www.samajalive.in
Sunday, December 14, 2025
23.1 C
Bhubaneswar

ଶୀତଳଷଷ୍ଠୀ ଉତ୍ସବ ସମୟରେ ଶତାଧିକ ମୋବାଇଲ ଚୋରି

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଉତ୍ସବ ସମୟରେ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାର ଶତ ଦାବି ସତ୍ୱେ ଶତାଧିକ ମୋବାଇଲ ସମେତ ପର୍ସ, ସୁନାଗହଣା ସମେତ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଗୁଡିକ ଚୋରି ହୋଇଯାଇଥିବାର ଜଣା ପଡ଼ିଛି। ଅପରପକ୍ଷରେ ପୁଲିସ ଚତୁରତା ସହିତ ନିଜ ଦୁର୍ବଳତାକୁ ଏଡାଇବା ପାଇଁ ମାମଲା ଗୁଡିକୁ ଜିଡି (ଜେନେରାଲ ଡାଏରୀ)ରେ ଲିଖିତ ରଖି ପିଡିତ ମାନଙ୍କୁ ଭୁଲାଇ ଦେଇଛି। ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ, ଜେନେରାଲ ଡାଏରୀ ବ୍ୟବସ୍ଥାରେ ଥାନା ସହିତ ସଂପୃକ୍ତ ସମସ୍ତ ଗତିବିଧି ଯେପରିକି ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଯିବା ଆସିବା ସମୟ, ଥାନାକୁ ଆସୁଥିବା ସମସ୍ତ ପ୍ରକାରର ଅଭିଯୋଗ, ଅପରାଧ ଅଭିଯୋଗ ଆଦି ଗୁଡିକ ଲେଖାଯାଇ ରେକର୍ଡ କରାଯାଇଥାଏ। ଏହି ରେକର୍ଡ ପୁଲିସର ଇନ୍ଟରନାଲ (ନିଜସ୍ୱ) ରେକର୍ଡ ହୋଇଥିବାରୁ ଯଦି ଆବଶ୍ୟକ ହୁଏ, ତାହା ହେଲେ ତାକୁ ମାଜିଷ୍ଟ୍ରେଟ କିମ୍ବା ଉପରିସ୍ଥ ଅଧିକାରୀ ଯାଞ୍ଚ କରିପାରିବେ। କିନ୍ତୁ ଏହାକୁ ସାର୍ବାଜନୀନ କରାଯାଇ ନ ଥାଏ କି ଏଥିରେ ଲିଖିତ ଅଭିଯୋଗ ପାଇଁ କୌଣସି ନକଲ ପିଡିତକୁ ସାଧାରଣତଃ ଦିଆଯାଇ ନ ଥାଏ। କିନ୍ତୁ ଯଦି ଏଫଆଇର ରୂପେ ମାମଲା ଦର୍ଜ ହୁଏ, ତାହା ହେଲେ ତାହାର ଏକ ନକଲ ପିଡିତକୁ ଦିଆଯିବା ସହିତ ଉକ୍ତ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ମାଜିଷ୍ଟ୍ରେଟ, ଉପରିସ୍ଥ ଅଧିକାରୀ ଆଦି ସହିତ ତଥ୍ୟ ଗୁଡିକୁ ସାର୍ବଜନୀନ କରାଯାଇଥାଏ।

ବିଗତ ଦିନରେ ସମ୍ବଲପୁରର ବିଭିନ୍ନ ଥାନା ଅଞ୍ଚଳ ଗୁଡିକରେ ହୋଇଥିବା ଶୀତଳଷଷ୍ଠୀ ଉତ୍ସବରେ ସାମିଲ ହୋଇଥିବା ଶତାଧିକ ଜନତାଙ୍କ ଦାମିକିଆ ମୋବାଇଲ ସହିତ ସୁନାଗହଣା ସମେତ ବିଭିନ୍ନ ମୁଲ୍ୟବାନ ସାମଗ୍ରୀ ଗୁଡିକ ଚୋରି ହୋଇଛି। ଯଦି ମାତ୍ର ୩ ଦିନର ମୁଖ୍ୟ ଉତ୍ସବ ସମୟରେ ଯଦି ଏକ ସାଥିରେ ଶତାଧିକ ମାମଲା ରୁଜୁ ହେବ, ତାହା ହେଲେ ସମ୍ବଲପୁର ସହରରେ ଥିବା ଥାନା ଗୁଡିକ ଦୁର୍ବଳ ମୁଖା ଖୋଲିଯିବା ସହିତ ସରକାରଙ୍କ ନଜରକୁ ମଧ୍ୟ ଏହା ଆସି ଗଲେ ଉଚ୍ଚସ୍ତରୀୟ ତଦନ୍ତ ସମ୍ଭାବନା ରହିଛି। ଏଥି ସହ ତଳୁ ନେଇ ଉପର ସ୍ତର ପର୍ଯ୍ୟନ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନର ଭୟ ତଥା ସରକାରଙ୍କ ଭାବମୂର୍ତ୍ତି ମଳୀନ ହେଉବାର ଆଶଙ୍କା ରହିଛି। ଏଣୁ ଚତୁରତାର ସହିତ ପୁଲିସ ଥାନା ମାନଙ୍କୁ ଆସିଥିବା ମାମଲା ଗୁଡିକୁ ଏଫଆଇର ନ କରି ଜିଡି ମାମଲା ରୂପେ ଗ୍ରହଣ କରି ପିଡିତ ମାନଙ୍କୁ ଫୋନ ଓ ଅନ୍ୟାନ୍ୟ ଚୋରି ସାମଗ୍ରୀ ମିଳିଯିବ କହି ବିଭିନ୍ନ ଆଳ ଦେଖାଇ ଭୁଲାଇ ଘରକୁ ପଠାଇ ଦେଇଛି। ଏବେ କେବଳ ଟାଉନ ଥାନାରେ କେବଳ ଶତାଧିକ ମୋବାଇଲ ଚୋରିର ଅଭିଯୋଗ ହୋଇଥିବାର କୁହାଯାଉଥିବା ବେଳେ ସହରର ବାକି ଥାନା ଅଞ୍ଚଳ ଯଥା କ୍ଷେତରାଜପୁର, ବରେଇପାଲି, ଅଇଁଠାପାଲି, ଧନୁପାଲି, ସଦର ଥାନା ଅଞ୍ଚଳ ଗୁଡିକୁ ମିଶାଇଲେ, ଏହି ସଂଖ୍ୟା ଅତି କମରେ ୨ ଶହରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଉଛି। ଏବେ ସବୁ ଥାନାରେ ଲମ୍ବା ଲମ୍ବା ମୋବାଇଲ ଚୋରିର ସୂଚୀ କରାଯାଇ ସେଗୁଡିକୁ ଠାବ କରିବା ପାଇଁ ସାଇବର ସେଲକୁ ଦିଆଯାଇଛି। ତେବେ ସମ୍ବଲପୁରର ସାଇବର ଥାନା ଓ ସେଲ ରେ ପୁର୍ବରୁ ଦର୍ଜ ହୋଇଥିବା ବଡ ବଡ ଠକେଇ ମାମଲା ଗୁଡିକ ସମାଧାନ କରାଯାଇ ନ ଥିବା ବେଳେ ସାଧାରଣ ମୋବାଇଲ ଚୋରି ଗୁଡିକ ଠାବ କରିବା କେତେ ଦୂର କାର୍ଯ୍ୟକରୀ ହେବ, ତାହା ସହଜେ ଅନୁମେୟ। ଅପରପକ୍ଷରେ ପୁଲିସର ଚତୁରତାକୁ ଜାଣି ନ ପାରି ଚୋରି ସାମଗ୍ରୀ ଗୁଡିକ ମିଳି ଯିବ ବୋଲି ଆଶା କରି ପିଡିତ ମାନେ ଥାନା ମାନଙ୍କରେ ଅଭିଯୋଗ ପତ୍ର ଗୁଡିକୁ ଦେଇ କାନମୁଣ୍ଡା ଆଉଁସି ଫେରିଛନ୍ତି ଏବଂ ଚାତକ ପକ୍ଷୀ ଭଳି ଚୋରି ସାମଗ୍ରୀ ମିଳିବାର ଆଶାରେ ରହିଛନ୍ତି। କିନ୍ତୁ ନିଷ୍କ୍ରିୟ ସମ୍ବଲପୁର ପୁଲିସର ଯାହା ପୁର୍ବ ଟ୍ରାକ ରେକର୍ଡ ରହିଛି, ସେଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି, ପୁଲିସ କୌଣସି ଚୋରି ସାମଗ୍ରୀ ଉଦ୍ଧାର କିମ୍ବା କୌଣସି ଚୋରକୁ ଧରି ପାରିବ ନାହିଁ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories