ବେଜିଂ : ଉତର କୋରିଆର ପ୍ରମୁଖ ନେତା କିମ ଜଙ୍ଗ ଉନ ନିଜର ବ୍ୟକ୍ତିଗତ ବୁଲେଟପ୍ରୁଫ୍ (ଗୁଳିରୋଧୀ) ଟ୍ରେନ୍ ଦ୍ୱାରା ଚୀନରେ ପହଚିଛନ୍ତି। ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଅନୁରୋଧ କ୍ରମେ ବେଜିଂରେ ପହଚିଥିବା କିମଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। କିମଙ୍କ ସହିତ ତାଙ୍କ ପତ୍ନୀ ତଥା ପୂର୍ବତନ କଣ୍ଠଶୀଳ୍ପି ରି ସୋଲ ଜୁ ଏବଂ ଅନ୍ୟ ୮ ଜଣ ଅଧିକାରୀ ମଧ୍ୟ ଗସ୍ତ କରିଛନ୍ତି। ଚାରି ଦିନିଆ ଗସ୍ତ ବେଳେ କିମ୍ ଓ ଜିନପିଙ୍ଗଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ମଧ୍ୟ ଅନୁଷ୍ଠିତ ହେବ। ଚୀନରେ ରହଣି ବେଳେ କିମ ରାଷ୍ଟ୍ରପତି ଜିନ୍ପିଙ୍ଗଙ୍କ ସହିତ ନିଜର ୩୫ତମ ଜନ୍ମଦିବସ ପାଳନ କରିବାର କାର୍ଯ୍ୟକ୍ରମ ରହିଛି। ଅଗାମୀ ଦିନରେ କିମ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ପୁର୍ନବାର ସାକ୍ଷାତ କରିବାର ଯୋଜନା ରହିଛି। ଏହି ଆଲୋଚନା ପୂର୍ବରୁ କିମ ଉତର କୋରିଆର ପ୍ରମୁଖ ବାଣିଜ୍ୟିକ ବନ୍ଧୁ ଚୀନକୁ ପୁନଃ ଗସ୍ତ କରିବା ଘଟଣାକୁ ନେଇ ଏବେ ନୂତନ ଚର୍ଚ୍ଚା ଆରମ୍ଭ ହୋଇଛି। ଟ୍ରମ୍ପ-କିମ୍ ଆଲୋଚନା ପୂର୍ବରୁ ଦ୍ୱିପାକ୍ଷିକ ସହଯୋଗିତା ବୃଦ୍ଧି କରିବା ନେଇ କିମ୍ ଓ ଜିନପିଙ୍ଗଙ୍କ ପାଇଁ ଏହି ଗସ୍ତ ଏକ ଉତମ ସୁଯୋଗ ବୋଲି କୁହାଯାଉଛି। ଟ୍ରମ୍ପ ଏବଂ କିମ ୨୦୧୮ ଜୁନରେ ପରସ୍ପରକୁ ସିଙ୍ଗାପୁରଠାରେ ଭେଟିଥିଲେ। କୋରିଆ ଉପଦ୍ୱୀପକୁ ସମ୍ପୂର୍ଣ୍ଣ ପରମାଣୁ ଅସ୍ତ୍ରମୁକ୍ତ କରିବାକୁ ଉଭୟ ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଥିଲା। ବ୍ୟାଙ୍କକ, ହାନୋଇ କିମ୍ବା ହାୱାଇଠାରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିତୀୟ ବୈଠକ ପାଇଁ ହ୍ୱାଇଟ ହାଉସ ଯୋଜନା ଚଳାଇଛି।
Popular Categories



