www.samajalive.in
Sunday, December 7, 2025
26.1 C
Bhubaneswar

ରାଜଧାନୀ ଦିଲ୍ଲୀରୁ ବି ଅଧିକ ଏଠି ପ୍ରଦୂଷଣର ମାତ୍ରା

ଲାଞ୍ଜିଗଡ: ଆପଣ ଦେଖୁଥିବା ଏଇ ଦୃଶ୍ୟଟି ଦେଶର ରାଜଧାନୀ ଦିଲ୍ଲୀର ନୁହେଁ। ଆପଣ ଦେଖୁଥିବା ଏଇ ଧୂଆଁଳିଆ ଦୃଶ୍ୟଟି ଧୂଆଁ ନୁହେଁ  କି କୁହୁଡି ନୁହେଁ। କିନ୍ତୁ ଦିନବେଳେ ବି ଏଇ ରାସ୍ତା ଦେଇ ଯାଉଥିବା ଲୋକେ ଅଣ ନିଶ୍ୱାସୀ ହୋଇପଡୁଛନ୍ତି। ବାଇକ, ସାଇକେଲ ଆରୋହୀଙ୍କ ଆଖି, କାନ, ନାକ ସବୁ ରୁନ୍ଧି ହୋଇଯାଉଛି। ସତରେ ଏହା ଦିଲ୍ଲୀ ନୁହେଁ କିନ୍ତୁ ଦିଲ୍ଲୀର ପ୍ରଦୂଷଣର ମାତ୍ରାଠୁ ବି ଅଧିକ ମାତ୍ରାରେ ପ୍ରଦୂଷିତ ଏହାର ଗଗନ, ପବନ, ମାଟି, ପାଣି। ହଁ ଆଜ୍ଞା, ଆମେ କହୁଚୁ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ରାୟଗଡାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର କଥା। ଏହି ରାସ୍ତାର ଶାନ୍ତପୁରଠାରୁ କିଡିଙ୍ଗ ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିଟର ରାସ୍ତା ହେବ। ଦୀର୍ଘ ବର୍ଷ ହେଲା ଏଇ ରାସ୍ତାର ନିର୍ମାଣ ଚାଲିଛି। ନିର୍ମାଣ ନାଁରେ ରାସ୍ତା ଖୋଳାଯାଇ ପକାଯାଇଛି କ୍ରସର ଗୁଣ୍ଡ। ତେବେ ଜିଲ୍ଲାର ସବୁଠୁ ବ୍ୟସ୍ତ ବହୁଳ ଏହି ରାସ୍ତାରେ ଦୈନିକ ଶହଶହ ମାଲବାହୀ ଟ୍ରକ ଆଉ ଭାରିଯାନ ଯାତାୟତ କରୁଥିବାବେଳେ ରାସ୍ତାର ଅବସ୍ଥା ହୋଇପଡିଛି ଅତି ଶୋଚନୀୟ। ଦିନତମାମ ଧୂଳି ଉଡି କୁହୁଡିର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହି ରାସ୍ତା ଦେଇ ଯାତାୟତ କରିବା ମୁସ୍କିଲ ହୋଇପଡିଛି। ଦିନ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢି ଚାଲିଥିବା ବେଳେ ଜିଲ୍ଲା ପୂର୍ତ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ସତେ ଯେମିତି ଆଖି ବୁଜି ଦେଇଛନ୍ତି। ଏପରିକି ଠିକା ସଂସ୍ଥା ତରଫରୁ ଏହି ରାସ୍ତା ନିର୍ମାଣକୁ ତ୍ବରାନ୍ବିତ କରାଯିବା ତ ଦୂରର କଥା, ରାସ୍ତାରେ ପାଣି ଟିକେ ବି ଦିଆଯାଉନାହିଁ। ଯାହାଫଳରେ  ପ୍ରବଳ ମାତ୍ରାରେ ଧୂଳି ଉଡି ପ୍ରାୟ ଦଶ କିଲୋମିଟର ପରିଧି ମଧ୍ୟରେ ସୃଷ୍ଟି କରୁଛି କୃତ୍ରିମ ମେଘ। ଏଇ କୁହୁଡି କିମ୍ବା ମେଘର ବହଳିଆ ଆସ୍ତରଣ ଯୋଗୁଁ ଲୋକଙ୍କୁ ରାସ୍ତା ଦେଖାଯାଉନି। ପ୍ରବଳ ଧୂଳି ଉଡି ଲୋକେ ରୋଗାକ୍ରାନ୍ତ ହେବା ସହିତ ଏହି ରାସ୍ତାର ଆଖପାଖ ପଡା, ବସ୍ତି ଓ ଗାଁରେ ମଧ୍ୟ ଏହାର କୁପ୍ରଭାବ ଦେଖିବାକୁ ମିଳିଛି। ଅଞ୍ଚଳରେ ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଲୋକେ ଅଣ ନିଶ୍ୱାସୀ ହୋଇପଡ଼ୁଛନ୍ତି। ଏପରିକି ଶାନ୍ତପୁରରୁ କିଡିଙ୍ଗ ଛକ ମଝିରେ ରାସ୍ତାଘାଟ ସହିତ ଧୂଳି ଓ ପ୍ରଦୂଷଣ ଯୋଗୁଁ ଦୋକାନ ବଜାର ମଧ୍ୟ କରିହେଉନି। ଅଞ୍ଚଳରେ ମାତ୍ରାଧିକ ପ୍ରଦୂଷଣ ସତେ ଯେମିତି ଦିଲ୍ଲୀ ସହରକୁ ଟପିଯାଇଛି। ଏନେଇ ଲାଞ୍ଜିଗଡ ପ୍ରେସ କ୍ଳବର କର୍ମକର୍ତ୍ତା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବାବେଳେ ପିଡବ୍ଲୁଡି ଏସଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିଥିଲେ ଜିଲ୍ଲାପାଳ। ଏହାସତ୍ତ୍ୱେ ପିଡବ୍ଲ୍ୟୁଡି ବିଭାଗର ଅଧିକାରି ଓ କର୍ମଚାରୀମାନେ ନିଦାବିଷ୍ଣୁ ସାଜିଛନ୍ତି। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଲୋକେ ଆନ୍ଦୋଳନ ମୁହାଁ ହୋଇପାରନ୍ତି ବୋଲି ସୂଚନା ମିଳିଛି।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories