ପାଟଣାରେ ଜାଗର ପର୍ବ, ଶିବ ମନ୍ଦିର ଉତ୍ସବ ମୁଖର

ପାଟଣା: ମହାଶିବରାତ୍ରି ପାଇଁ ସମଗ୍ର ପାଟଣା ଅଞ୍ଚଳ ଆଜି ଉତ୍ସବ ମୁଖର ହୋଇ ପଡ଼ିଥିଲା। ହଜାର ହଜାର ସଂଖ୍ୟାରେ ମହିଳା ଓ ଯୁବତୀ ମାନେ ଆଜି ଉପବାସ ରଖି ଶିବଙ୍କ ମସ୍ତକରେ ଜଳାଭିଷେକ କରିବା ପାଇଁ ମନ୍ଦିରରେ ଧାଡି ଲଗାଇ ଥିଲେ। ପାଟଣା ର ପ୍ରାଚୀନ ଆନନ୍ଦେଶ୍ଵର ମହାଦେବ ଙ୍କ ପୀଠରେ ଆଜି ଭୋର ୪ ଟାରୁ ମନ୍ଦିର ଦ୍ୱାର ଖୋଲିବା ପରେ ପୂଜକ ପର୍ଶୁରାମ ପଣ୍ଡା, ନବକିଶୋର ଦାଶ, କ୍ଷୀରୋଦ ଚନ୍ଦ୍ର ମିଶ୍ର, ମାନସ ମିଶ୍ର ଓ ନିରଞ୍ଜନ କର ପ୍ରମୁଖ ପୂଜା ବିଧି ସମ୍ଭାଳି ଥିଲେ। ଏଠାରେ ଶାନ୍ତି ଶୃଙ୍ଖଳା ପାଇଁ ଆଦିତ୍ୟ ବାହିନୀ, ଭରସା ପରିବାର, ସ୍ୱାମ ପାଟଣା ମହାବିଦ୍ୟାଳୟ ର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଓ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ, ଡ୍ରାଇଭର ସଙ୍ଘ, ସକସେସ ଗ୍ରୁପ, ଗୋପୀନାଥ ନାରାୟଣ ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ବିଦ୍ୟାଳୟ, ଗାୟତ୍ରୀ ପରିବାରର ପ୍ରତିନିଧିଙ୍କ ସହ ପାଟଣା ପୁଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଜାମସେଦପୁର ଟାଟା ରୁ ଆସିଥିବା ବୀଣା ପାଣ୍ଡ୍ୟା ଏଣ୍ଡ ଗ୍ରୁପ ଏଠାରେ ଶିବ ଭଜନ, ଗଜଲ ଓ ସାଇରୀ, ପରିବେଷଣ କରି ଶ୍ରଦ୍ଧାଳୁଙ୍କୁ ମନ୍ତ୍ର ମୁଗ୍ଧ କରିଥିଲେ। ମନ୍ଦିର ପରିଚାଳନା କମିଟିର ସର୍ବଶ୍ରୀ ନାରାୟଣ ଦାଶ, ଅଜୟ କୁମାର ଦାଶ, କମଳା କାନ୍ତ ପତି, ଅରୁଣ କୁମାର ମିଶ୍ର, ଅଜୟ କୁମାର ବେହେରା, କେଶବ ଚନ୍ଦ୍ର ସାହୁ, ଯୁଗଳ କିଶୋର ଦାଶ ଓ ଅନ୍ୟାନ୍ୟ ସଦସ୍ୟଙ୍କ ପ୍ରତ୍ୟକ୍ଷ ନଜରରେ ଭୋରରୁ ସନ୍ଧ୍ୟା ଯାଏ ୫ଟି ଧାଡିରେ ଅନ୍ୟୁନ୍ନ ୨୫ ହଜାର ମହିଳା ଓ ଯୁବତୀ ସାଧାରଣ ପୂଜା ସହ ବହୁ ଲୋକ ସନ୍ଧ୍ୟାରେ ଜାଗର ଦୀପ ଜାଳିଛନ୍ତି।

ସେହିପରି ଉତ୍ସବମୁଖର ହୋଇପଡିଛି ବାବା ସର୍ବେଶ୍ୱର ଦେବଙ୍କ ପୀଠ ସମେତ ସାହାରପଡା ଅଞ୍ଚଳର ସମସ୍ତ ଶୈବପୀଠ। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜାଗର ପୂର୍ବରୁ ବାବା ସର୍ବେଶ୍ୱର ଦେବଙ୍କ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳିଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ବାହାରେ ସ୍ବତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇଛି । ଭୋର ୪ଟାରୁ ନୀତିକାନ୍ତି ପରେ ଭୋର ୫ରୁ ଆରମ୍ଭ ହୋଇଛି ସାହାଣାମେଳା ଦର୍ଶନ।

ଢେଙ୍କିକୋଟ ଓ ଏହାର ଆଖପାଖ ଅଞ୍ଚଳରେ ଶିବ ମନ୍ଦିରରେ ଆଜି ମହାଶିବରାତ୍ରି ଧୁମଧାମରେ ଅନୁଷ୍ଟିତ ହୋଇଛି। ପ୍ରାୟ ସମସ୍ତ ସ୍ଥାନରେ ଭୋର ୪ ଟାରୁ ୫ ଟା ମଧ୍ୟରେ ମନ୍ଦିର ଦ୍ଵାର ଖୋଲିଥିଲା। ଢେଙ୍କିକୋଟରେ ବିଶ୍ଵନାଥ ମନ୍ଦିରର ପୂଜକ ଅଦୈତ୍ୟ ଶତପଥି, ଶ୍ରୀନିବାସ ଶତପଥି ଓ ବେଣୁଧର ଦାଶ ପୂଜାବିଧି ସମ୍ପାଦନା କରିଥିଲେ। ଏଠାରେ ଦିନ ତମାମ ଠାରୁ ରାତ୍ରି ପର୍ଯ୍ୟନ୍ତ ପ୍ରବଳ ଗହଳି ଲାଗିରହିଥିଲା। ଏହାଛଡା ଭୋଳବେଡାର ଭୋଲେଶ୍ୱେର, ଟିକିରାର ଟିକେଶ୍ୱର, ମନୋହରପୁରର ମନୋହରେଶ୍ୱରାୟ, ସାନମସିଣାବିଲ୍ଲା ଶିବ ମନ୍ଦିର, କେତାଙ୍ଗ ଶିବମନ୍ଦିର, ମଲ୍ଲିପଶିର ମଲ୍ଲିକେଶ୍ୱର, ପିପିଳିଆ ଶିବମନ୍ଦିର, ପୋଇପାଣିର ଚମ୍ପକେଶ୍ଵର ମହାଦେବ, ଲଙ୍ଗଲକଣ୍ଟିର ବେଲେଶ୍ୱର୍ ମହାଦେବ ମନ୍ଦିର ସମେତ ଅନ୍ୟାନ୍ୟ ଶିବ ମନ୍ଦିରରେ ଧୁମଧାମରେ ଜାଗର ପାଳନ କରାଯାଇଛି।

ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରୀ ଗ୍ରାମର ମା ବିସୁଳୀ ଶିବ ମନ୍ଦିରରେ ଆଜି ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ମନ୍ଦିରରେ ସକାଳୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିଲା ବାବା ଦର୍ଶନ ପାଇଁ। ଏହାକୁ ନେଇ ଶିବ ଭକ୍ତଙ୍କ ଭିତରେ ଉତ୍କଣ୍ଠା ବଢିଯାଇଛି। ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ଫଳ ମିଳେ ବୋଲି ବିଶ୍ଵାସ ରହିଛି। ଏହି ବିଶ୍ବାସ ନେଇ ଆଜି ମା ବାସୁଳୀ ଶିବ ମନ୍ଦିର ଲୋକାରଣ୍ୟ ରହିଥିଲା । ଗ୍ରାମର ଲକ୍ଷ୍ମଣ ବାରିକ, ଭୋଳାନାଥ ସେଠୀ, ସମିତି ସଭ୍ୟା ଦମୟନ୍ତୀ ବାରିକ, ଜଗବନ୍ଧୁ ସେଠୀ, ରଣଜିତ ସେଠୀ, ରକ୍ଷାକର ଦାସ, ଦୟାନିଧି ଦେହୁରୀ, ପ୍ରତାପ ଦାସ, ଲିଙ୍ଗରାଜ ଦାସ, ରବିନ୍ଦ୍ରନାଥ ସେଠୀ, ଚିନ୍ତାମଣି ଦାସ, ବିଜୟ କୁମାର ଦାସ, ବୈଲୋଚନ ଦାସ ଓ ନିତ୍ୟାନନ୍ଦ ନାଏକ ପ୍ରମୁଖ ଉପସ୍ଥିତରେ ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Comments are closed.