ଓଡ଼ିଶାର ପୂର୍ବତନ କ୍ରିକେଟ ଖେଳାଳି ଶ୍ୟାମାକାନ୍ତ ପଟ୍ଟନାୟକଙ୍କର ଆଜି ସକାଳେ କଟକଠାରେ ୮୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ରଣଜୀ ଟ୍ରଫି କ୍ରିକେଟରେ ଓଡ଼ିଶାର ପ୍ରତିନିଧିତ୍ବ କରିଥିଲେ। କଟକ ଟାଉନ ହଲସ୍ତିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କ୍ରିକେଟ ବ୍ୟତୀତ ସ୍ବର୍ଗତ ଶ୍ୟାମାକାନ୍ତ ଜଣେ ଫୁଟବଲ ଖେଳାଳି, ରେଫରୀ ଓ ଖ୍ୟାତନାମା କ୍ରୀଡା ସାମ୍ବାଦିକ ମଧ୍ୟ ଥିଲେ।
ତାଙ୍କ ମୃତ୍ୟୁରେ ରାଜ୍ୟର କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ଜଣାଶୁଣା ବ୍ୟକ୍ତି, କ୍ରୀଡ଼ାବିତ ଓ ଅନୁଷ୍ଠାନ ପକ୍ଷରୁ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଛି।



