ଭୂକମ୍ପ ଜୋନ୍-୩ରେ ଓଡ଼ିଶାର ୧୬ ଜିଲା

ପୁରୀରୁ ଯାଜପୁର ପର୍ଯ୍ୟନ୍ତ ଭୂତଳ ପ୍ଲେଟ୍‌ରେ ଫାଟ

ଭୁବନେଶ୍ବର : ରବିବାର ମରକ୍କୋ ଭୂକମ୍ପରେ ୨ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଲାଣି। ଅତୀତରେ ଭାରତରେ ମଧ୍ୟ ଅନେକ ଭୂକମ୍ପ ହୋଇଛି। ୨୦୦୧ରେ ଗୁଜରାଟରେ ବଡ଼ଧରଣ ଭୂକମ୍ପ ହୋଇଥିଲା। ସେତେବେଳେ ୧୩ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଭାରତର ଅନେକ ଅଞ୍ଚଳ ଭୂକମ୍ପ ଉଚ୍ଚ ବିପଦ ଅଞ୍ଚଳରେ ଆସୁଥିବା ବେଳେ ପୂର୍ବାଞ୍ଚଳ ମଧ୍ୟରେ ଓଡ଼ିଶାର ୧୬ଟି ଜିଲା ବିପଦପୂର୍ଣ୍ଣ ଜୋନ-୩ ଏବଂ ୧୪ଟି ଜିଲା ଜୋନ-୨ରେ ରହିଛି। ଉଚ୍ଚ ବିପଦ ଅଞ୍ଚଳରେ ଉପକୂଳବର୍ତ୍ତୀ ଅଞ୍ଚଳରୁ ଆରମ୍ଭ କରି ପଶ୍ଚିମ ଓଡ଼ିଶାର ସମ୍ବଲପୁର ଏବଂ ଉତ୍ତର ଓଡ଼ିଶାର ବାଲେଶ୍ବର ଆସୁଛି। ଜୋନ-୨ରେ ଦକ୍ଷିଣ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳ ରହିଛି। ଜୋନ-୩ରେ ଅଧିକାଂଶ ଅଞ୍ଚଳ ଆସୁଥିବାରୁ ଭୂକମ୍ପ ପ୍ରତି ଓଡ଼ିଶାକୁ ବିପଦ ରହିଥିବା କୁହାଯାଇଛି; କିନ୍ତୁ ବନ୍ୟା, ବାତ୍ୟା ପରି ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଉପରେ ସରକାର ଏବଂ ବିଭିନ୍ନ ଗବେଷଣା ସଂସ୍ଥା ଗୁଡ଼ିକ ପକ୍ଷରୁ ଲୋକଙ୍କୁ ଯେଉଁଭଳି ଆଗୁଆ ସତର୍କ ସୂଚନା ଦିଆଯାଉଛି, ଭୂକମ୍ପ ଉପରେ ସେହିଭଳି ସତର୍କ କରାଯାଉ ନାହିଁ। ଭୂକମ୍ପ ହେଲେ ଲୋ‌େ‌କ କ’ଣ କରିବା ଦରକାର ଏବଂ କ’ଣ କରିବେ ନାହିଁ ସେ ସମ୍ବନ୍ଧରେ ଅଜ୍ଞ ରହିଛନ୍ତି।
ବିଗତ ଦିନର ଭୂକମ୍ପନ ରେକର୍ଡରୁ ଜଣାଯାଏ ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏକାଧିକବାର ଭୂକମ୍ପ ଅନୁଭୂତ ହୋଇଛି। ଗଣ୍ଡୱାନା ଅବବାହିକା ସୀମା ଏବଂ ବଙ୍ଗୋପସାଗରରେ ମହାଦେଶ-ମହାସାଗରୀୟ ଭୂତ୍ବକ କ୍ଷେତ୍ର ସହିତ ଏହା ଜଡ଼ିତ। ଓଡ଼ିଶାର ମହାନଦୀ ଉପକୂଳ ଅବବାହିକାରେ, ପୂର୍ବ-ପଶ୍ଚିମ, ଉତ୍ତର-ପୂର୍ବ ଓ ଦକ୍ଷିଣ-ପଶ୍ଚିମ, ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଦିଗକୁ ପ୍ରବର୍ତ୍ତନ କରୁଥିବା ଅନେକ ଉପ-ପୃଷ୍ଠୀୟ ଚଳନ ବକ୍ରରେଖା ବିଶିଷ୍ଟ ବୋଲି ନିଷ୍ପତ୍ତି ସମର୍ଥନ ପ୍ରଣାଳୀ (ଡିଏସଏସ) ତଥ୍ୟରୁ ଜଣାପଡିଛି। ଭୂକମ୍ପ ବର୍ଗୀକରଣ ଅନୁଯାୟୀ ଦେଶକୁ ୪ଟି ଜୋନ୍ (୨, ୩, ୪ ଓ ୫)ରେ ବିଭକ୍ତ କରାଯାଇଛି। ଓଡ଼ିଶା ଜୋନ୍-୨ ଓ ୩ ମଧ୍ୟରେ ରହିଛି, ଅର୍ଥାତ୍ କମ ଆପଦ ପ୍ରବଣ ଅଞ୍ଚଳରୁ ମଧ୍ୟମ ଆପଦପ୍ରବଣ ଅଞ୍ଚଳ ରହିଛି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଅହମ୍ମଦାବାଦ ସମେତ ଗୁଜରାଟର ପ୍ରମୁଖ ଅଂଶ ମଧ୍ୟ ମଧ୍ୟମ ଧରଣର ବିପଦପୂର୍ଣ୍ଣ ଅଞ୍ଚଳରେ ରହିଛି। କିନ୍ତୁ ଅହମ୍ମଦାବାଦ ସହର ୨୦୦୧ ଭୂକମ୍ପ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା।
ଭୂକମ୍ପ ପ୍ରବଣ ଅଞ୍ଚଳ ଅନୁସାରେ ଜୋନ-୩ରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ମୟୂରଭଞ୍ଜ ଏବଂ ବାଲେଶ୍ବର ଆସୁଛି। ଏହି ଜୋନରେ ରିକ୍ଟର ସ୍କେଲରେ ୭ପର୍ଯ୍ୟନ୍ତ ଭୂକମ୍ପ ହୋଇପାରେ। ସେହିପରି ଜୋନ-୨ରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ନୟାଗଡ ଏବଂ କେନ୍ଦୁଝର ଅନ୍ତର୍ଭୁକ୍ତ। ଏହି ଜୋନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ସର୍ବାଧିକ ୪ ପର୍ଯ୍ୟନ୍ତ ହୋଇପାରେ, ଯାହାକି ବିଶେଷ କ୍ଷତି କରିବାର ସମ୍ଭାବନା ନାହିଁ। ହେଲେ, ଜୋନ-୩ରେ ଭୂକମ୍ପ ହେଲେ ବ୍ୟାପକ ଘରଦ୍ବାର, ଧନଜୀବନ କ୍ଷତିର ସମ୍ଭାବନା ରହିଛି। ସମଗ୍ର ଜଗତସିଂହପୁର ଜିଲା କେବଳ ମଧ୍ୟମ ଧରଣ କ୍ଷତି ଜୋନ୍ ଅଧୀନରେ ଆସୁଥିବା ବେଳେ ମଧ୍ୟମ ଧରଣର ବିପଦ ଜୋନ୍ ଥିବା ଅନ୍ୟ ସମସ୍ତ ଜିଲାର କିଛି ଅଂଶ ମଧ୍ୟ କମ୍ କ୍ଷତି ଜୋନ୍ ଅଧୀନରେ ରହିଛି। ରାଜଧାନୀ ବ୍ୟତୀତ କଟକ, ସମ୍ବଲପୁର, ବରଗଡ଼, ଅନୁଗୋଳ, ପୁରୀ, ପାରାଦ୍ବୀପ ବନ୍ଦର ଓ ହୀରାକୁଦ ଡ୍ୟାମ୍ ଭଳି ପ୍ରମୁଖ ଅଞ୍ଚଳ ମଧ୍ୟମ ଧରଣର ବିପଦ ସଙ୍କୁଳ ଭୂକମ୍ପ ଅଞ୍ଚଳ ମଧ୍ୟରେ ରହିଛି। ତେବେ ଓଡ଼ିଶାରେ ଭୂକମ୍ପର ଅଧିକ ତୀବ୍ରତା ବିଶେଷ ଭାବେ ଅନୁଭୂତ ହୋଇନାହିଁ। କେତେବେଳେ କେମିତି ଭୂକମ୍ପ ଝଟକା ମାରିଥାଏ, ଯେଉଁଥିରେ ବଡଧରଣ କ୍ଷତି ହୋଇନାହିଁ। ୨୦୧୪ ମେ’ ୨୧ରେ ରିକ୍ଟର ସ୍କେଲରେ ୬ ତୀବ୍ରତାର ଭୂକମ୍ପ ଆସିଥିଲା।
ଦିଲ୍ଲୀରୁ ହିମାଳୟ ଓ ଉତ୍ତରାଖଣ୍ଡ, ଝାଡଖଣ୍ଡ, ବିହାର, ଛତିଶଗଡ, ଆସାମ ଓ ଗୁଜରାଟ ଭୂକମ୍ପ ୫ମ ଜୋନରେ ରହିଛି, ଯାହାକି ଅତି ବିପଦପୂର୍ଣ୍ଣ ରେଖାରେ ରହିଛି। ଓଡ଼ିଶା ଗତ କିଛି ବର୍ଷ ହେବ ଉଚ୍ଚ ବିପଦ ମଧ୍ୟମ ଜୋନରେ ପାଦ ଦେଇଛି। କାରଣ ପୁରୀଠାରୁ ଯାଜପୁର ପର୍ଯ୍ୟନ୍ତ ଭୂତଳ ପ୍ଲେଟ ମଧ୍ୟରେ ଫାଟ ସୃଷ୍ଟି ହେବା ଚିନ୍ତାର କାରଣ ପାଲଟିଛି। ପଡ଼ୋଶୀ ରାଜ୍ୟରେ ଭୂକମ୍ପ ହେଲେ ଓଡ଼ିଶା ମଧ୍ୟ ଥରିବ। ଭୂକମ୍ପ ଜୋନରେ ଉଚ୍ଚ ଅଟ୍ଟାଳିକା ଗଢ଼ି ଉଠିବା ଫଳରେ ମାଟି ତଳେ ଟେକ୍ଟୋନିକ ପ୍ଲେଟରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ଆଗାମୀ ଦିନରେ ଭୟଙ୍କର ବିପଦକୁ ସାମ୍ନା କରିବାକୁ ପଡିପାରେ। ମାଟି ତଳେ ଏକାଧିକ ଟେକ୍ଟୋନିକ ପ୍ଲେଟ୍ ଭାସମାନ ଅବସ୍ଥାରେ ରହିଛି। ଏହି ପ୍ଲେଟ ପୃଥିବୀର ଭାରକୁ ସମ୍ଭାଳିଛି। ଯେଉଁ ସମୟରେ ଏହି ପ୍ଲେଟ ପରସ୍ପର ସହ ଘର୍ଷଣ ହୋଇଥାଏ, ଭୂକମ୍ପ ସ୍ଥିତି ଉତ୍ପନ୍ନ ହୁଏ। ଯେତେ ଅଧିକ ଏହି ଘର୍ଷଣ ସୃଷ୍ଟି ହେବ, ସେତେ ଶକ୍ତିଶାଳୀ ଭୂମିକମ୍ପ ହେବ। ପାଣିପାଗ ବିଶେଷଜ୍ଞ ଶରତଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶା ଜୋନ-୩ରେ ଆସୁଥିବାରୁ ବିପଦ ରହିଛି। ଭୂକମ୍ପକୁ ଆଗୁଆ ଜାଣିବା ସମ୍ଭବ ନୁହେଁ, ତଥାପି ଭୂକମ୍ପ ହେଲେ କିପରି କ୍ଷୟକ୍ଷତିରୁ ରକ୍ଷା କରାଯାଇ ପାରିବ ସେଥିପ୍ରତି ସମସ୍ତେ ସତର୍କ ଓ ସଚେତନ ରହିବା ଦରକାର। ଭୂକମ୍ପ ଅଞ୍ଚଳରେ କୋଠା ନିର୍ମାଣ କରିବାକୁ ହେଲେ ଟାଉନ ପ୍ଲାନରଙ୍କଠାରୁ ଘର କେଉଁଭଳି ତିଆରି କରାଯିବ ତାକୁ ପାଳନ କରିବା ଆବଶ୍ୟକ।

Comments are closed.