ନୂଆଦିଲ୍ଲୀ: ପାକିସ୍ତାନ ସିନ୍ଧ ପ୍ରଦେଶରେ ଦୁଇଜଣ ହିନ୍ଦୁ ନାବାଳିକା ଅପହରଣ ଓ ଧର୍ମାନ୍ତରୀକରଣ ପରେ ବିବାହ ମାମଲାରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ଏକ ଟ୍ୱିଟରେ ଶ୍ରୀମତୀ ସ୍ୱରାଜ ଏହା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସିନ୍ଧ ପ୍ରଦେଶର ଘୋଟକି ଜିଲ୍ଲାରେ ହୋଲି ପୂର୍ବ ସନ୍ଧ୍ୟାରେ ଦୁଇ ଜଣ ହିନ୍ଦୁ ନାବାଳିକାଙ୍କୁ (ବୟସ ୧୨ ଓ ୧୪) ବଳପୂର୍ବକ ଅପହରଣ ସହ ଧର୍ମ ପରିବର୍ତ୍ତନ କରି ବିବାହ କରାଯାଇଥିବା ଅଭିଯୋଗ ହୋଇଥିଲା। ପାକିସ୍ତାନ ସରକାର ଏହି ମାମଲାକୁ ଗୁରୁତ୍ୱର ସହ ନେବା ସହ ମାନବାଧିକାର ମନ୍ତ୍ରାଳୟକୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ନାବାଳିକାଙ୍କ ପିତା ଓ ଭାଇ ଦୁଇ ଭଉଣୀଙ୍କ ଅପହରଣ ଓ ବଳପୂର୍ବକ ଧର୍ମାନ୍ତରୀକରଣ ହୋଇଥିବା କହିଛନ୍ତି। ଅନ୍ୟ ଏକ ଭିଡିଓରେ ଅପହୃତ ଝିଅ, ଜଣେ ମୌଲବୀ ଓ ବିବାହ ହୋଇଥିବା ଦୁଇ ଜଣ ପୁରୁଷଙ୍କ ଫଟୋ ରହିଛି।



