ଗୁରୁଡ଼ିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆଡିହ ଓ ନାରଙ୍ଗବସ୍ତ ଗାଁ ମଧ୍ୟସ୍ଥଳରେ ରାସ୍ତା ପାର୍ଶ୍ବରୁ ବେଧଡକ ଭାବେ ଗଛକଟା ଚାଲିଛି। ଯାହାକୁ ନେଇ ପରିବେଶବିତ୍ ମାନେ ଉଦବେଗ ପ୍ରକାଶ କରିଛନ୍ତି। ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆପାଟଣା ଠାରୁ ଆଠଗଡ଼ ପର୍ଯ୍ୟନ୍ତ ଉନ୍ନତିକରଣ ଓ ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଏହି ରାସ୍ତାର ନୂଆଡିହ ଓ ନାରଙ୍ଗବସ୍ତ ମଧ୍ୟରେ ସଂପ୍ରସାରଣ କାର୍ଯ୍ୟ ସଂପୂର୍ଣ୍ଣ ହାଇସାରିଲାଣି। ରାସ୍ତା ପାର୍ଶ୍ବରେ ଛାୟା ପ୍ରଦାନ କରୁଥିବା ୮ରୁ ୧୦ ଫୁଟ ଗୋଲେଇ ଏକାଧିକ ଗଛକୁ କିଛି ଖଳ ପ୍ରକୃତିର ଲୋକମାନେ ଅବାରିତ ଭାବେ କାଟି ଦିନ ଦ୍ୱିପ୍ରହରରେ ବାହାରକୁ ଚୋରା ଚାଲାଣ କରୁଛନ୍ତି। ରାସ୍ଥା ଓ କୋଠାବାଡି ବିଭାଗର ଅଧିକାରୀ ଓ ସ୍ଥାନୀୟ ବନବିଭାଗ ପାଖରେ ଏ ନେଇ ଖବର ନାହିଁ। ରାସ୍ତା ପାଇଁ ବାଧକ ସୃଷ୍ଟି କରୁନଥିବା ସଂପ୍ରସାରଣ ପରେ ରାସ୍ତା ପାର୍ଶ୍ବରେ ଛାୟା ପ୍ରଦାନ କରୁଥିବା ଗଛଗୁଡିକୁ କଟାଯାଉଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ମୁରବୀ ବା ଗ୍ରାମବାସୀ ମୁହଁ ନଖୋଲିବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ। ରାସ୍ତାପାର୍ଶ୍ବରୁ ଅବାରିତ ଭାବେ ଗଛଗୁଡିକୁ କାଟି ପରିବେଶକୁ ଭୁଲୁଣ୍ଠିତ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି। ଏ ସଂପର୍କରେ ରାସ୍ତା ଓ କୋଠାବାଡି ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଘଟଣାର ଅନୁଧ୍ୟାନ କରିବେ ବୋଲି କହିଥିଲେ।
Popular Categories



