ଦଲାଲଙ୍କ ନାମରେ ସୁପାରିଶ ନେଇ ବ୍ଲକ ଉପାଧ୍ୟକ୍ଷଙ୍କୁ ବିଡିଓଙ୍କ ବିରୋଧ

ମାଲକାନଗିରି: ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଆମ ଓଡ଼ିଶା ନବୀନ ଓଡ଼ିଶା କାମକୁ ନେଇ ମନମାନି କରିଛନ୍ତି। ଏହାକୁ ବିଡିଓ ଦୃଢ ବିରୋଧ କରିଥିବା ଜଣାପଡ଼ିଛି। ସୁଚନା ମୁତାବକ ମାଲକାନଗିରି ବ୍ଲକ ଉପାଧ୍ୟକ୍ଷ ନିରଂଜନ ହାଲଦାର ଚିଠି ମାଧ୍ୟମରେ ଦଲାଲଙ୍କ ନାମରେ ଆମ ଓଡ଼ିଶା ନବୀନ ଓଡ଼ିଶା କାମ ସୁପାରିଶ କରୁଥିବା ବେଳେ ଏହି କାମ ଦଲାଲଙ୍କୁ ଦିଆ ନ ଗଲେ କାମ କରାଇ ଦେବୁନାହିଁ ବୋଲି ବିଡିଓଙ୍କୁ ଧମକ ଦେଇଛନ୍ତି। ଏହା ବ୍ୟତୀତ ଅଯଥା ବ୍ଲକ ପ୍ରଶାସନର ଉନ୍ନୟନ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ବାଧା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବ୍ଲକକୁ ବଦନାମ କରିବାକୁ ପଛାଉ ନାହାନ୍ତି। ତତ୍‌‌ ସହିତ ବିଡିଓଙ୍କୁ ବିଭିନ୍ନ କଟୁ ମନ୍ତବ୍ୟ ଦେଇ ବଦନାମ କରୁଥିବା ବେଳେ ଜଣେ ମହିଳା ପ୍ରଶାସକଙ୍କୁ ବେନିୟମ କାମ କରିବାକୁ ବାଧ୍ୟ କରୁଛନ୍ତି ବୋଲି ମାଲକାନଗିରି ବିଡିଓ ପ୍ରଭାତୀ ଝଡିଆ ଅଭିଯୋଗ କରିଛନ୍ତି। ଉକ୍ତ ଘଟଣାକୁ ବିଡିଓ ସୁଶ୍ରୀ ଝଡିଆ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିବା ବେଳେ ସମ୍ପୃକ୍ତ ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଅଭିଯୋଗ କରିଥିବା ଜଣାପଡ଼ିଛି।

Comments are closed.