ଆମକୁ ହକ୍ ଦିଅ ହିତାଧିକାରୀ ମହାସଂଘର ବୈଠକ

କଳାପଥର (ବାଙ୍କୀ): ଗୋପାଳପୁର ରତ୍ନେଶ୍ୱର ମନ୍ଦିର ଠାରେ ‘ଆମକୁ ହକ୍ ଦିଅ’ ହିତାଧିକାରୀ ମହାସଂଘ ବାଙ୍କୀ ଶାଖା ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଷ୍ଠାନର ସଂସ୍ଥାପକ ରବିନ୍ଦ୍ର ନାଥ ସାହୁ ସଭାପତିତ୍ୱ କରିଥିଲେ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନାଭିମୁଖୀ କାର୍ଯ୍ୟକ୍ରମ ଏବେ ଦିଗହରା ଓ ବାଟମାରଣା। ଭୂତ ହେବା ପରେ ଭତ୍ତା, ଶ୍ରାଦ୍ଧ ପରେ ହରିଶ୍ଚନ୍ଦ୍ର, ଗାଁ ଡିଲର ଚାଉଳ କିଲୋ ପିଛା ୧୦୦ ଗ୍ରାମ୍ କମ୍ ଦେବା ବେଳେ ମଣ୍ଡିରେ ମିଲର୍ ଧାନ କୁଇଣ୍ଟାଲ୍ ପିଛା ୮ରୁ ୧୦ କି.ଗ୍ରା କଟନି ଛଟନି କରୁଛି। ପତ୍ରକୁଡିଆ, ପର ବାରଣ୍ଡାରେ ରାତି ବିତାଉଥିବା ଗରିବ ଲୋକଟି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆବାସ ନାହିଁ। ନୂଆ ରାସନ୍ କାର୍ଡ ହେଉ ବା ରାସନ୍ କାର୍ଡରେ ନାମ ଯୋଡା ଯିବାର ହେଉ ଦଉଡି ଦଉଡି ପାଦର ଚର୍ମ ଉଠି ଯାଉଛି। ଡାକ୍ତରଖାନାରେ ରୋଗୀ ମାଳ ମାଳ ହେଲେ ଡାକ୍ତର ନାହାଁନ୍ତି। ବିଦ୍ୟାଳୟରେ ଛାତ୍ର ଛାତ୍ରୀ ପୂର୍ଣ୍ଣ ହେଲେ ମଧ୍ୟ ଶିକ୍ଷକ ଶୂନ୍ୟ। ଥାନାରେ ଯାହାର ଯେତେ ଲିଙ୍କ୍ ସିଏ ସେତେ କିଙ୍ଗ୍। କଟକର ପରିବା ଘର ବାଙ୍କୀରେ ଶୀତଳ ଭଣ୍ଡାରଟିଏ ନାହିଁ। ସାମାନ୍ୟ ବର୍ଷା ହେଲେ ବାଙ୍କୀ ସହର କଚେରୀ ଛକରେ ପାଣିର ସୁଅ। ମହାନଦୀ ପାଣି ପୁରୀକୁ ଯିବ ହେଲେ ଖରାଦିନେ ବାଙ୍କୀରେ ନଦୀରେ ପାଣି ମୁନ୍ଦେ ନାହିଁ। ଢୁଢୁଆ ଯୋଜନା ଏବେ କବର ଖାନାରେ। ଘରକୁ ପିଇବା ପାଣି ଯୋଜନା କଥା କହିଲେ ନସରେ। ହଜାର ହଜାର ଫର୍ଟିଲାଇଜର୍ ଓ ଫସଲର ବିଭିନ୍ନ ଔଷଧ ଶଙ୍ଖତଳେ ଫୋପଡା ହେଲା ବେଳେ କୃଷି ବୀମା କମିଶନ୍ ଏଠାରେ ନିଆଯାଏ। ଏହାର ସରଳ ସମାଧାନ ପାଇଁ ଗାଁ ଗାଁ ମାନଙ୍କରେ ଅନୁଷ୍ଠାନ ତରଫରୁ ‘ଆମକୁ ହକ୍ ଦିଅ’ କମିଟି ଗଠନ କରାଯାଇଛି। ରାସନକାର୍ଡ ଠାରୁ ଆବାସ ଯୋଜନା, ବିଭିନ୍ନ ଭତ୍ତା, ସୁଭଦ୍ରା ଯୋଜନା ପର୍ଯ୍ୟନ୍ତ ଉପଯୁକ୍ତ ହିତାଧିକାରୀଙ୍କୁ ପ୍ରାପ୍ତି ପ୍ରଦାନ ଏହି ଅନୁଷ୍ଠାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଚନ୍ଦନ କୁମାର ସାହୁ, ସନ୍ତୋଷ କୁମାର ସ୍ୱାଇଁ, ଶେଷଦେବ ଭୋଇ, ପ୍ରଧିର ସେଠୀ, ଲିପିନା ବେହେରା, ସୁହାସିନୀ ବସନ୍ତରା, କବିତା ଦାସ, ନିତ୍ୟନନ୍ଦ ବେହେରା, ସୀତାରାମ ଭାଇ, ବ୍ରଜବନ୍ଧୁ ଜେନା, ଅରକ୍ଷୀତ ରାଉତ, ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିବା ସହିତ ଅନୁଷ୍ଠାନ ତରଫରୁ ଗ୍ରାମକୁ ଗ୍ରାମ ବୁଲି ଜନସାଧାରଣଙ୍କୁ ସଚେତନ କରାଯିବା ସହିତ ସେମାନଙ୍କର ଉନ୍ନତି ପାଇଁ କାର୍ଯ୍ୟକରିବାକୁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ।

Comments are closed.