ରାଜ୍ୟ ବାସ୍କେଟବଲ : ବିଏଏ ମହିଳା ; ଡାକ ବିଭାଗ ପୁରୁଷ ବିଜେତା

କଟକ  : ଓଡ଼ିଶା ବାସ୍କେଟବଲ ଆସୋସିଏସନ ଆନୁକୂଲ୍ୟରେ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ ଓ ବାରବାଟୀ ଷ୍ଟାଡ଼ିୟମସ୍ଥ ବାସ୍କେଟବଲ କଂପ୍ଲେକ୍ସରେ  ଚାଲିଥିବା ୬୨ତମ ନାଲ୍‌କୋ କପ୍‌ ରାଜ୍ୟ ବାସ୍କେଟବଲ ପ୍ରତିଯୋଗିତା​‌ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ପୁରୁଷ ବିଭାଗରେ ଓଡ଼ିଶା ଡାକ ବିଭାଗ ବିଜେତା ଓ କଟକ ଜିଲା କ୍ରୀଡ଼ା ସଂସଦ ଉପ ବିଜେତା, ମହିଳାରେ ଭୁବନେଶ୍ବର ଦୌଡ଼କୁଦ ମହାସଂଘ ବିଜେତା ଓ ଏଣ୍ଟରଟେନର ଉପ ବିଜେତା ହୋଇଛନ୍ତି। ରବିବାର ଖେଳାଯାଇଥିବା ମହିଳା ବିଭାଗ ଫାଇନାଲରେ ଭୁବନେଶ୍ବର ଦୌଡ଼କୁଦ ମହାସଂଘ ୫୬-୨୮ରେ ଏଣ୍ଟରଟେନରକୁ ଓ ପୁରୁଷ ବିଭାଗ ଫାଇନାଲରେ ଓଡ଼ିଶା ଡାକ ବିଭାଗ ୯୩-୮୦ରେ କଟକ ଜିଲା କ୍ରୀଡ଼ା ସଂସଦକୁ ପରାସ୍ତ କରିଛି। ପୁରସ୍କାର ବିତରଣୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ଆର. ଭିନିଲ କ୍ରିଷ୍ଣା, ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ) ସମ୍ପାଦକ ଆଶୀର୍ବାଦ ବେହେରା, ବିଧାୟକ ସୌଭିକ୍‌ ବିଶ୍ବାଳ, ଓଡ଼ିଶା ହକି ପ୍ରମୋସନ ବୋର୍ଡ ଅଧ୍ୟକ୍ଷ ତଥା ଅଲିମ୍ପିଆନ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଓଡ଼ିଶା ବାସ୍କେଟବଲ ଆସୋସିଏସିନ ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ପରିଡା, ସମ୍ପାଦକ ଅଶୋକ କୁମାର ସାହୁ ପ୍ରମୁଖ କୃତି ଦଳକୁ ପୁରସ୍କାର ଦେଇଥିଲେ।

Comments are closed.