www.samajalive.in
Sunday, December 14, 2025
23.1 C
Bhubaneswar

ଏନଏସଏସ ସ୍ବେଚ୍ଛାସେବୀଙ୍କ ପାଇଁ ଭାରତ ଦର୍ଶନ କାର୍ଯ୍ୟକ୍ରମ, ଏହିଭଳି ଆୟୋଜନ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର: ଆଜି ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଏନଏସଏସ ସ୍ବେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀମାନଙ୍କ ପାଇଁ ଭାରତ ଦର୍ଶନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଜାତୀୟ ସ୍ତରର ଏହି ପରିଭ୍ରମଣ କାର୍ଯ୍ୟକ୍ରମରୁ ଯୁବ ଏନଏସଏସ ସ୍ବେଚ୍ଛାସେବୀ ଓ ଅଧିକାରୀଗଣ ସକରାତ୍ମକ ଅନୁଭୂତି ସଂଗ୍ରହ କରି ଭବିଷ୍ୟତରେ ସମାଜସେବା ପ୍ରତି ଉତ୍ସର୍ଗୀକୃତ ହେବା ପାଇଁ ଆହ୍ବାନ ଦେଇଥିଲେ ।

ଏହି ଅବସରରେ ଅଭିଭାଷଣ ରଖି ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ଏହି ଯୁବ ଯୋଜନାକୁ ଅଧିକ ବ୍ୟାପକ କରିବା ପାଇଁ ଆମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଛନ୍ତି ଓ ଚଳିତ ଆର୍ଥିକ ବର୍ଷରେ ଏନଏସଏସ ସ୍ବେଚ୍ଛାସେବୀଙ୍କ ପାଇଁ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସଂପ୍ରତି ରାଜ୍ୟରେ ଏକ ଲକ୍ଷ ୨୪ ହଜାର ଏକ ଶହ ଜଣ ଛାତ୍ରଛାତ୍ରୀ ଏନଏସଏସ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି । ଜିଲାସ୍ତରୀୟ ଯୁବନେତୃତ୍ୱ ବିକାଶ ପ୍ରଶିକ୍ଷଣ, ରାଜ୍ୟସ୍ତରୀୟ ସଂହତି ଶିବିର, ପ୍ରତିଭା ଅନ୍ବେଷଣ ଉତ୍ସବ, ଜନଜାତି ସ୍ବେଚ୍ଛାସେବୀଙ୍କ ଦକ୍ଷତା ବିକାଶ, କୃଷିରେ ଜୈବସାର ପ୍ରୟୋଗ ତାଲିମ ଶିବିର ଏବଂ ଭାରତ ଦର୍ଶନ ଇତ୍ୟାଦି ଅଭିନବ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଓଡ଼ିଶା ଏନଏସଏସ ସାରା ଦେଶରେ ଅନନ୍ୟ ଉଦାହରଣ ସୃଷ୍ଟି କରିପାରିଛି। ମୁଁ ଏହି ଭାରତ ଦର୍ଶନ କାର୍ଯ୍ୟକ୍ରମର ସଫଳତା କାମନା କରୁଛି ବୋଲି ଆଶାବ୍ୟକ୍ତ କରିଥିଲେ ।

- Advertisement -

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ମୋ କଲେଜ ଅଭିଯାନ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହି ଭଳି ପରିଭ୍ରମଣ କାର୍ଯ୍ୟକ୍ରମ ସ୍ବେଚ୍ଛାସେବୀମାନଙ୍କ ଜୀବନରେ ଗଭୀର ପ୍ରଭାବ ପକାଇବ ବୋଲି ବ୍ୟକ୍ତ କରି ସ୍ବେଚ୍ଛାସେବୀମାନେ ନିଜର ଅନୁଭୂତିକୁ ଲିପିବଦ୍ଧ କରି ଆଗାମୀ ଦିନରେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସେ ନିଜର ଏନ୍‌ଏସ୍‌ଏସ୍‌ ଅଭିଜ୍ଞତା ସଂପର୍କରେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ନିଜର ଅଭିଭାଷଣରେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ସଫଳ ହେଲେ ଆଗାମୀ ବର୍ଷରେ ଏ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ଅଧିକ ପିଲାଙ୍କୁ ସାମିଲ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ପରିଭ୍ରମଣ ଅବସରରେ ସ୍ବେଚ୍ଛାସେବୀମାନେ ଭାରତବର୍ଷର ବିଭିନ୍ନ ସହର ପରିକ୍ରମା କରିବା ସହିତ ଭାରତର ଉଚ୍ଚ ଐତିହ୍ୟ, ପରମ୍ପରା ସଂପର୍କରେ ଅବଗତ ହୋଇ ଭାରତର ବ୍ୟାପକ ସଂସ୍କୃତି ସହିତ ଅଧିକ ଯୋଡ଼ି ହୋଇପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ ।

