‘ଏନପିଏସ’ କର୍ମଚାରୀଙ୍କ ପାଇଁ ବିକଳ୍ପ ଅବଧି ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସରକାର ଯୋଗ୍ୟ ସରକାରୀ କର୍ମଚାରୀଙ୍କ ହିତକୁ ଦୃଷ୍ଟିରେ ରଖି ଗୁୁରୁବାର ଏକ ସୁଯୋଗ ସୃଷ୍ଟି କରିଛନ୍ତି। ଜାତୀୟ ପେନସନ ବ୍ୟବସ୍ଥା ଅଧୀନରେ ନିୟମ ଅନୁଯାୟୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରବର୍ଗଙ୍କ ଲାଗି ପେନସନ ପ୍ରଦାନ ବ୍ୟବସ୍ଥା ରହିଛି । ଅର୍ଥ ବିଭାଗର ପୂର୍ବ ନିର୍ଦେଶ ଅନୁସାରେ, କର୍ମଚାରୀମାନେ ଚାକିରି କାର୍ଯ୍ୟକାଳର ଗୋଟିଏ ବର୍ଷ ମଧ୍ୟରେ ସେମାନଙ୍କ ପରିବାର ମଧ୍ୟରୁ ବିକଳ୍ପ ପେନସନ ହିତାଧିକାରୀଙ୍କ ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କଥା, ହେଲେ ଏହି ସମୟ ଅବଧି ମଧ୍ୟରେ କିଛି କର୍ମଚାରୀଙ୍କ ପରିବାର ପେନସନ ଲାଗି ବିକଳ୍ପ ତଥ୍ୟ ପ୍ରଦାନ କରିବାରେ ସମର୍ଥ ହୋଇ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ଅବଧିକୁ ୧ବର୍ଷ ପାଇଁ ବୃଦ୍ଧି କରାଯାଇଛି।
ଗୁରୁବାର ଏ ସଂକ୍ରାନ୍ତରେ ଅର୍ଥ ବିଭାଗ ପକ୍ଷରୁ ଏକ ନିର୍ଦେଶନାମା ଜାରି ହୋଇଛି। ଏଥିରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ଦର୍ଶାଇଛନ୍ତି ଯେ, ସଂପୃକ୍ତ କର୍ମଚାରୀଙ୍କ ପରିବାରର ହିତକୁ ଦୃଷ୍ଟିରେ ରଖି ଏହି ଅବଧିକୁ ଆଉ ଗୋଟିଏ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆଗରୁ ଏହି ଅବଧି ୨୦୨୩ ମେ’ ୧୦ ତାରିଖ ରହିଥିବା ବେଳେ ଏବେ ଏହାକୁ ୨୦୨୪ ମେ’ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଗଲା ବୋଲି ସେ ଦର୍ଶାଇଛନ୍ତି।

Comments are closed.