ନୂଆଦିଲ୍ଲୀ: ଲୋକଙ୍କୁ ମୌଳିକ ଆବଶ୍ୟକତା ଯେପରିକି ସ୍ବଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଆଦି ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ ରହିଛି। ଶୁକ୍ରବାର ଲୋକସଭାରେ ଆଗତ ହୋଇଥିବା ବର୍ଷ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ଏପରି ଏକ ନିରାଶାଜନକ ତଥ୍ୟ ପ୍ରଦାନ କରିଛି। ଗତ ୨୦୧୨ ମସିହା ତୁଳନାରେ ୨୦୧୮ ମସିହା ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ୪ଟି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି। ଲୋକମାନଙ୍କୁ ମିଳୁଥିବା ମୌଳିକ ଆବଶ୍ୟକତାକୁ ପରିମାପ କରିବାକୁ କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ(ଏନ୍ଏସ୍ଓ) ପକ୍ଷରୁ ମୌଳିକ ଆବଶ୍ୟକତା ସୂଚକାଙ୍କ (ବିଏନଆଇ)ର ବ୍ୟବହାର କରାଯାଇଥାଏ। ଅଧିକ ବିଏନଆଇ ଗୋଟିଏ ରାଜ୍ୟର ଅର୍ଥନୈତିକ ଉନ୍ନତିର ଏକ ସୂଚକ ବୋଲି ଦର୍ଶାଇଥାଏ।
ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, କେରଳ, ଗୁଜୁରାଟ, ଦିଲ୍ଲୀ, ଗୋଆ, ମିଜୋରାମ, ସିକ୍କିମ, ପଞ୍ଜାବ, ହରିୟାଣାର ବିଏନ୍ଆଇ ସମଗ୍ର ଦେଶରେ ଅଧିକ ଓ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରାର ବିଏନଆଇ ସମଗ୍ର ଦେଶରେ ସର୍ବନିମ୍ନ। ଅର୍ଥାତ ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇବାରେ ଏହି ୪ଟି ରାଜ୍ୟ ଦେଶରେ ପଛୁଆ। ସେହିପରି ହରିୟାଣା, ଗୁଜୁରାଟ, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟ ଗତ ୨୦୧୨ ତୁଳନାରେ ୨୦୧୮ ବେଳକୁ ନିଜ ସ୍ଥିତିରେ ଦ୍ରୁତ ଉନ୍ନତି ହାସଲ କରିଛନ୍ତି।
ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶର ବହୁ ବଡ଼ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତୁଳନାରେ ଓଡ଼ିଶାରେ ଖାଦ୍ୟ ପ୍ରସ୍ତୁତ ଖର୍ଚ୍ଚ କମ୍ ରହିଛି। ଘରୋଇ ଭାବେ ପ୍ରସ୍ତୁତ ଖାଦ୍ୟ ଥାଳି ପିଛା କେତେ ଖର୍ଚ୍ଚ ହେଉଛି ଜାଣିବା ଲାଗି ପୂର୍ବବର୍ଷ ଭଳି ୨୦୨୦-୨୧ ରିପୋର୍ଟରେ ଥାଳିଇକୋନୋମିକ୍ସ ସ୍ଥାନ ପାଇଛି। ଏନଏସଓ ତଥ୍ୟକୁ ଆଧାର କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥାଳି ପିଛା କେତେ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି ତାର ହିସାବ ନିଆଯାଇଛି। ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ଶସ୍ୟ, ମାଂସ, ମସଲା, ପନିପରିବା, ଖାଇବା ତେଲ ଓ ଜାଳେଣି ଖର୍ଚ୍ଚ ଆଦିକୁ ହିସାବରେ ସାମିଲ କରାଯାଇଥିଲା। ତେବେ ଖାଦ୍ୟ ପ୍ରସ୍ତୁତି ବାବଦ ଖର୍ଚ୍ଚକୁ ହିସାବ କରିବା ବେଳେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଲୋକଙ୍କୁ ମିଳୁଥିବା ଲାଭକୁ ବାଦ୍ ଦିଆଯାଇଛି। ଏନଏସଓ ତଥ୍ୟ ଅନୁଯାୟୀ ୨୦୧୯-୨୦ ଓ ୨୦୨୦-୨୧ ବର୍ଷରେ ରାଜ୍ୟର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଖାଦ୍ୟ ଥାଳି ପ୍ରସ୍ତୁତି ବାବଦ ଖର୍ଚ୍ଚ କମ୍ ରହିଥିଲା। ୨୦୨୦ ଜୁନରୁ ଡିସେମ୍ବର ମଧ୍ୟରେ ରାଜ୍ୟର ଗ୍ରାମାଞ୍ଚଳରେ ନିରାମିଷ ଖାଦ୍ୟ ଥାଳି ପ୍ରସ୍ତୁତ ମୂଲ୍ୟ ୨୫ଟଙ୍କାରୁ ସାମାନ୍ୟ ଅଧିକ ରହିଥିଲା।
