ଉତ୍ତର କୋରିଆରେ ୧୦ଦିନ ହସିବା ମନା

ପୋଙ୍ଗୟାଙ୍ଗ : ଉତ୍ତର କୋରିଆର ପୂର୍ବତନ ସର୍ବୋଚ୍ଚ ଶାସକ କିମ୍ ଜଙ୍ଗ ଦ୍ବିତୀୟ ୧୦ମ ଶ୍ରାଦ୍ଧବାର୍ଷିକ ଡିସେମ୍ବର ୧୭ ତାରିଖରେ ପାଳନ କରାଯାଇଛି । କିମ୍ ଜଙ୍ଗ ଦ୍ବିତୀୟଙ୍କ ଏହି ୧୦ମ ଶ୍ରାଦ୍ଧ ବାର୍ଷିକ ଲାଗି ଉତ୍ତର କୋରିଆବାସୀଙ୍କୁ ୧୦ଦିନ ପାଇଁ ହସିବା ବାରଣ କରାଯାଇଛି। ଡିସେମ୍ବର ୧୭ ତାରିଖରୁ ଉତ୍ତର କୋରିଆ ବାସୀଙ୍କ ହସିବା ଉପରେ ୧୦ଦିନ ପାଇଁ ନିଷେଧାଦେଶ ଜାରି କରାଯାଇଛି । କୌଣସି ସର୍ବସାଧାରଣରେ ଯଦି କେହି ହସୁଥିବା ଦେଖିବାକୁ ମିଳିବ ତେବେ ତାଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡିବ । ଏହା ସହିତ ମଦ ପିଇବା, ରାସନ ସାମଗ୍ରୀ କିଣିବା ଓ ମନୋରଞ୍ଜନ କରିବା ଉପରେ ମଧ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି । ଉତ୍ତର-କୋରିଆ ସରକାରଙ୍କ ଏପରି କଟକଣା ସମ୍ପର୍କରେ ସୀମାନ୍ତ ସିଞ୍ଜୁ ସହର ଜଣେ ବାସିନ୍ଦା ରେଡିଓ ଫ୍ରି ଏସିଆକୁ କହିଛନ୍ତି। କିମ୍ ଜଙ୍ଗ ୨ୟଙ୍କ ଶ୍ରାଦ୍ଧବାର୍ଷିକ ନିମନ୍ତେ ଉତ୍ତରକୋରିଆ ସରକାର ଅନେକଗୁଡିଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କିମ୍‌ଙ୍କ ଫଟୋ ପ୍ରଦର୍ଶନ ଆୟୋଜନ କରାଯାଇଛି। କିମ୍‌ଙ୍କ ନାମରେ ଏକ ଫୁଲକୁ ‘କିମଜୋଙ୍ଗିଲିଆ’ ନାମିତ କରାଯାଇଛି।

Comments are closed.