ପୂଜା ପେଣ୍ଡାଲରେ ପ୍ଲାଷ୍ଟିକ ସାମଗ୍ରୀ ମନା

ପାଟଣା : ଦୁର୍ଗା ପୂଜା ପାଇଁ ମଣ୍ଡପ ଗୁଡିକରେ ସାଜସଜ୍ଜା ଜୋରଦାର ଚାଲିଛି । କମିଟି ସଦସ୍ୟମାନେ ମଣ୍ଡପକୁ ଆକର୍ଷଣୀୟ ଓ ମନୋରମ କରିବାକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇ ଚାଲିଛନ୍ତି । ମା’ଙ୍କ ଆଗମନକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏସୟୁପି ବା ଏକକ ବ୍ୟବହାର ଯୋଗ୍ୟ କୌଣସି ପ୍ରକାର ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ହୋଇ ପାରିବ ନାହିଁ ବୋଲି କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ସାଧାରଣତଃ ପାର୍ବଣ ଋତୁରେ ଏକକ ବ୍ୟବହାର ଯୋଗ୍ୟ ପଲିଥିନ ଓ ପାଣି ବୋତଲ ବହୁ ମାତ୍ରାରେ ବ୍ୟବହାର ହୋଇଥାଏ । ଜନସାଧାରଣ ପୂଜା ସମୟରେ ପଲିଥିନ ବ୍ୟାଗ, କପ, ପ୍ଲେଟ, ଗ୍ଲାସ, ଥର୍ମକୋଲ ଇତ୍ୟାଦି ବହୁଳ ମାତ୍ରରେ ବ୍ୟବହାର କରିଥାନ୍ତି । ଫଳରେ ପରିବେଶ ପ୍ରଦୂଷିତ ହୋଇଥାଏ ।

ପୂଜା ସ୍ଥଳରେ ମଧ୍ୟ କମିଟିମାନେ ନିଷିଦ୍ଧ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ ଦ୍ୱାରା ପୂଜା ମଣ୍ଡପକୁ ସଜାଇବା ସହ ଏଥିରେ ପ୍ରସାଦ ଏବଂ ପାଣି ବଣ୍ଟନ କରିଥାନ୍ତି । ଫଳରେ ବହୁଳ ମାତ୍ରାରେ ଏହା ବ୍ୟବହାର ହୋଇଥାଏ । ଏସବୁ ରୋକିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ପୂଜା କମିଟିକୁ ଅନୁମତି ଦେବା ପୂର୍ବରୁ କେତେକ ନିୟମ ପାଳନ କରିବା ପାଇଁ ଆନନ୍ଦପୁର,ଚମ୍ପୁଆ ଏବଂ ସଦର ଉପ ଜିଲାପାଳଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି । ପୂଜା ପେଣ୍ଡାଲରେ କୌଣସି ପ୍ରକାରର ପ୍ଲାଷ୍ଟିକ ବ୍ୟବହାର ହୋଇ ପାରିବନାହିଁ । ପୂଜା କମିଟିମାନେ ଅନୁମତି ନେବାବେଳେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର ନ କରିବା  ପାଇଁ ଏକ ଅଣ୍ଡରଟେକିଂ ପ୍ରଦାନ କରିବେ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଦେଶ ରହିଛି ।

ଏହାର ତଦାରଖ ପୌରପାଳିକା ଓ ବ୍ଲକ ପ୍ରଶାସନ ପକ୍ଷରୁ ନିୟମିତ କରାଯିବ । ପ୍ରଦୂଷଣ ମୁକ୍ତ ପୂଜା ପାଳନ କରିବା ନିମିତ୍ତ ଜନସାଧାରଣଙ୍କ ସଚେତନତା ପାଇଁ କମିଟି ସଦସ୍ୟମାନେ ପୂଜା ମଣ୍ଡପ ନିକଟରେ ସ୍ପଷ୍ଟ ଲେଖା ଝୁଲାଇବେ । ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପରିବର୍ତ୍ତେ ଜନସାଧାରଣଙ୍କ ବ୍ୟବହାର ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ପୂଜା କମିଟିମାନେ କରିବେ । କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬ ଅନୁସାରେ ପୂଜା ସ୍ଥଳରେ ସୃଷ୍ଟି ହେଉଥିବା କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ପୂଜା କମିଟି ମାନେ କରିବେ । ମୂର୍ତ୍ତି ନିର୍ମାଣ ସମୟରେ ପ୍ରାକୃତିକ ମୂତ୍ତିକା ସହିତ ପ୍ରାକୃତିକ ରଙ୍ଗ ବ୍ୟବହାର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୂର୍ତ୍ତିର ଉଚ୍ଚତା ୨୦ ଫୁଟ ଏବଂ ପୂଜା ମଣ୍ଡପର ଉଚ୍ଚତା ୪୦ ଫୁଟ ମଧ୍ୟରେ ରଖିବା ପାଇଁ କମିଟିମାନେ ପଦକ୍ଷେପ ନେବେ । ପୂଜା ପରେ ମୂର୍ତ୍ତି ଗୁଡିକୁ ପୌର କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ମିତ ଅସ୍ଥାୟୀ ଜଳାଶୟରେ ବିସର୍ଜନ କରିବେ । ଏସବୁ ନିୟମ ଉଲ୍ଲଙ୍ଘନ କଲେ ମୂର୍ତ୍ତି ନିର୍ମାତାଙ୍କ ରେଜିଷ୍ଟେସନ ଫି ଜବତ୍ ହେବା ସହ ୨ବର୍ଷ ପାଇଁ ମୂର୍ତ୍ତି ନିର୍ମାଣରୁ ବାସନ୍ଦ କରାଯିବ । ପୂଜା କମିଟି ନିୟମ ଉଲ୍ଲଘଂନ କଲେ ସେମାନଙ୍କ ଠାରୁ  ପୌର କର୍ତ୍ତୃପକ୍ଷ ଜୋରିମାନା ଆଦାୟ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ପୂଜା ସମାପ୍ତ ହେବାର ୧୫ ଦିନ ମଧ୍ୟରେ ପ୍ରଦୂଷଣମୁକ୍ତ ପୂଜାସ୍ଥଳ ପାଇଁ ନିଆଯାଇଥିବା ପଦକ୍ଷେପର ଫଟୋ ଆଞ୍ଚଳିକ ଅଧିକାରୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାର୍ବଣ ଋତୁରେ ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା ଏବଂ କାଳୀପୂଜା ପାଳନ ବେଳେ ଏନଜିଟି ଦ୍ୱାରା କରାଯାଇଥିବା ଏହି ସବୁ ନିୟମଗୁଡିକ ଅନୁସରଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂଜା ପାଳନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭସାଣି ସମୟରେ ଏହି ନିୟମକୁ କଡାକଡି ପାଳନ କରିବେ । ଆସନ୍ତା ଦୂର୍ଗାପୂଜାକୁ ପ୍ରଦୂଷଣ ମୁକ୍ତ ଓ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି ।

Comments are closed.