www.samajalive.in
Monday, December 8, 2025
13.1 C
Bhubaneswar

ଅଦାଲତ ବନ୍ଦ, ମକଦ୍ଦମାର ପାହାଡ଼

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ୧୦ ଜିଲାର ବିଭିନ୍ନ ଅଦାଲତରେ ସାଢ଼େ ୩ ଲକ୍ଷ ମାମଲା ପଡ଼ିଛି। ଆରମ୍ଭରୁ ଶୁଣାଣି ପ୍ରକ୍ରିୟା ଧିମେଇ ଚାଲିଥିଲା। ମଝିରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନଜନିତ ଅଚଳାବସ୍ଥା ଯୋଗୁଁ ମାମଲା ସଂଖ୍ୟା ଆହୁରି ବଢ଼ିଗଲା। ଏବେ କରୋନା ତାଲାବନ୍ଦ ସେହି ସମସ୍ୟାକୁ ବହୁଗୁଣିତ କରିଛି। ସବୁ ଅଦାଲତରେ ମକଦ୍ଦମାର ପାହାଡ଼ ଛିଡ଼ା ହେଲାଣି। ବିଳମ୍ବିତ ବିଚାର ଯୋଗୁଁ ନ୍ୟାୟ ବିଡ଼ମ୍ବିତ ହେଉଛି।

୨୦୨୦ ମାର୍ଚ୍ଚ ମାସରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କୋର୍ଟକଚେରି ପ୍ରାୟତଃ ବନ୍ଦ ରହିଛି। ଅଦାଲତଗୁଡ଼ିକରେ ଶୁଣାଣି ନ ହେବାରୁ ଲୋକଙ୍କୁ ତ୍ବରିତ ନ୍ୟାୟ ମିଳୁନାହିଁ। ଫଳରେ ବିଭିନ୍ନ କାରାଗାରରେ ହଜାର ହଜାର ସଂଖ୍ୟକ ବିଚାରାଧୀନ କଏଦୀ ଆବଦ୍ଧ ଅଛନ୍ତି। ହାତଗଣତି ଜରୁରୀ ମାମଲାର ଶୁଣାଣି ଆଭାସି ଜରିଆରେ କରାଯାଉଛି। ଯେଉଁ କଏଦୀମାନଙ୍କ ଅପରାଧ ପ୍ରମାଣିତ ହୋଇନାହିଁ ସେମାନେ ଜେଲର ଚାରିକାନ୍ଥରେ ଆବଦ୍ଧ। ଅନ୍ୟ ପକ୍ଷରେ ରାଜ୍ୟର କାରାଗାରଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ତଥା ସାମାଜିକ ଦୂରତ୍ୱ ରକ୍ଷା କରି ରଖାଯାଇ ପାରୁନଥିବାରୁ ଗତବର୍ଷ ଜୁନ-ଜୁଲାଇ ଏବଂ ଚଳିତ ବର୍ଷ ମେ ମାସରେ କଏଦୀମାନଙ୍କୁ ଛୁଟିରେ ଛଡ଼ାଯାଇଛି। ପ୍ରତି ଦିନ ଅପରାଧିକ ମାମଲା ବୃଦ୍ଧି ପାଉଥିବାରୁ କାରାଗାରରେ କଏଦୀ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ ୱେବସାଇଟ ଅନୁଯାୟୀ, ରାଜ୍ୟରେ ଆଜି ସୁଦ୍ଧା ୨,୮୨,୦୮୭ ଦେୱାନୀ ମାମଲା ଓ ୧୦, ୯୧, ୬୧୭ ଫୌଜଦାରୀ ମାମଲା ମିଶି ୧୩ ଲକ୍ଷ ୭୩ ହଜାର ୭୦୪ଟି ମାମଲା ବିଚାରାଧୀନ ଅଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲାରେ ୪୨୯୦୪ଟି ଦେୱାନୀ, ୩୦୭୬୪୫ଟି ଫୌଜଦାରୀ ମିଶି ସର୍ବମୋଟ ୩ ଲକ୍ଷ ୫୦ ହଜାର ୫୪୯ଟି ମାମଲା ବିଚାରାଧୀନ ଅଛି।

