BJD Bijuli 480×75 Mob

ରାଜ୍ୟ ଭିଜିଲାନସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ

ଅବସରପ୍ରାପ୍ତ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ କ୍ଷମତା

BJD Bijuli 480×75 Mob

ନୂଆଦିଲ୍ଲୀ: ଭାରତୀୟ ପ୍ରଶାସନିକ ସେବା ଓଡ଼ିଶା କ୍ୟାଡ଼ର ଅବସରପ୍ରାପ୍ତ ଅଧିକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଅଧିକାର ନେଇ ରାଜ୍ୟ ଭିଜିଲାନସ ବିଭାଗ ଦ୍ୱାରା ଆଗତ ଏସଏଲପିର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିପକ୍ଷ ତଥା ଅବସରପ୍ରାପ୍ତ ଆଇଏଏସ ରମେଶ ଚନ୍ଦ୍ର ବେହେରାଙ୍କୁ ନୋଟିସ ଜାରି କରିଛନ୍ତି। ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ବିଚାରପତି ହୃଷିକେଶ ରାୟ ଓ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ ପ୍ରତିପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରି ପ୍ରତିପକ୍ଷଙ୍କ ସପକ୍ଷରେ ରାୟ ପ୍ରଦାନ କରିଥିଲେ।

ନ୍ୟାୟାଳୟରେ ମାମଲାର ଶୁଣାଣି ବେଳେ ରାଜ୍ୟ ଭିଜିଲାନସ ବିଭାଗର ଓକିଲ ପ୍ରକାଶ ରଞ୍ଜନ ନାୟକ ଦର୍ଶାଇଛନ୍ତି ଯେ ଗତ ୧ ଡିସେମ୍ବର ୨୦୧୪ରେ ସ୍ୱତନ୍ତ୍ର ଅଦାଲତ ଦ୍ୱାରା ଦୁର୍ନିତୀ ନିବାରଣ ଆଇନ ୧୯୮୮ ଅନୁଯାୟୀ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଦାଲତଙ୍କ ଆଦେଶନାମା ଆଧାରରେ ତାଙ୍କ ପେନସନ ଓ ଗ୍ରାଚ୍ୟୁଟି ଖାତା ସ୍ଥଗିତ ପାଇଁ ୨୯ ଫ୍ରେବୃଆରୀ ୨୦୨୦ରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପ୍ରସ୍ତାବ ଦେଇଥିଲା।

କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ୫ ଅଗଷ୍ଟ ୨୦୨୦ରେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ସରକାର ପଦକ୍ଷେପ ନେବାକୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାରଙ୍କ ମତାମତ ପରେ ରାଜ୍ୟ ସରକାର ତାଙ୍କ ପେନସନ ଓ ଗ୍ରାଚ୍ୟୁଟି ଖାତା ସ୍ଥଗିତ ପାଇଁ ନୋଟିସ ଜାରି କରିଥିଲେ। ୨ ଫ୍ରେବୃଆରୀ ୨୦୨୧ରେ ପେନସନ ଓ ଗ୍ରାଚ୍ୟୁଟି ସ୍ଥଗିତ ପ୍ରସ୍ତାବ କେନ୍ଦ୍ର ସଂଘ ସେବା ଆୟୋଗକୁ ପଠାଇବାକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପୁଣି ଚିଠି ଲେଖିଥିଲା।

କେନ୍ଦ୍ରୀୟ ନ୍ୟାୟ ପ୍ରାଧିକରଣଙ୍କ କଟକ ପୀଠ ୮ ଫ୍ରେବୃଆରୀ ୨୦୨୧ରେ ଓଡ଼ିଶା ସରକାରଙ୍କ ନୋଟିସକୁ ଖାରଜ କରିଥିଲେ। ୨୦୨୨ ମେ ୨୦ରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଜଣାଇଥିଲେ ଯେ ଅବସରପ୍ରାପ୍ତ ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଓଡ଼ିଶା ସରକାର ହିଁ ଉପଯୁକ୍ତ କର୍ତ୍ତୁପକ୍ଷ। କେନ୍ଦ୍ର ସରକାରଙ୍କ ମତାମତକୁ ଆଧାର କରି କେନ୍ଦ୍ରୀୟ ନ୍ୟାୟିକ ପ୍ରାଧିକରଣଙ୍କ ଆଦେଶନାମାକୁ ଚ୍ୟାଲେଞ୍ଜ କରି ରାଜ୍ୟ ସରକାର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମାମଲାର ବିଚାର କରି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଥିଲେ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ଓକିଲ ପ୍ରକାଶ ରଞ୍ଜନ ନାୟକ ନ୍ୟାୟାଳୟଙ୍କୁ ଦର୍ଶାଇଥିଲେ ଯେ ଅବସରପ୍ରାପ୍ତ ଓଡ଼ିଶା କ୍ୟାଡ଼ର ଆଇଏଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଓଡ଼ିଶା ସରକାର ହିଁ ଉପଯୁକ୍ତ କ୍ଷମତାପ୍ରାପ୍ତ କର୍ତ୍ତୁପକ୍ଷ।

Comments are closed.