ବିଜୁଳି ଦେଖିବେ ତେତ୍ଲିଆବାହାଲବାସୀ
ଏବେ ବି ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ
ଝାରସୁଗୁଡ଼ା : (ପ୍ରଭୁଦତ୍ତ ପୂଜାରୀ) ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ହେବ, ଲୋକେ ବିଜୁଳି ଆଲୁଅ ପାଇବେ, ଏହି ଆଶାରେ ଭିଟାମାଟି ଛାଡ଼ିଥିବା ଲଖନପୁର ବ୍ଲକର ତେତ୍ଲିଆବାହାଲବାସୀ ୭୦ ବର୍ଷ ପରେ ବିଜୁଳି ଆଲୁଅ ଅପେକ୍ଷାରେ ଥିବା ବେଳେ ଏବେ ଅପେକ୍ଷାର ଅନ୍ତ ଘଟିବା ଆଶା କରାଯାଉଛି । ନିକଟରେ ଜିଲାପାଳ ଅବୋଲି ସୁନୀଲ ନରୱଣେ ଏହି ଗ୍ରାମକୁ ଗସ୍ତ କରି ଡିସେମ୍ବର ପହିଲା ସୁଦ୍ଧା ଗ୍ରାମରେ ବିଦ୍ୟୁତ ସଂଯୋଗ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଟାଟା ପାୱାର (ଟିପିଡବ୍ଲୁଓଡିଏଲ) କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲାପାଳଙ୍କ ନିର୍ଦେଶ ପରେ ବିଜୁଳି ଖୁଣ୍ଟ ପୋତିବା, ତାର ଟାଣିବା କାର୍ଯ୍ୟ ଜାରି ରହିଛି। ଆଗାମୀ ସପ୍ତାହରେ ସମ୍ଭବତଃ ଟ୍ରାନ୍ସଫର୍ମର ଲାଗି ବିଜୁଳି ଜଳିବ। ପ୍ରଥମ କରି ଗାଁକୁ ବିଜୁଳି ଆସିବାକୁ ଥିବାରୁ ଗ୍ରାମବାସୀ ଉତ୍ସାହ ପ୍ରକଟ କରିଛନ୍ତି । ଏହା ସହ ଡିବିରି ଧୂଆଁର ଅଭିଶାପରୁ ମୁକ୍ତି ମିଳିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବିଦ୍ୟୁତ୍, ରାସ୍ତାଘାଟ, ଗମନାଗମନ ଆଦି ସହିତ ଅନେକ ବିକାଶ ମୂଳକ କ୍ଷେତ୍ରରେ କାର୍ଯ୍ୟ କରାଯାଉଛି । କିନ୍ତୁ ବେଲପାହାଡ଼ ସହରଠୁ କେବଳ ୮ କିଲୋମିଟର ଦୂରରେ ଥିବା ତେତ୍ଲିଆବାହାଲବାସୀ ଏବେ ବି ବିକାଶର ଆଲୁଅ ଦେଖି ପାରିନାହାନ୍ତି । ସେଠାରେ ଏବେ ବି ଉପଯୁକ୍ତ ପାନୀୟ ଜଳ, ପକ୍କା ଘର, ରାସ୍ତାଘାଟ, ପୋଖରୀ, ବିଦ୍ୟୁତ୍, ବିଦ୍ୟାଳୟ ଆଦି ସାଧାରଣ ମୌଳିକ ସୁବିଧା ନାହିଁ। ବିକାଶ ମୂଳକ କାର୍ଯ୍ୟ ଓ ଉନ୍ନୟନ ମୂଳକ ସରକାରୀ ଯୋଜନା ଏବେ ବି ଗ୍ରାମବାସୀଙ୍କ ପାଇଁ ସାତ ସପନ। ସୂଚନାନୁସାରେ ପୂର୍ବରୁ ତେତ୍ଲିଆବାହାଲର ଗ୍ରାମବାସୀ ହୀରାକୁଦ ବୁଡ଼ି ଅଞ୍ଚଳ ଅନ୍ତର୍ଗତ ସାଗରପାଲି ଗ୍ରାମରେ ରହୁଥିଲେ। ହୀରାକୁଦ ନଦୀବନ୍ଧ ନିର୍ମାଣ ଶେଷ ହେବା ପରେ ୧୯୫୭ ମସିହାରେ ଏହି ଗ୍ରାମର କେତେକ ଭୂମିହୀନ ସୁଖବାସୀ ପ୍ରଜା ଥିବା ହରିଜନ ପଡ଼ାକୁ ପୁଲିସ ଲଗାଇ ତଡ଼ି ଦିଆଯାଇଥିଲା । ପୁଲିସ ଭୟରେ ଏହି ନିରୀହ ଲୋକମାନେ ବିକ୍ରମଖୋଲ ଜଙ୍ଗଲ ଭିତରେ ଏକ ତେନ୍ତୁଳି ଗଛ ତଳେ ବସବାସ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଏହି ସ୍ଥାନକୁ ତେତ୍ଲିଆବାହାଲ ଗାଁ ଭାବେ ନାମକରଣ କରାଗଲା।
