ଯେଉଁ ଢଙ୍ଗରେ ଓ ରୂପରେ ୨୦୨୦-୨୧ ବର୍ଷର ଓଡ଼ିଶା ବଜେଟ ବିଧାନସଭାରେ ଉପସ୍ଥାପିତ ହୋଇଛି ଓ ଏଥିରେ ଯେଉଁ ସବୁ ନୂତନତ୍ବ ବା ଅଭିନବତା ରହିଛି ତାହା ଆକର୍ଷକ ନିଶ୍ଚିତ। ପେନ୍ଡ୍ରାଇଭ ଓ ଟାବଲେଟରେ ବଜେଟ୍ର ସବିଶେଷ ବିବରଣ ସହିତ ଏଥିପାଇଁ ସ୍ବତନ୍ତ୍ର ଆପ୍ ନିଶ୍ଚିତ ହାଇଟେକ୍ ଯୁଗ ସହ ତାଳ ମିଳାଇ ଚାଲିବାର ଆମ ସରକାରଙ୍କ ପ୍ରୟାସକୁ ପ୍ରମାଣିତ କରୁଛି। ପୁନର୍ବାର ବଜେଟର ଆକାର ବଢ଼ି ୧ ଲକ୍ଷ ୫୦ହଜାର କୋଟି ଟଙ୍କା ହେବା, ବଜେଟ ଭିତରେ ପୋଷଣ, ଶିଶୁ, ଜଳବାୟୁ ଓ ଆର୍ଥିକ ରଣକୌଶଳ ତଥା ଲିଙ୍ଗଭିତ୍ତିକ ବିଷୟକ କୁନିକୁନି ବଜେଟମାନ ସ୍ଥାନ ପାଇବା ଏକ ନୂଆକଥା। ମନେ ହେଉଛି ବଜେଟ ପ୍ରସ୍ତୁତିରେ ଅଭିନିବେଶ, ରୁଚି ଓ ପରିଚ୍ଛନ୍ନତା ରହିଛି। ନବୀନବାବୁଙ୍କ ଶାସନକାଳରେ ଓଡ଼ିଶାରେ ଅନେକ ନୂଆ କଥା ପ୍ରଥମକରି ହୋଇଛି ଓ ସେଥିପାଇଁ ଏହା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛି। ତେଣୁ ଏଥର ବଜେଟ ଉପସ୍ଥାପନର ଶୈଳୀ ଓ ଅଭିନବତାରେ ଓଡ଼ିଶା ସରକାର ନିଶ୍ଚିତ ଅବଶିଷ୍ଟ ଭାରତର ଦୃଷ୍ଟି ଆକର୍ଷଣ କରିବ ଏବଂ ଶାସକ ବିଜେଡି ଅବଶ୍ୟ ଏଥିରେ ଖୁସି ହେବ। ନୂଆଯୁଗରେ ପୁରୁଣା ଜିନିଷ ନୂଆ ବାଗରେ ହେବା ଭଲ। ତେବେ ବାର୍ଷିକ ଆୟ ବ୍ୟୟର ହିସାବ ଉପରେ ଏଇ ବାହ୍ୟ ଶୋଭା ଓ ଉପସ୍ଥାପନ ଶୈଳୀର ବିଶେଷ କୌଣସି ଫରକ ପଡ଼ିବନାହିଁ। କଥାରେ ଅଛି- ‘ଆଲୋ ମଉସା ଜଡ଼ ପଇସା’। ପଇସା ହିଁ ସବୁର ମୂଳ। ବର୍ଷକ ମଧ୍ୟରେ କେତେ ଅର୍ଥ କେଉଁ ସୂତ୍ରରୁ ଆସିବ, କେଉଁବାଟରେ କେତେ ଟଙ୍କା ଖର୍ଚ୍ଚ ହେବ, ନିଅଣ୍ଟ ପଡ଼ିଲେ ସେ ଟଙ୍କା କେଉଁଠୁ ଆସିବ ଏବଂ କେଉଁକେଉଁ କ୍ଷେତ୍ର ବା ବିଭାଗକୁ ଆବଶ୍ୟକତା ତଥା ଗୁରୁତ୍ବ ଦୃଷ୍ଟିରୁ କେତେ ଅର୍ଥ ଦିଆଯିବ ଏହା ତ ବଜେଟର ସରଳସୂତ୍ର। ଆଖର, ଲୋକେ ପଚାରିବେ ଏ ସୁନ୍ଦରିଆ ବଜେଟରେ ଅଛି କ’ଣ? ଆହୁରି ମଧ୍ୟ ନିଜନିଜ ଗରଜ ଅନୁସାରେ ପ୍ରତ୍ୟେକ ବର୍ଗ ପ୍ରଶ୍ନ କରିବେ ସେମାନଙ୍କ ପାଇଁ ସରକାର ବଜେଟରେ କି ସୁବିଧା କରିଛନ୍ତି।
