ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଳିତ
ବୌଦ୍ଧ: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ବୌଦ୍ଧ ଏନଏସି ପକ୍ଷରୁ ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଉପନଗରପାଳ ସୁଭାସିନୀ ସେଠୀ ଓ ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ବୌଦ୍ଧ ମାଉସୀ ମାଁ ମନ୍ଦିର ପରିସରରେ ନଗରପାଳ ଶ୍ରୀମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଜିଲାପାଳ ଜେ. ସୋନାଲ ଯୋଗଦେଇ ଓଡ଼ିଆ ଭାଷାପ୍ରତି ସମସ୍ତଙ୍କର ସମ୍ମାନବୋଧ ରହିବାର ଆବଶ୍ୟକତା ରହିଛି ଏବଂ ନିଜ ଭାଷାକୁ ନେଇ ଆମେ ଗର୍ବ ଅନୁଭବ କରିବା ଉଚିତ ବୋଲି ପ୍ରକାଶ କରିଥିଲେ। ନଗରପାଳ ଶ୍ରୀମିଶ୍ର ଭାଷା ହେଉଛି ସଭ୍ୟତାର ମୁଖବନ୍ଧ। ପିତା ମାତା ଓ ଜନ୍ମମାଟିକୁ ଯେତେ ଭଲପାଇବା ନିଜର ଭାଷାକୁ ମଧ୍ୟ ସେତିକି ଭଲ ପାଇବା ଉଚିତ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସାମୁହିକ ଭାବରେ ବନ୍ଦେ ଉତ୍କଳ ଜନନୀ ଗାନ ଓ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ ଉତ୍ସବର ସିଧାପ୍ରସାରଣ କରାଯାଇଥିଲା। ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର,ଏଆସିଏସ ହାଡିବନ୍ଧୁ ବହାକୁଡ, ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରାଙ୍କ ସମେତ ଏନଏସିର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଏବଂ ସହରର ବହୁ ସଂଖ୍ୟାରେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଅସ୍ମିତା ରଥକୁ ଜିଲ୍ଲାପାଳ ଶ୍ରୀ ସୋନାଲ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସେହିପରି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଲନୀ ଉପଲକ୍ଷେ ବୌଦ୍ଧ ସହରସ୍ଥିତ ଖଲିଆବଗିଚା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ପ୍ରତିଯୋଗୀତା ଓ ସାଂସ୍କୃତିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ରଂଜିତ ରାଉତ, ଏନଏସି ସିଆରସିସି ସତ୍ୟନାରାୟଣ ସାହୁ,ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନେଲି ପୁରୋହିତ ଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।
Comments are closed.