- Advertisement -

ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ଉଚ୍ଚନ୍ୟାୟାଳୟର ସ୍ଥାୟୀ ବେଞ୍ଚ ସ୍ଥାପନ ଓ ଅନ୍ୟ ଦାବିକୁ ନେଇ ଓକିଲ ସଂଘ ତଥା ନାଗରିକ ଆନ୍ଦୋଳନ ଯୋଗୁଁ ବହୁ ଦିନ ଧରି କୋର୍ଟ କଚେରି ନିୟମିତ ଚାଲୁନାହିଁ। ପ୍ରାୟ ଦୁଇ ବର୍ଷ ବନ୍ଦ ହେଲା ପରେ ଅଦାଲତ କିଛି ଦିନ ପାଇଁ ଖୋଲିଥିଲା। ତେବେ, ପୁଣି କରୋନା ସଂକ୍ରମଣ ଯୋଗୁଁ ଉଚ୍ଚ ନ୍ୟାୟାଳୟର ନିର୍ଦେଶ କ୍ରମେ ବନ୍ଦ କରାଯାଇଥିଲା। ଚଳିତ ବର୍ଷ ଜାନୁଆରୀରେ ଅଦାଲତ ଖୋଲିବା ସହ କୋଭିଡ କଟକଣା ମଧ୍ୟରେ କେବଳ ଜରୁରୀ ମାମଲାଗୁଡ଼ିକ ବିଚାର କରାଯାଉଛି। କରୋନା ଦ୍ୱିତୀୟ ଲହର ଯୋଗୁଁ ଏବେ ଅଦାଲତ ଖୋଲାଥିଲେ ମଧ୍ୟ ସବୁ ମାମଲା ଫଇସଲା ହୋଇପାରୁନାହିଁ। ଏ ସମ୍ପର୍କରେ ହାଇକୋର୍ଟ ବେଞ୍ଚ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆବାହକ ଅଶୋକ ଦାଶଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଛନ୍ତି, ସରକାର ବିଚାର ବିଭାଗର ବିକେନ୍ଦ୍ରୀକରଣ ତଥା ଦ୍ୱାରଦେଶରେ ନ୍ୟାୟ ପହଞ୍ଚାଇବା ପାଇଁ ଡିଣ୍ଡିମ ପିଟୁଥିବା ବେଳେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ‌ସ୍ଥାପନ ପାଇଁ ପଦକ୍ଷେପ ନ ନେବା ଦୁଃଖର ବିଷୟ। ତଳ ଅଦାଲତଗୁଡ଼ିକରେ ବିଚାର ବିଭାଗର ବିକେନ୍ଦ୍ରୀକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଉଚ୍ଚନ୍ୟାୟାଳୟରେ ବର୍ଷ ବର୍ଷ ଧରି ମାମଲା ବିଚାର ପାଇଁ ପଡ଼ିରହୁଛି; କିନ୍ତୁ ମାମଲାର ଫଇସଲା ପାଇଁ ସମସ୍ତ ନିର୍ଦେଶ ସତ୍ତ୍ବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ତ୍ୱରିତ ସମାଧାନ ଗୁରୁତ୍ୱ ହରାଇ ବସିଛି। ସବୁ କ୍ଷେତ୍ରରେ ବିଚାର ବିଭାଗର ବିକେନ୍ଦ୍ରୀକରଣ କରି ପଦକ୍ଷେପ ନେଲେ ପଡ଼ି ରହିଥିବା ମାମଲାଗୁଡ଼ିକର ସମାଧାନ ହେବ ବୋଲି ସେ କହିଛନ୍ତି।

ପଶ୍ଚିମ ଓଡ଼ିଶାର ୧୦ ଜିଲା ମଧ୍ୟରୁ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୮୮୩୪୭ ଦେୱାନୀ ଓ ଫୌଜଦାରୀ ମାମଲା ବିଚାରାଧୀନ ଥିବା ବେଳେ ସମ୍ବଲପୁର ଜିଲାରେ ୭୩୭୫୪ ମାମଲା, ବଲାଙ୍ଗିର ଜିଲାରେ ୪୧୨୯୭ ମାମଲା ଓ ବରଗଡ଼ ଜିଲାରେ ୪୦୦୩୩ ମାମଲା, ଝାରସୁଗୁଡ଼ା ଜିଲାରେ ୩୩୮୮୭ ମାମଲା ଏବଂ କଳାହାଣ୍ଡି ଜିଲାରେ ୩୨୩୩୯ ମାମଲା ବିଚାରାଧୀନ ଅଛି। ରାଜ୍ୟ ତୁଳନାରେ ଆଜି ସୁଦ୍ଧା ବିଚାରାଧୀନ ମାମଲା ପଶ୍ଚିମ ଓଡ଼ିଶାରେ ୨୫.୫୨ ପ୍ରତିଶତ ରହିଥିବା ଜଣାପଡ଼ିଛି। ମାମଲାଗୁଡ଼ିକର ଶୀଘ୍ର ବିଚାର କରାଯାଇ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଗଲେ ସମସ୍ତେ ଉପକୃତ ହୁଅନ୍ତେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories