ବୁର୍ଲା: ବୁର୍ଲା ସହରରେ ନିର୍ମିତ ହୋଇଥିବା ବହୁ ପ୍ରତିକ୍ଷିତ ସାର୍ବଜନୀନ ଲାଇବ୍ରେରୀ କୋଠା ଉଦଘାଟିତ ହୋଇଯାଇଛି। ସାର୍ବଜନୀନ ପାଠାଗାର କୋଠାକୁ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ନାମରେ ଗୋପବନ୍ଧୁ ପାଠାଗାର ଭାବରେ ନାମରେ ନାମିତ କରାଯାଇଛି। ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଯୋଗଦେଇ ପାଠାଗାର କୋଠାକୁ ଉଦଘାଟନ କରିଥିଲେ। ଶ୍ରୀ ତ୍ରିପାଠୀ ସମ୍ବଲପୁର ମହାନଗର ନିଗମର ଏଭଳି ଯୋଜନାକୁ ନେଇ ପ୍ରଶଂସା କରିବା ସହିତ ସେ କହିଥିଲେ ଯେ ବୁର୍ଲା ଏକ ଶିକ୍ଷା ନଗରୀ ହୋଇଥିବାରୁ ଏହି ପାଠାଗାର ସହରର ଛୋଟ ଠାରୁ ବଡ ସବୁବର୍ଗର ଶିକ୍ଷାର୍ଥୀଙ୍କୁ ଜ୍ଞାନ ଆହରଣର ଏକ ମାଧ୍ୟମ ହୋଇପାରିବ। ବହି ପଢ଼ିବା ଅତ୍ୟନ୍ତ ଜରୁରୀ ଅଟେ, ଯଦି କୌଣସି ବିଷୟରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଚାହିଁବେ ତେବେ ବହି ପଢ଼ିବା ଜରୁରୀ ବୋଲି ଶ୍ରୀ ତ୍ରିପାଠୀ ଜନସାଧାରଣଙ୍କୁ ବାର୍ତ୍ତା ଦେଇଛନ୍ତି।
କୋଠାଟି ମହାନଗର ନିଗମର ନିର୍ମାଣ କରିଥିବା ବେଳେ ଭିତର ଡିଜାଇନ, ଆର୍ଟ ଡିଜାଇନ୍, ସେଲ୍ପ ଡିଜାଇନ୍ ଏବଂ ବୁକ୍ସ ଯୋଗାଇବା ଦାୟିତ୍ୱ ବକୁଲ ଫାଉଣ୍ଡେସନ୍ ଦ୍ୱାରା କରାଯାଇଥିବା ବେଳେ ଫର୍ଣ୍ଣିଚର କାମରେ ଶ୍ୟାମ ମେଟାଲିକ୍ସ ସହଯୋଗ କରିଥିବା ଜଣାପଡ଼ିଛି। ତେବେ ଏହି ପାଠାଗାରରେ ଇଂରାଜୀ ଏବଂ ଓଡିଆରେ ସବୁ ବୟସର ଲୋକଙ୍କ ପାଇଁ ୧୦ ହଜାରରୁ ଅଧିକ ପୁସ୍ତକ ରହିଛି। ଏହି ପାଠାଗାରରେ ଥିବା ସମସ୍ତ ପୁସ୍ତକ ବ୍ୟକ୍ତିବିଶେଷଙ୍କଠାରୁ ବକୁଲ ଫାଉଣ୍ଡେସନ୍ ଦ୍ୱାରା ସଂଗୃହିତ ହୋଇଛି। ଆଗାମୀ ଦିନରେ ସମ୍ବଲପୁରରେ ଏକ ସ୍ୱତନ୍ତ୍ର ପୁସ୍ତକ ସଂଗ୍ରହ ଡ୍ରାଇଭ ହେବ ଯେଉଁଥିରେ ଲୋକମାନେ ସେମାନଙ୍କର ପୁସ୍ତକ ଲାଇବ୍ରେରୀରେ ଦାନ କରିବେ, ଯାହାକି ସର୍ବସାଧାରଣ ଉକ୍ତ ପୁସ୍ତକ ପଢ଼ିବେ ବୋଲି କୁହାଯାଇଛି। ଏଠାରେ ବିନାଶୁଲ୍କରେ ଛାତ୍ରଛାତ୍ରୀ ତଥା ଜନସାଧାରଣ ଭିତରକୁ ପ୍ରବେଶ କରି ନିଜ ମନପସନ୍ଦର ବହି ଅଧ୍ୟୟନ କରି ପାରିବେ ବୋଲି ସୂଚନା ମିଳିଛି। ସକାଳ ୧୧ ଟାରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ପାଠାଗାର ଖୋଲା ରହିବ ବୋଲି ସୂଚନା ମିଳିଛି। ଯାହା ଫଳରେ ଛାତ୍ରଛାତ୍ରୀ, ବୁଦ୍ଧିଜିବୀ ଏବଂ ସାଧାରଣ ଜନତା ଉପକୃତ ହେବା ସହିତ ଏହା ଜ୍ଞାନ ଆହରଣ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସାଜିବ ବୋଲି ମତପ୍ରକାଶ ପାଉଛି। ଶିକ୍ଷାକ୍ଷେତ୍ରରେ ସହରର ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ଏବଂ ଛାତ୍ରଛାତ୍ରୀ ତଥା ଗବେଷକଙ୍କ କୃତୀତ୍ୱ ସହରକୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରି ପାରିଛି। ଶିକ୍ଷାନଗରୀ ମାନ୍ୟତା ପ୍ରାପ୍ତ ସହରରେ ତିନୋଟି ସୁଖ୍ୟାତିନାମା ବିଶ୍ୱବିଦ୍ୟାଳୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ, ବୀର ସରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଅବସ୍ତିତ। ଶିକ୍ଷାନଗରୀର ଆବଶ୍ୟକତାକୁ ଦୃଷ୍ଟିରେ ରଖାଯାଇ ବୁର୍ଲା ସହରର ଗୋପବନ୍ଧୁ ଛକ ନିକଟରେ ପବ୍ଲିକ ଲାଇବ୍ରେରି ପାଇଁ କୋଠା ନିର୍ମାଣ ଚୁଡ଼ାନ୍ତ କରାଯାଇ କୋଠାକୁ ମଧ୍ୟ ନିର୍ମାଣ କରାଯାଇଥିବା ଦୃଷ୍ଟାନ୍ତ ରହିଛି।



