ଟିଟିଲାଗଡ଼ : ସାମାଜିକ ମିଳାମିଶାର ପର୍ବ ନୂଆଖାଇ ଚଳିତ ବର୍ଷ କରୋନା ମହାମାରୀ ଭୟରେ କିଭଳି ପାଳନ ହେବ ସେ ନେଇ ଚିନ୍ତା ପ୍ରକଟ ହୋଇଛି। ସଂକ୍ରମଣ ବୃଦ୍ଧି ଘଟଣା ନେଇ ଚଳିତ ବର୍ଷ ଟିଟିଲାଗପଡ ସହର ବାସିନ୍ଦାଙ୍କ ମଧ୍ୟରେ ପୁର୍ବ ପରି ଆଗ୍ରହ ନଥିବା ପରିଲକ୍ଷିତ ହୋଇଛି। ସହରର କୋଣ ଅନୁକୋଣକୁ ମହାମାରୀ ଛୁଇଁ ସାରିଛି। ଆଜି ଗଣେଶ ପୂଜାରେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୭୨ ଜଣଙ୍କ ସ୍ୱାବ ଆଣ୍ଟିଜେନ ପରିକ୍ଷା ହୋଇଛି। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ତୁରନ୍ତ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ନେଇ ସହରରେ ବିଭିନ୍ନ ଆଲୋଚନା ହୋଇଛି।
ଗତ କିଛି ଦିନ ହେଲା ବ୍ୟାପକ ଟେଷ୍ଟ ପରେ ଟିଟିଲାଗଡ ପୌରାଂଚଳରେ ୨୯ଟି କେସ ସକ୍ରିୟ ରହିଥିବା ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡା. କୃଷ୍ଣଚନ୍ଦ୍ର ପାଳ କହିଛନ୍ତି। ଅପରପକ୍ଷରେ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମକୁ ଯାଇ ସ୍ୱାସ୍ଥ୍ୟକର୍ମୀ ଆଣ୍ଟିଜେନ ପରୀକ୍ଷା ଜାରି ରଖିଛନ୍ତି। ଅଦ୍ୟାବଧି ୧୨୦୦ରୁ ଊର୍ଦ୍ଧ୍ବ ଲୋକଙ୍କ ଟେଷ୍ଟ ସରିଛି। ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨ ସୁସ୍ଥ ହୋଇ ଫେରିଥିବା ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡା. ମିନିକେତନ କିଷାନ ସୁଚନା ଦେଇଛନ୍ତି। ତାଙ୍କ ତତ୍ୱାବଧାନରେ ପୁର୍ବରୁ ସଂକ୍ରମିତ ଚିହ୍ନିତ ଜଗୁଆ ଗ୍ରାମପଂଚାୟତର ତୁର୍ଲା ଗ୍ରାମରେ ଗତକାଲି ଠାରୁ ପରୀକ୍ଷା ଜାରି ରହିଛି। ଅଂଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧନ କରାଯାଇଛି। ନୂଆଖାଇ ସମୟରେ ସଂକ୍ରମିତ ହେଲେ ଘରୁ ନେଇଯିବେ ବୋଲି ଲୋକଙ୍କ ମଧ୍ୟରେ ଟେଷ୍ଟ କୁ ନେଇ ଭୟ ଦୂର କରିବାକୁ ଖୋଦ ସ୍ଥାନୀୟ ସରପଂଚ ସୁଦାମ ମାଝୀ ନିଜର କୋଭିଡ୍ ପରୀକ୍ଷା କରିବା ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ଦିଗସିରା ଗ୍ରାମରେ ୭୯ ଜଣଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଛି। ସମସ୍ତ ରିପୋର୍ଟ ଅଦ୍ୟାବଧି ଜିଲା ପ୍ରଶାସନ ପକ୍ଷରୁ ସାର୍ବଜନୀନ ହୋଇନାହିଁ। ଏନେଇ ନିତ୍ୟ ନୂଆ କେସ ଜୋଡି ହେଉଥିବା ବେଳେ ଅଂଚଳରେ ହଇଚଇ ସୃଷ୍ଟି କରିଛି। ଏକ ପଂଚାୟତରେ ଜିଲାପାଳ କ୍ଷମତା ପ୍ରାପ୍ତ ସରପଂଚ ଖୋଦ ଭୟ କରି ନିଜ ପଂଚାୟତରେ ପରୀକ୍ଷା ଚାଲିଥିବା ବେଳେ ଅନୁପସ୍ଥିତ ରହିବା ଆଲୋଚନାର ବିଷୟ ହୋଇଛି।
ଏନେଇ ସମ୍ପୃକ୍ତ ସରପଂଚଙ୍କୁ ପଚାରିବାରୁ ନୁଆଖାଇ ଟେ ଅଛେ, ପିଲାଛୁଆର କଥା ନେଇ ଜାନନ୍ କେଁ ବୋଲି କହିଛନ୍ତି। ପୁର୍ବରୁ ସହର ମଧ୍ୟରେ ରହିଥିବା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ସଂକ୍ରମିତ ହେବା ନେଇ କାର୍ଯ୍ୟାଳୟକୁ ସମ୍ପୁର୍ଣ୍ଣ ସଟଡାଉନ କରାଯାଇଛି। ଅଗ୍ନିଶମ ବିଭାଗ ପହଂଚି ବିଶୋଧନ କରିଛନ୍ତି। ଅପରପକ୍ଷରେ ଏକ ଘରୋଇ ନର୍ସିଙ୍ଗ ହୋମରେ କାର୍ଯ୍ୟରତ କର୍ମଚାରୀ ଆକ୍ରାନ୍ତ ହୋଇଥିବା ନେଇ ସମସ୍ତ ରୋଗୀଙ୍କୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର ପରେ ପ୍ରଶାସନ ସିଲ କରିଥିବା ଜଣାଯାଇଛି। ଉକ୍ତ ନର୍ସିଙ୍ଗ ହୋମରେ ସର୍ବଦା ଭିଡ ଲାଗି ରହୁଥିବା ବେଳେ ପ୍ରଶାସନ କଣ୍ଟାକ୍ଟ ଟ୍ରେସିଙ୍ଗ ସହ ସନ୍ଦିଗ୍ଧଙ୍କ ଟେଷ୍ଟ କରିବାକୁ ସାଧାରଣରେ ଦାବି ହୋଇଛି। ଏଭଳି ପରିସ୍ଥିତିରେ ସାମାଜିକ ମିଳନର ପର୍ବ ନୂଆଖାଇ ପାଳନ ନେଇ ସାମାଜିକ ଦୂରତା କିଭଳି ପାଳନ ହେବ ସେନେଇ ବୁଦ୍ଧିଜୀବୀ ମହଳରେ ଚିନ୍ତା ଉଦ୍ରେକ କରିଛି। ବଲାଙ୍ଗିର ଜିଲାପାଳ ଅରିନ୍ଦମ ଡାକୁଆ ଏନେଇ ଟିଟିଲାଗଡ ବ୍ଲକ ସରପଂଚ ସଂଘ ସଭାପତି ବିରବର ସାହୁଙ୍କୁ ଫୋନ କରି ସମସ୍ତ ସରପଂଚ ଜାଗତିଆର ହେବାକୁ ପରାମର୍ଶ ଦେଇଛନ୍ତି।



