ସମ୍ବଲପୁରରେ ରହିଛି ଦୁଇଟି ଦାମୀ ପ୍ଲଟ୍
ସାଙ୍ଗ ନାମରେ ଖୋଲିଛନ୍ତି ବେନାମୀ ଆକାଉଣ୍ଟ
୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଓ ଇନସ୍ୟୁରାନ୍ସ, ସେୟାର ମାର୍କେଟ
୧୦୦ ଗ୍ରାମର ସୁନା ଅଳଙ୍କାର ଠାବ
ରାୟଗଡ଼ା: ରାୟଗଡ଼ା ଜନସ୍ବାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନଙ୍କ ରାୟଗଡା ଓ ନିଜ ଘର ସମ୍ବଲପୁରରେ ଆଜି ଦ୍ବିତୀୟ ଦିନରେ ଚଢାଉ ଚାଲିଥିଲା। ତାଙ୍କର ପ୍ରାୟ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେ ମାତ୍ର ୯ ବର୍ଷର ଚାକିରି କାଳରେ ଏତେ ଟଙ୍କା କିଭଳି ଉପାର୍ଜନ କରିଛନ୍ତି ତାହାର ଖୋଳତାଡ କରୁଛି ଭିଜିଲାନ୍ସ।
ଆଜି ନିଜ ଘର ସମ୍ବଲପୁରରେ ଭିଜିଲାନ୍ସ ଟିମ୍ ଚଢ଼ଉ କରି ତାଙ୍କର ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି। ସମ୍ବଲପୁରରେ ୨ଟି ମୂଲ୍ୟବାନ ପ୍ଲଟ୍ ରହିଥିବା ଜଣାପଡ଼ିଛି। ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ, ଇନସ୍ୟୁରାନ୍ସ ଡିପୋଜିଟ ଏବଂ ମ୍ୟୁଚୁଆଲ ଫଣ୍ଡ ଓ ସେୟାର୍ ମାର୍କେଟରେ ଟଙ୍କା ବିନିଯୋଗ କରିଥିବା ଜଣାପଡିଛି। ଏହାସହ ୧୦୦ ଗ୍ରାମର ସୁନା ଅଳଙ୍କାର, ୧୦ ଲକ୍ଷ ଟଙ୍କାର ଘରକରଣା ଜିନିଷ ଠାବ ହୋଇଛି। ଯନ୍ତ୍ରୀ ଶ୍ରୀକିଷାନ ସମ୍ବଲପୁର ଗୋଲଡ ବଜାର ଏଚଡିଏଫସି ବ୍ୟାଙ୍କରେ ଏକ ବେନାମୀ ଆକାଉଣ୍ଟ ଖୋଲିଛନ୍ତି। ସେ ଉତ୍ତରପ୍ରଦେଶର ଜଣେ ସାଙ୍ଗ ରମେଶ କୁମାରଙ୍କ ନାମରେ ଏହି ଆକାଉଣ୍ଟକୁ ନିଜେ ଚଳାଉଥିଲେ। ଆଉ ସେଥିରେ ସେ ୧୬ ଲକ୍ଷ ଟଙ୍କା ଡିପୋଜିଟ୍ କରିଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ଏହାସହ ତାଙ୍କ ସାଙ୍ଗ ରମେଶ କୁମାରଙ୍କ ନାମରେ ସେୟାର୍ ମାର୍କେଟରେ ୧୫ ଲକ୍ଷ ଟଙ୍କାର ପୁଞ୍ଜି ନିବେଶ କରିଥିବା ଜଣାପଡିଛି।
ଗତକାଲି ରାତିରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକିଷାନ ଜଣେ ଠିକାଦାରଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେଇ ସରକାରୀ ଗାଡ଼ିରେ ଅଫିସରୁ ଘରକୁ ଯିବା ବେଳେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ ଦ୍ବାରା ଧରା ପଡିଥିଲେ। ଏହାପରେ ଶିରିଗୁଡ଼ାସ୍ଥିତ ଜନସ୍ବାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ପିଏଚଡି ରୋଡସ୍ଥିତ ତାଙ୍କର ସରକାରୀ ବାସଭବନରେ ଚଢଉ କରିଥିଲା ଭିଜିଲାନ୍ସ ଟିମ। ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।
ଆଜି ଅଧିକ୍ଷଣ ଯନ୍ତ୍ରୀ ସହଦେବ କିଷାନଙ୍କୁ ଲାଞ୍ଚ ନେବା ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରି ଜୟପୁର ଭିଜିଲାନ୍ସ ଅଦାଲତକୁ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨୦୧୬ ମାର୍ଚ୍ଚ ୨୯ ତାରିଖରେ ସହକାରୀ ଯନ୍ତ୍ରୀ ଭାବେ ଚାକିରି ଆରମ୍ଭ କରିଥିଲେ। ପ୍ରଥମେ ଓଡ଼ିଶା ଓ୍ବାଟର ସ୍ବେରଜ ବୋର୍ଡ ସମ୍ବଲପୁରରେ କାମ କରିଥିଲେ। ତାପରେ ଜନସ୍ବାସ୍ଥ୍ୟ ବିଭାଗର ଭବାନୀପାଟଣା ଡିଭିଜନ ପରେ ରାୟଗଡା ଡିଭିଜନରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାମ କରିଥିଲେ। ଗତ ମାର୍ଚ୍ଚ ୧ ତାରିଖରେ ସେ ପଦୋନ୍ନତି ପାଇ ରାୟୟଗଡାରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ।