ପୂର୍ବଭଳି ଆଜିକାଲି ବଜେଟ ମଧ୍ୟ ଏକ ରାଜନୈତିକ ପିଠା ହୋଇ ରହିଥିଲେ ହେଁ ଏଥିରେ ସୁରଭି ଓ ଶୋଭନ ଅଧିକ ଦେବାକୁ ଚେଷ୍ଟା କରାଯାଉଛି। ସବୁବର୍ଗକୁ ଖୁସି କରିବା ସହ ଲୋକଙ୍କ ଆଖିରେ ପଡ଼ିବାଭଳି ବଜେଟକୁ ପ୍ରସ୍ତୁତ କରାଯାଉଛି। ଓଡ଼ିଶା ସରକାର ସେ ଗୁଳାରେ ମଧ୍ୟ ପଡ଼ିଛନ୍ତି। ସର୍ବବୃହତ୍ ଆକାରର ବଜେଟ ଏଥର ଉପସ୍ଥାପିତ କରିଥିଲେ ହେଁ ହାତରେ ଧନ ନଥିବାରୁ ୨୫,୭୦୦ କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବ ବର୍ଷଗୁଡ଼ିକର ଋଣ ମିଶାଇଲେ ରାଜ୍ୟର ମୋଟ ଦେଣା ବା କରଜ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ହେବ। ତେଣୁ ୧ ଲକ୍ଷ ୫୦ହଜାର କୋଟି ଟଙ୍କାର ବଜେଟ କରିବାରେ କିଛି ବିଶେଷତ୍ବ ନାହିଁ। ନୂଆଯୋଜନା, କାର୍ଯ୍ୟକ୍ରମ ଆଦି କଲେ ଅର୍ଥର ଆବଶ୍ୟକତା ବଜେଟରେ ବଢ଼ିବ। ଆହୁରି ମଧ୍ୟ ଯୋଜନାର ବ୍ୟୟ ବୃଦ୍ଧି ଯୋଗୁ ବଜେଟ ଆକାର ବଢ଼ିବାକୁ ବାଧ୍ୟ। ବଜେଟ ବଡ଼ କରିବା ଦୋଷାବହ ନୁହେଁ ଏବଂ ଏକ ଅଭିବୃଦ୍ଧିଶୀଳ ଅର୍ଥନୀତି ପାଇଁ ଏହାର ଆବଶ୍ୟକତା ରହିଛି। ଅସଲ କଥା ହେଲା ଋଣକୁ ନିୟନ୍ତ୍ରଣରେ ରଖି ନିଜସ୍ବ ତଥା ବିକଳ୍ପ ଉତ୍ସରୁ କେତେ ଅର୍ଥ ସଂଗ୍ରହ କରିହେବ ଏବଂ ବଜେଟ ଆବଶ୍ୟକତା ମେଣ୍ଟାଇହେବ ତାହା ବଡ଼ କଥା। ତା’ ନହେଲେ ଅର୍ଥାଭାବରୁ ଅଧାବାଟରେ ଅଧିକାଂଶ ଯୋଜନା ବନ୍ଦ ହୋଇଯିବ।
