୍ନୀତି କରାଯାଇ ନିମ୍ନମାନର କାମ କରାଯାଇ ଜନତାଙ୍କ ସୁରକ୍ଷାକୁ ବାଜିରେ ଲଗାଇ ଦିଆଯାଇଛି । ସୁଚନାଯୋଗ୍ୟ, ଏହି ବ୍ରିଜ ଉଦଘାଟନ ସମୟରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ଅନ୍ୟ ଅତିଥି ମାନଙ୍କ ଉପସ୍ଥିତ ରହିଥିଲେ । ଆରମ୍ଭରୁ ହିଁ ଏହି ବ୍ରିଜ ନିର୍ମାଣରେ ଅହେତୁକ ଠିକାଦାର ଅନୁକମ୍ପା, ଅତି ନିମ୍ନ ମାନର କାର୍ଯ୍ୟର ଅଭିଯୋଗ ହୋଇ ଆସୁଥିବା ବେଳେ ଏଥି ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି । ପ୍ରଥମରୁ ହିଁ ଏହି ବ୍ରିଜର ସ୍ଥାୟିତ୍ୱ ଓ ନିର୍ମାଣ ଉପରେ ପ୍ରଶ୍ନ ଉଠୁଥିବା ବେଳେ ଏହି ବ୍ରିଜ ସମ୍ପର୍କରେ ଜଣେ ସୂଚନା କର୍ମୀ ବିଗତ ମାସ ତଥ୍ୟ ମାଗିଥିବା ବେଳେ ବିଭାଗ ପକ୍ଷରୁ ଅଜବ ଉତ୍ତର ଦିଆଯାଇଥିଲା। କୌଣସି ତଥ୍ୟ ନ ଦେଇ ଲୁଚାଇ ଦିଆଯାଇଛି । ଏଣୁ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତର ଆବଶ୍ୟକତା ରହିଥିବା ବେଳେ ନିର୍ମାଣ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀ ଓ ଠିକାଦାର ଉପରେ ଦୃଷ୍ଟାନ୍ତ ମୂଳକ କଡା ଦଣ୍ଡ ବିଧାନ କରିବାକୁ ଜନତା ଦାବି କରୁଛନ୍ତି।