ଏହି ସମୟରେ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜରେ ନିରାମିଷ ଖାଦ୍ୟ ଥାଳି ପ୍ରସ୍ତୁତି ବାବଦରେ ସର୍ବାଧିକ ୩୮.୭ ଟଙ୍କା ଏବଂ ଉତ୍ତରପ୍ରଦେଶରେ ସର୍ବନିମ୍ନ ୨୩.୧ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଅରୁଣାଚଳ ପ୍ରଦେଶ ଗ୍ରାମାଞ୍ଚଳରେ ପ୍ରତି ଆମିଷ ଥାଳି ତିଆରି କରିବା ଖର୍ଚ୍ଚ ସର୍ବାଧିକ ୪୮.୫ ଏବଂ ଚଣ୍ଡିଗଡ଼ରେ ସର୍ବନିମ୍ନ ୨୯.୯ ଟଙ୍କା ରହିଥିଲା। ଏହି ସମୟରେ ଓଡ଼ିଶାର ଗ୍ରାମାଞ୍ଚଳରେ ଆମିଷ ଥାଳି ପାଇଁ ୩୦ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିଲା। ସେହିପରି ୨୦୨୦ ଜୁନରୁ ଡିସେମ୍ବର ମଧ୍ୟରେ ସହରାଞ୍ଚଳ ସ୍ଥିତି ଦେଖିବାକୁ ଗଲେ ଆଣ୍ଡାମାନ ଓ ନିକୋବର ଦ୍ୱିପପୁଞ୍ଜରେ ସର୍ବାଧିକ ୪୦ ଟଙ୍କା ଏବଂ ମଧ୍ୟପ୍ରଦେଶରେ ସର୍ବନିମ୍ନ ୨୪ ଟଙ୍କାରେ ପ୍ରତି ନିରାମିଷ ଖାଦ୍ୟ ଥାଳି ବାବଦରେ ଖର୍ଚ୍ଚ କରିବାକୁ ପଡ଼ୁଥିଲା। ଏହି ସମୟରେ ଓଡ଼ିଶାର ସହରାଞ୍ଚଳରେ ନିରାମିଷ ଖାଦ୍ୟ ଥାଳି ପ୍ରସ୍ତୁତି ଖର୍ଚ୍ଚ ୨୫ ଟଙ୍କାରୁ ସାମନ୍ୟ ଅଧିକ ରହିଥିଲା। ଆମିଷ ଥାଳି ବାବଦରେ ମିଜୋରାମ ସହରାଞ୍ଚଳରେ ସର୍ବାଧିକ ୫୨.୪ ଟଙ୍କା ଓ ହରିଆଣାରେ ସର୍ବନିମ୍ନ ୨୮ଟଙ୍କା ଖର୍ଚ୍ଚ ହେଉଥିଲା।
ଏହି ସମୟରେ ଓଡ଼ିଶାର ସହରାଞ୍ଚଳରେ ୪୦ଟଙ୍କାରୁ କମ୍ ଦାମରେ ଆମିଷ ଖାଦ୍ୟ ଥାଳି ପ୍ରସ୍ତୁତ ହୋଇ ପାରୁଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଆମିଷ ଓ ନିରାମିଷ ଏବଂ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଦି ସମସ୍ତ ବିଭାଗରେ ଓଡ଼ିଶା ଠାରୁ ସର୍ବଭାରତୀୟ ସ୍ତରରେ ହାରାହାରି ଖାଦ୍ୟ ଥାଳି ପ୍ରସ୍ତୁତି ଖର୍ଚ୍ଚ ଅଧିକ ରହିଥିଲା। ସେହିପରି ଓଡ଼ିଶାରେ ୨୦୧୯-୨୦ ବର୍ଷ ତୁଳନାରେ ୨୦୨୦-୨୧ ବର୍ଷରେ ଖାଦ୍ୟ ପ୍ରସ୍ତୁତି ବାବଦରେ ଲୋକଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ପଡ଼ୋଶୀ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଗୁଜୁରାଟ, ହିମାଚଳ ପ୍ରଦେଶ, ଆସାମ, ପଶ୍ଚିମବଙ୍ଗ, ଦିଲ୍ଲୀ, କେରଳ, ମଣିପୁର, ତ୍ରିପୁରା, ମେଘାଳୟ, ମିଜୋରାମ, ମଣିପୁର, ପୁଡୁଚେରୀ ଆଦି ଅଞ୍ଚଳରେ ପ୍ରତି ଖାଦ୍ୟ ଥାଳି ବାବଦରେ ଓଡ଼ିଶା ଠାରୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ଜୁନରୁ ନଭେମ୍ବର ୨୦୨୦ ମଧ୍ୟରେ ଦେଶରେ ଖାଦ୍ୟ ଥାଳି ପ୍ରସ୍ତୁତ ମୂଲ୍ୟ ଅଧିକ ରହିଥିବା ବେଳେ ଡିସେମ୍ବରରେ କେତେକ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁଁ ଖାଦ୍ୟ ଥାଳି ପ୍ରସ୍ତୁତ ଖର୍ଚ୍ଚ କମି ଯାଇଥିଲା।