ଓଡ଼ିଶା ସରକାର ଏବେ ଯେଉଁସବୁ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦେଉଛନ୍ତି ଏବଂ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଯେଉଁସବୁ କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ଏଥର ସେ ସବୁ ବିଭାଗର ବ୍ୟୟବରାଦ ଦୁଇଗୁଣ କରିଛନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ମହିଳା, ଶିଶୁ, ଅନଗ୍ରସର ବର୍ଗ ଓ ପୋଷଣ ଆଦି କ୍ଷେତ୍ର ପାଇଁ ଯେଉଁ ବ୍ୟୟବରାଦ କରିଛନ୍ତି ତାହା ସ୍ବାଗତଯୋଗ୍ୟ। ଆହୁରି ମଧ୍ୟ ଦେଖାଯାଉଛି ଯେ ରାଜ୍ୟରେ ଯେଉଁସବୁ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେଉଛି ସେ ବାବଦ ରାଜ୍ୟର ଆନୁପାତିକ ଅଂଶପୂରଣ କରିବାକୁ ଆବଶ୍ୟକ ବ୍ୟୟବରାଦ କରାଯାଇଛି। ସରକାର ଜାଣିଛନ୍ତି ଯେ ରାଜ୍ୟ ତାହାର ଅଂଶ ପ୍ରଦାନରେ ବିଫଳ ହେଲେ ବିପୁଳ କେନ୍ଦ୍ରୀୟ ସହାୟତା ଫେରିଯିବ। ତେଣୁ ଏ କାମଟି୍କୁ ଠିକ୍ଠାକ୍ କରାଯାଇଛି। କୃଷିବଜେଟ ପୂର୍ବାପେକ୍ଷା କମିଥିଲେ ହେଁ ‘କାଳିଆ’ ଗୋଳମାଳର ପ୍ରଭାବରୁ ଏହାକୁ ମୁକ୍ତ କରିବାକୁ ସ୍ବତନ୍ତ୍ର ଅର୍ଥ ‘କାଳିଆ’ ପାଇଁ ବରାଦ କରାଯାଇଛି। ତେଣୁ ଚାଷ ଓ ଚାଷୀଙ୍କ ପାଇଁ ବଜେଟ ଊଣା ହୋଇନାହିଁ। ଲୋକଙ୍କ ଆୟବୃଦ୍ଧି ପାଇଁ ମାଛ ଚାଷ ଓ ଅନ୍ୟାନ୍ୟ ଧନ୍ଦା ନିମନ୍ତେ ବଜେଟରେ ଅବଶ୍ୟ ବ୍ୟବସ୍ଥା କରାଯାଇଛି। ହେଲେ ଯୁବବର୍ଗ ଓ ନିଯୁକ୍ତି ଆଶାୟୀଙ୍କ ପାଇଁ ରୋଜଗାର ସୃଷ୍ଟି ନିମନ୍ତେ ଯେଉଁସବୁ ବ୍ୟବସ୍ଥା ହେବାକଥା ବଜେଟରେ ତାହାକୁ ଗୌଣ ଦୃଷ୍ଟିରେ ଦେଖାଯାଇଛି। କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ, ଭିତ୍ତିଭୂମି ଉନ୍ନୟନ, ଆଇଟି ଓ ସେବାକ୍ଷେତ୍ରର ଉନ୍ନତି ଆଦି ପାଇଁ ବଜେଟରେ ଯେଉଁ ଅର୍ଥବରାଦ ହୋଇଛି ତାହା ନାକରା ଓ ନାମକୁ ମାତ୍ର। ମାମୁଲି ଅର୍ଥ ବରାଦ କରି ଆଇଟି, ଶିଳ୍ପ, ବାଣିଜ୍ୟ, ଉଦ୍ୟୋଗ, କ୍ରୀଡ଼ା ଓ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବିଶ୍ବସ୍ତରୀୟ ଭିତ୍ତିଭୂମି ନିର୍ମାଣ କରିବା ଏକପ୍ରକାର ଅସମ୍ଭବ ବ୍ୟାପାର। ତେଣୁ ରୋଜଗାର ସୃଷ୍ଟି ଆଶାନୁରୂପ ନ’ହେବା ଆଶଙ୍କା ଅଧିକ। ଲୋକଙ୍କ ଆୟ ନ ବଢ଼ିଲେ, ସବୁକ୍ଷେତ୍ରର ବିକାଶ ନ’ହେଲେ ଅଭିବୃଦ୍ଧି ବଢ଼ିବା କଷ୍ଟ। ଏବେ ପୁଣି ସାରା ବିଶ୍ବ ଓ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲିଛି। ଏ ସ୍ଥିତିରେ ୭ ଶତାଂଶରୁ ଅଧିକ ଅର୍ଥନୈତିକ ଅଭିବୃଦ୍ଧି ଆଶା କରିବା ସହଜ ହୋଇ ନ’ପାରେ।
ବଜେଟରେ ସରକାର ‘ଚୂନା ଦେଖି ପିଠା’ ପନ୍ଥା ଅବଲମ୍ବନ ପରିବର୍ତ୍ତେ ନିଜର ସୁବିଧାମତେ ଫେରବଦଳ କରି ନିଜ ଅଗ୍ରାଧିକାର କ୍ଷେତ୍ର ପାଇଁ ଅଧିକ ଅର୍ଥ ବରାଦ କରିବାକୁ ବାଧ୍ୟ ହୋଇଛନ୍ତି। ଏଥିରେ ‘ମୋ ସରକାର’ ଓ ‘୫-ଟି’ ମନ୍ତ୍ର ବରଂ ପ୍ରତିଫଳିତ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।
ସେଥିପାଇଁ ଅନେକ ବିଭାଗ ଓ କ୍ଷେତ୍ରକୁ ଉପଯୁକ୍ତ ନ୍ୟାୟ ମିଳିନାହିଁ। ରାଜନୈତିକ ବାଧ୍ୟବାଧକତା ଓ ଚାଲିଥିବା ଯୋଜନାଗୁଡ଼ିକ ବଞ୍ଚାଇବାକୁ ଏହା କରାଯାଇଛି। ସରକାରଙ୍କ ଆର୍ଥିକ ସ୍ଥିତି ଓ ଯୋଜନାଗୁଡ଼ିକର ଆବଶ୍ୟକତାକୁ ଦେଖିଲେ ମନେହୁଏ ବର୍ଷ ଶେଷରେ ସରକାରୀ ଋଣଭାର ମୋଟ ଘରୋଇ ଉତ୍ପାଦର ନିରାପଦ ପ୍ରତିଶତ ସୀମା ଅତିକ୍ରମ କରିବ। ସେଇଭଳି ବିତ୍ତୀୟ ନିଅଣ୍ଟ ମଧ୍ୟ ସକଳ ଘରୋଇ ଆୟର ତିନିପ୍ରତିଶତ ସୀମା ମଧ୍ୟରେ ସୀମିତ ରହି ନ’ପାରେ। ଖଣିକ୍ଷେତ୍ର ଓ ଖଣିଜ ପରିବହନ ସ୍ଥିତି ଯଦି ସୁଧୁରିଯାଏ ଏବଂ କୃଷି ଉତ୍ପାଦନ ଯଦି ଭଲ ହୁଏ ଏବଂ କୌଣସି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ନ’ଘଟେ ସରକାର ହୁଏତ ବର୍ତ୍ତିଯିବେ। ତା’ ନହେଲେ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ।
ଓଡ଼ିଶା ବଜେଟରେ ‘ମୋ ସରକାର’ ; ‘୫-ଟି’ର ପ୍ରତିଫଳନ
Popular Categories