ଘଞ୍ଚ ଜଙ୍ଗଲରେ ଥିବା ଏହି ଗାଁରେ ୧୯ଟି ପରିବାର ଥିବା ବେଳେ ଜନସଂଖ୍ୟା ପ୍ରାୟ ୮୦ରୁ ଅଧିକ । ପ୍ରାୟ ସମସ୍ତେ ହରିଜନ, ଆଦିବାସୀ ଶ୍ରେଣୀର ଗରିବ ପରିବାରର । ଦିନ ମଜୁରିଆ, ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ ଏମାନଙ୍କର ପେଶା ଓ ବେଉସା । ଗାଁରେ କିନ୍ତୁ କିଛି ବୋଲି କିଛି ନାହିଁ । ସରକାରୀ ସୁବିଧା କହିଲେ କେବଳ ୨ଟି ନଳକୂପ ରହିଛି । ତାହା ବି ଖରା ଦିନେ ପାଣି ଦିଏ ନାହିଁ। ଗ୍ରାମରେ ବିଦ୍ୟାଳୟ କି ଅଙ୍ଗନୱାଡ଼ି ଟିଏ ମଧ୍ୟ ନାହିଁ । ଫଳରେ ଛୋଟ ଛୋଟ ଛୁଆଙ୍କୁ ବନ୍ୟଜନ୍ତୁଙ୍କ ବିପଦ ସତ୍ୱେ ଦୈନିକ ୫ କିଲୋ ମିଟର ଘଞ୍ଚ ଜଙ୍ଗଲ ରାସ୍ତା ଅତିକ୍ରମ କରି ପଡ଼ୋଶୀ ସୁନ୍ଦରଗଡ଼ ଜିଲା କାଉଦରହ ଗ୍ରାମକୁ ଚାଲି ଚାଲି ପାଠ ପଢ଼଼ିବାକୁ ଯିବାକୁ ପଡ଼େ । ବିଦ୍ୟୁତ ନ ଥିବାରୁ ଅନ୍ଧାର ହେଲେ ଡିବିରି ଆଲୁଅ ହିଁ ଭରସା । ଭଲ ରାସ୍ତା ଟିଏ ବି ନାହିଁ, ଏଣୁ ଦରକାର ହେଲେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ କଷ୍ଟକର ହୋଇପଡ଼େ । ଫଳରେ ଗାଁ ଲୋକେ ରୋଗୀକୁ ଖଟିଆରେ ବୋହି ଚିକିତ୍ସାଳୟ ନେବାକୁ ବାଧ୍ୟ ହୋଇ ଥାଆନ୍ତି। ଦିନ ମଜୁରିଆ ଭାବରେ କାମ କରୁଥିବା ଏହି ଗ୍ରାମର ଅଧିକାଂଶ ଲୋକ ସମ୍ପୂର୍ଣ୍ଣ ଅଶିକ୍ଷିତ । ଲୋକେ ଜିଲା ପ୍ରଶାସନକୁ ଦରଖାସ୍ତଟିଏ ଲେଖିବା ମଧ୍ୟ ଜାଣି ନାହାଁନ୍ତି । ଗ୍ରାମର ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ । ହେଲେ ସେମାନେ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ । ଭୋଟ ବେଳେ ନେତାଏ ଆସନ୍ତି, ପ୍ରତିଶ୍ରୁତି ଦେଇ ଯାଆନ୍ତି ଓ ଭୁଲି ଯାଆନ୍ତି । ଜିଲାପାଳ ମାନେ ଗାଁ ଯାଏ ପହଞ୍ଚି ପାରନ୍ତି ନାହିଁ । ତେବେ ଏଥରକ ଜିଲାପାଳ ଶ୍ରୀମତୀ ନରୱଣେ ଗାଁରେ ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆଶା ଜାଗ୍ରତ ହୋଇଛି ।
Comments are closed.