ବିଚାର ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ତତ୍ପରତା-ଉଚ୍ଚ ନ୍ୟାୟାଳୟରେ ଶତ ପ୍ରତିଶତ ବିଚାରପତି ପଦ ପୂରଣ ଲକ୍ଷ୍ୟ

କଟକ,୧୩ା୨ (ବ୍ୟୁରୋ) : କରୋନା ମହାମାରୀ ଯୋଗୁଁ ପ୍ରଭାବିତ ବିଚାର ବ୍ୟବସ୍ଥାକୁ ସଜାଡ଼ିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଏବଂ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଭିନ୍ନ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ବିଚାରପତି ପଦରେ ଶତପ୍ରତିଶତ ନିଯୁକ୍ତି ପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟ ପାଇଁ ମଞ୍ଜୁର ସମସ୍ତ ୩୪ଟି ବିଚାରପତି ପଦରେ ଶତପ୍ରତିଶତ ନିଯୁକ୍ତି ଦିଆଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟ ଭଳି ପ୍ରତି ରାଜ୍ୟର ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ମଧ୍ୟ ଶତ ପ୍ରତିଶତ ବିଚାରପତି ନିଯୁକ୍ତି ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ବିଶେଷ ସୁତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଭିନ୍ନ ଉଚ୍ଚ ନ୍ୟାୟାଳୟଗୁଡ଼ିକରେ ଖାଲି ବିଚାରପତି ପଦଗୁଡ଼ିକୁ ପୂରଣ କରିବା ଲାଗି ଖୁବ୍‍ଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବ। ଉଚ୍ଚ ନ୍ୟାୟାଳୟ କଲେଜିୟମଗୁଡ଼ିକ ସାମ୍ଭବ୍ୟ ବିଚାରପତି ସୁପାରିସ ତାଲିକା ସର୍ବୋଚ୍ଚ ନ୍ୟାୟାଳୟ କଲେଜିଅମକୁ ପ୍ରଦାନ କରିବେ। ଏହି କ୍ରମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାଲି ବିଚାରପତି ପଦ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହେବା ସହ କଲେଜିୟମ ସୁପାରିସ ସମ୍ଭାବନା ରହିଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟକାଳରେ ବିଚାରପତି ନିଯୁକ୍ତି ଲାଗି କଲେଜିୟମ ଦୁଇଟି ସୁପାରିସ କରିଥିବା ବେଳେ ଆଗାମୀ ଦିନରେ ତୃତୀୟ ସୁପାରିସ ସମ୍ଭାବନା ସୃଷ୍ଟି ହୋଇଛି।

prayash

ଏବେ ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୧୮ ଜଣ ବିଚାରପତି ଅଛନ୍ତି। ସୋମବାର ନୂଆ ତିନିଜଣ ବରିଷ୍ଠ ଆଇନଜୀବୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଶପଥ ନେବାପରେ ଏଠାରେ ବିଚାରପତିଙ୍କ ସଂଖ୍ୟା ୨୧ରେ ପହଞ୍ଚିବ। ଇତିମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ କଲେଜିୟମର ସୁପାରିସ ଅନୁଯାୟୀ ଆଉ ଜଣେ ବରିଷ୍ଠ ଆଇନଜୀବୀ ବିଚାରପତି ଭାବେ ଶପଥ ନେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିବ। ଏଣୁ ଅବଶିଷ୍ଟ ୧୧ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କଲେଜିୟମ୍‍ଙ୍କୁ ରାଜ୍ୟର ବରିଷ୍ଠ ଆଇନଜୀବୀ ଓ ବରିଷ୍ଠ ବିଚାର ବିଭାଗୀୟ ଅଧିକାରୀଙ୍କ ନାମ ସୁପାରିସ କରିବାକୁ ପଡ଼ିବ। ଆଗାମୀ ସୁପାରିସରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ‘ଆଡ୍‍ଭୋକେଟ୍‍ ଅନ୍‍ ରେକର୍ଡ’ ତାଲିକାରୁ କେତେଜଣ ଓଡ଼ିଆ ଆଇନଜୀବୀଙ୍କ ନାମ ସୁପାରିସ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ। ବିଗତ ଦିନରେ ନୂତନ ବିଚାରପତିଙ୍କ ମଧ୍ୟରେ ମହିଳାଙ୍କ ଅନୁପାତ ବୃଦ୍ଧି ଦିଗରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ଗୁରୁତ୍ୱ ଦେଇଛନ୍ତି। ଏଣୁ ନୂଆ ସୁପାରିସ ତାଲିକାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ କଲେଜିୟମ ମହିଳା ଆଇନଜୀବୀ ଓ ବିଚାରବିଭାଗୀୟ ଅଧିକାରୀଙ୍କ ସଂଖ୍ୟା ପୂର୍ବାପେକ୍ଷା ଅଧିକ ରହିପାରେ।
ସୂଚନାଯୋଗ୍ୟ ଯେ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ (ଏନ୍‍ଜେଡିଜି) ତଥ୍ୟ ଅନୁଯାୟୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଚଳିତ ମାସ ୧୨ ତାରିଖ ସୁଦ୍ଧା ୨ ଲକ୍ଷ ୧ ହଜାର ୮୦୩ଟି ମାମଲା ବିଚାରାଧୀନ ଅଛି। ସେଥିମଧ୍ୟରୁ ୧ ଲକ୍ଷ ୫୦ ହଜାର ୧୭୭ଟି ଦେୱାନୀ ମାମଲା ହୋଇଥିବାବେଳେ ୫୧ ହଜାର ୬୨୬ଟି ଫୌଜଦାରୀ ମାମଲା ଅଟେ। ଉଚ୍ଚ ନ୍ୟାୟାଳୟରେ ବିଚାରପତି ସଂଖ୍ୟା ବୃଦ୍ଧି ପାଇଁ ମୁଖ୍ୟ ବିଚାରପତି ଏସ୍‍. ମୁରଲୀଧର ଚଳିତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିସ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଓ କେନ୍ଦ୍ର ସରକାର ମୁଖ୍ୟ ବିଚାରପତିଙ୍କ ପ୍ରସ୍ତାବ ଉପରେ ମୋହର ଲଗାଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି କରିଛନ୍ତି। ମୁଖ୍ୟ ବିଚାରପତିଙ୍କ ଏହି ପ୍ରସ୍ତାବକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବାବେଳେ ଉଚ୍ଚ ନ୍ୟାୟାଳୟରେ ବିଚାରାଧିନ ଥିବା ବହୁ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ଦିଗରେ ଏହା ବେଶ୍‍ ସହାୟକ ହେବ ବୋଲି ଆଶା କରାଯାଉଛି। ଉଚ୍ଚ ନ୍ୟାୟାଳୟରେ ଶତପ୍ରତିଶତ ବିଚାରପତି ନିଯୁକ୍ତି ଦ୍ୱାରା ଆଗାମୀ ଦିନରେ ମାମଲା ବୋଝ ହ୍ରାସ ପାଇବ।

kalyan agarbati

Comments are closed.