କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ନାଗାବଳି ଓ କଲ୍ୟାଣୀ ନଦୀ ଦୁଇପାର୍ଶ୍ଵରେ ନିର୍ମାଣ ହେଉଥିବା ଡକସିଂ ପଥର ପ୍ୟାକିଂ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବ୍ଲକର ତିନୋଟି ବୁଡ଼ାଗୁଡା ପଞ୍ଚାୟତ କୁମ୍ଭାରଗୁଡା ଗ୍ରାମ, କଲ୍ୟାଣୀ ନଦୀର ବଦଦ୍ୱାରସାହି ଠାରୁ ସାନ ବ୍ରାହ୍ମଣ ସାହି ବୁଲାଣି ଓ ପୋଲ ଠାରୁ ମେଡ଼ିକାଲ ନିକଟସ୍ଥ ନାଗାବଳି ନଦୀକୂଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଆନୁମାନିକ ପ୍ରାୟ ୪କୋଟି ଟଙ୍କାରୁ ଅଧିକ ବ୍ୟୟରେ ପଥର ପ୍ୟାକିଂ କାର୍ଯ୍ୟ କରାଯାଇଛି। ଏହି କାର୍ଯ୍ୟ ଅତି ନିମ୍ନମାନର କରାଯାଇଥିବାରୁ ଅଞ୍ଚଳବାସୀ ମନରେ ପ୍ରଶ୍ନ ଉଠୁଛି। ନଦୀ କୁଳ ଖାଉଥିବାରୁ ବିଭିନ୍ନ ସମୟରେ ନଦୀ ଗ୍ରାମ ଭିତରେ ପଶିବା ସହ ଗତି ପଥ ବଦଳାଇ ଦେଉଥିବାରୁ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ଟେଣ୍ଡର ମାଧ୍ୟମରେ କରାଯାଇଥିଲେ ମଧ୍ୟ କୌଣସି ସ୍ଥାନରେ ସୂଚନା ଫଳକ ଲଗା ଯାଇନଥିବାରୁ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଠିକାଦାର ଓ ବିଭାଗୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ଚାଲିଥିବା ଅଭିଯୋଗ ହୋଇଛି।
ନଦୀକୂଳରେ ପଥର ପକାଇବା ବେଳେ ପଥର ନ ଖସିବା ପାଇଁ କୂଳରେ ତିନି ଫୁଟ ଖୋଳି ପଥର ସଜାଈ ରଖିବା କଥା କିନ୍ତୁ ସେମିତି କିଛି କରୁନାହାନ୍ତି ଠିକାଦାର ଜଣକ। ବର୍ଷା ଦିନରେ ନଦୀରେ ପାଣି ବଢ଼ିବା ପରେ ପଥର ଖସି ନଦୀରେ ଲୀନ ହୋଇଯିବ ବୋଲି ଅଞ୍ଚଳବାସି ଅଭିଯୋଗ କରିଛନ୍ତି। ସେହିପରି ପଥର ପେକିଙ୍ଗ ସମୟରେ ଭଲ ଭାବେ କାର୍ଯ୍ୟ କରୁନଥିବାରୁ ବିଭିନ୍ନ ସ୍ଥାନରେ ପଥର ଦବିଯାଇ ଭାଙ୍ଗିରୁଜି ଗଲାଣି। କେତେ ସ୍ଥାନରେ ପଥର ଗୁଡିକ ବାହାରେ ଏଣେ ତେଣେ ଫିଙ୍ଗିବା ଯୋଗୁଁ ନଦୀକୁ ଯିବା ପାଇଁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି । ବର୍ଷା କାଳ ଆସିବା ପୂର୍ବରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟ ଶେଷ ହେବା ବେଳକୁ ପଥର ଥିବ କି ନାହିଁ ତାହା ନେଇ ସନ୍ଦେହ ପ୍ରକାଶ ପାଇଛି।



