କେନ୍ଦୁଝରଗଡ଼: କେନ୍ଦୁଝର ସଦର ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଶିବିର ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୪୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଯୋଗଦେଇ ବିଭିନ୍ନ ପ୍ରକାର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ। ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ମାନସ କୁମାର ମିଶ୍ର ଯୋଗଦେଇ ବିଭିନ୍ନ ପ୍ରକାର ଟିଏଲଏମ ପ୍ରସ୍ତୁତି ସମୟରେ ବିନା ମୂଲ୍ୟ ଓ ସ୍ୱଳ୍ପ ମୂଲ୍ୟରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷକ ବିଜୟ କୁମାର ମିଶ୍ର ଏକ ଉତ୍ତମ ଶିକ୍ଷଣ ସାମଗ୍ରୀର ଗୁଣାବଳୀ ସମ୍ପର୍କରେ କହିଥିବା ବେଳେ ଶିକ୍ଷକ ସୁଧାକର କୁଅଁର ବିଭିନ୍ନ ଦକ୍ଷତା ଓ ଉପଦକ୍ଷତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ସାଧନ କର୍ମୀ ତିଳୋତ୍ତମା ସାହୁ ଏକ ସୃଜନାତ୍ମକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିର ନିୟମ ତଥା କୌଶଳ ଉପରେ ବ୍ୟାଖ୍ୟା କରିଥିଲେ। ଅନ୍ୟତମ ସାଧନ କର୍ମୀ ରାମକ୍ରିଷ୍ଣ ମହାନ୍ତ ଯୋଗଦେଇ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିର ଉପାୟ ସମ୍ପର୍କରେ ଅବଗତ କରିଥିଲେ। ଶିବିର ଦୁଇଦିନରେ ୫୦ରୁ ଊର୍ଦ୍ଧ୍ବ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରାଯାଇଥିବା ବେଳେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁର ଓ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।