ଅନ୍ୟତମ ସମ୍ମାନିତ ଅତିଥି ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ସୁଶ୍ରୀ ସରିତା ପଟେଲ ଭାରତ ସରକାରଙ୍କ ପକ୍ଷରୁ ଏନ୍‌ଏସ୍‌ଏସ୍‌ ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବା ସହିତ ଏହି ୭ ଦିନର ଭ୍ରମଣ ଦ୍ୱାରା ସ୍ବେଚ୍ଛାସେବୀମାନେ ନିଜ ନିଜ ସମସ୍ୟାର ସମାଧାନ କରି ନିଜେ ବଞ୍ଚିବା ସହିତ ଅନ୍ୟମାନଙ୍କୁ ବଞ୍ଚିବାକୁ ଦେବାର କଳା ଶିଖିପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

ଏହି ଅବସରରେ ଜାତୀୟ ସେବା ଯୋଜନା ରାଜ୍ୟଶାଖା ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଉତ୍ତରୀୟ ଓ ସ୍ମୃତିଫଳକ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ୍ୱଚ୍ଛାସେବୀ ଜୟଶ୍ରୀ ସାହୁ, ସୁଶାନ୍ତ କୁମାର ସାହୁ ଏବଂ କାର୍ଯ୍ୟକ୍ରମ ସଂଯୋଜକ ଡ. ସୁଶାନ୍ତ କୁମାର ପଟ୍ଟନାୟକ ନିଜର ଅନୁଭୂତି ଉପସ୍ଥାପନ କରିଥିଲେ ।
ଏଠାରେ ସୂଚନାଯୋଗ୍ୟ ଯେ ଏହି ଭାରତ ଦର୍ଶନ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଏକ ଅଭିନବ ଏବଂ ସମଗ୍ର ଦେଶରେ ପ୍ରଥମ କରି ହେଉଥିବା କାର୍ଯ୍ୟକ୍ରମ ।

ଗ୍ରାମାଞ୍ଚଳରେ ମହାବିଦ୍ୟାଳୟସ୍ତରରେ ରକ୍ତଦାନ, ବୃକ୍ଷରୋପଣ ଆଦି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଥିବା ମହାବିଦ୍ୟାଳୟର ଏନଏସଏସ ସ୍ବେଚ୍ଛାସେବୀଙ୍କୁ ଉତ୍ସାହିତ କରିବା ପାଇଁ, ସେମାନଙ୍କ ମନରେ ସେବା ମନୋଭାବ ଅଧିକ ଜାଗ୍ରତ କରିବା ନିମନ୍ତେ ରାଜ୍ୟର ୧୦୦ ଜଣ ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଖର୍ଚ୍ଚରେ ଉତ୍ତର ଭାରତର ମଥୁରା, ବୃନ୍ଦାବନ, ଦିଲ୍ଲୀ, ଜୟପୁର, ରାୟପୁର ସମେତ ବିଭିନ୍ନ ସହର ଓ ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିବାର ସୁଯୋଗ ପ୍ରଦାନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀମାନଙ୍କ ସହିତ କାର୍ଯ୍ୟକ୍ରମ ଅଧିକାରୀମାନେ ସାମିଲ ହୋଇଛନ୍ତି । ଫେବୃଆରୀ ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ଭ୍ରମଣ ଅବସରରେ ସ୍ବେଚ୍ଛାସେବୀମାନେ ଉତ୍ତର ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଏନଏସଏସ କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟବଳୀକୁ ଅନୁଧ୍ୟାନ କରିବାର ସୁଯୋଗ ପାଇବେ ।

ରାଜ୍ୟ ଏନଏସଏସ ଅଧିକାରୀ ତଥା ଉପଶାସନ ସଚିବ ଡ. ରମେଶ ଚନ୍ଦ୍ର ବେହେରା ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ନିରଦ ବରଣ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ବେଲମତି ଖୁମୁରା ସହଯୋଗ କରିଥିଲେ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories