ବଣାଇଁ: ଜଙ୍ଗଲ ଜମିରେ ଘର କରି ଖୁସିରେ ଜୀବନ ଜୀବିକା ନିର୍ବାହ କରି ଆସୁଥିବା ଆଦିବାସୀ ୨୦୧୭ ମସିହାରେ ରୁକୁଡା ଡ୍ୟାମରେ ଘର ସହିତ ଜମି ସମ୍ପୂର୍ଣ୍ଣ ଜଳ ମଗ୍ନ ହେବାପରେ ବିସ୍ଥାପିତ ହୋଇ ସମସ୍ତ ମୈଳିକ ସୁବିଧାରୁ ବଞ୍ଚିତ ହୋଇ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ୨୦୧୭ ମସିହା ଠାରୁ ଏନେଇ ବିସ୍ଥାପିତ ଆଦିବାସୀମାନେ ସମସ୍ୟାର ସମାଧାନ ଦାବିରେ ଉପଜିଲ୍ଲାପାଳ ବଣାଇଁ, ପୁନର୍ବାସ ଓ ଥଇଥାନ ଅଧିକାରୀ, ତହସିଲଦାର, ରୁକୁଡା ଡ୍ୟାମ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ କରିବା ସତ୍ତ୍ଵେ କୈାଣସି ପ୍ରକାର ସୁଫଳ ପାଇଲେ ନାହିଁ।
ପ୍ରଶାସନ ପଦକ୍ଷେପ ନନେବା କାରଣରୁ ଦୀର୍ଘ ଦିନ ଧରି ମୌଳିକ ଅଧିକାର ନେଇ ସଂଗ୍ରାମ କରୁଥିବା ଗ୍ରାମର ଜୀତ ବାହାନ କନ୍ଦେଇବୁରୁ ଶେଷରେ ଜନଜାତି ଆୟୋଗଙ୍କ ନିକଟରେ ପହଞ୍ଚିବା ପାଇଁ ବାଧ୍ୟ ହୋଇଥିଲେ। ଆୟୋଗ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ପରବର୍ତ୍ତୀ ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ସମନ ଜାରି କରିଥିଲେ। ବିସ୍ଥାପିତଙ୍କ ସମସ୍ୟା ନେଇ ୨୦୨୧ମସିହା ନଭେମ୍ବର ୨ ତାରିଖରେ ଏହାକୁ ନେଇ ଭୁବନେଶ୍ଵରଠାରେ ଏକ ଶୁଣାଣି ଅନୁଷ୍ଠିତ ହୋଇଥିଲା। ସେଠାରୁ ଫେରି ୧୪/୧୨/୨୦୨୧ ଦିନ ଖୋଦ୍ ଜିଲ୍ଲାପାଳ ବନ୍ଧାଭୁଇଁ ଗ୍ରାମକୁ ପରିଦର୍ଶନରେ ଆସି ବିସ୍ଥାପିତଙ୍କ ନିକଟରେ ପହଞ୍ଚି ସମସ୍ୟା କଥା ବୁଝିଥିଲେ। ଘର ଓ ଚାଷ କରିବାକୁ ଜଙ୍ଗଲ ଜମି ପଟ୍ଟା ଦେବାକୁ କହିବା ସହ ଗମନାଗମନ ପାଇଁ ରାସ୍ତା, ପାନୀୟ ଜଳ, ଜୀବିକା ନିର୍ବାହ ପାଇଁ ଗୃହ ପାଳିତ ପଶୁ ପକ୍ଷୀ ପ୍ରଦାନ, ଅଙ୍ଗନବାଡ଼ି କେନ୍ଦ୍ର ସହ ବୁଡି ଯାଇଥିବା ଜମି ଓ ଘରର କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇ ଫେରି ଯାଇଥିଲେ। କିଛି ଦିନ ପରେ ପାନୀୟ ଜଳର ସୁବିଧା ପାଇଁ ଏକ ନଳକୂପ ଖନନ କରି ପ୍ରଶାସନ ପରବର୍ତ୍ତୀ ସମୟରେ ପୁରା ଚୁପ୍ ରହିଗଲେ। ପ୍ରଶାସନ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ନହେବାରୁ ୩/୮/୨୧ରେ ଗ୍ରାମବାସୀ ପୁଣିଥରେ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ। ସମସ୍ୟାର ସମାଧାନ ଦିଗରେ କଣ କଣ ପଦକ୍ଷେପ ନିଆଯାଉଛି ସେ ଦିଗରେ ଜାଣିବାକୁ କମିସନ ୧୭/୮/୨୧, ୨୫/୧୧/୨୧, ୨୯/୨/୨୪ରେ ଜିଲ୍ଲାପାଳଙ୍କୁ ଚିଠି କରିଥିଲେ ମଧ୍ୟ କୈାଣସି ତଥ୍ୟ ପାଇ ପାରିନଥିଲେ। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଉନଥିବା ଜାଣି ଆୟୋଗ ୨/୭/୨୪ ଦିନ ଏକ ସମନ ଜାରି କରି ୯/୭/୨୪ ଦିନ ଦିଲ୍ଲୀରେ ହେବାକୁ ଥିବା ଶୁଣାଣିରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ଜିଲ୍ଲାପାଳଙ୍କ ବଦଳି ହୋଇ ଯାଉଥିବା ବେଳେ ଆସନ୍ତା ଶୁକ୍ରବାର ୨/୮/୨୪ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିସ୍ଥାପିତ ଆଦିବାସୀଙ୍କ ସମସ୍ୟାକୁ ନେଇ ବନ୍ଧାଭୁଇଁ ଗ୍ରାମରେ ଏକ ବୈଠକ କରାଯିବାକୁ ସ୍ଥିର ହୋଇଛି। ଏଥିରେ ଜିଲ୍ଲା ପ୍ରଶାସନ ସମେତ ବଣାଇଁ ଉପ ଜିଲ୍ଲାପାଳ, ପିଏ ଆଇଟିଡିଏ, ତହସିଲଦାର ବଣାଇଁ, ବିଡ଼ିଓ ବଣାଇଁ, ରୁକୁଡା ଜଳ ସେଚନ ପ୍ରକଳ୍ପର ସର୍ବୋଚ୍ଚ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଅଧିକାରୀ, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ, ସିଡିପିଓ ବଣାଇଁ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡିଛି। ତେବେ ଆଗକୁ ବିସ୍ଥାପିତ ଆଦିବାସୀଙ୍କ ସମସ୍ୟାର ସମାଧାନ ହେଉଛି ନାଁ ନାହିଁ ତାହା ଆଗାମୀ ଦିନରେ ଜଣାପଡିବ।



