ନୀତିଶଙ୍କୁ ଭେଟିଲେ ଶାହା: ଆସନ ବୁଝାମଣାର ବାଟ ଫିଟିବାକୁ ନେଇ ଆଶାବାଦୀ

0

ପାଟନା: ୨୦୧୯ସାଧାରଣ ନିର୍ବାଚନ ପାଇଁ ବିଜେପି ଅଧ୍ୟକ୍ଷ ଅମୀତ ଶାହା ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ଏହି ଗସ୍ତ ଅବସରରେ ମୁଖ୍ୟତଃ ଏନଡିଏ ସହଯୋଗୀ ଦଳ ସହ ଆଲୋଚନା ଶାହାଙ୍କ ମୂଳ ଲକ୍ଷ୍ୟ ରହିଛି। ଶାହା ଆଜି ବିହାର ଗସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅମୀତ ଶାହା ଓ ନୀତିଶଙ୍କ ମଧ୍ୟରେ ଦୀର୍ଘ ୪୫ମିନିଟ ଆଲୋଚନା ହୋଇଛି। ଏହି ଆଲୋଚନା ପରେ ଉଭୟ ଦଳ ମଧ୍ୟରେ ଆସନ୍ନ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ହେବ ଆଶା କରାଯାଉଛି। ନୀତିଶ-ଶାହାଙ୍କ ଏହି ସାକ୍ଷାତକାର ସମୟରେ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀ, ବିଜେପି ନେତା ଭୁପେନ୍ଦ୍ର ଯାଦବ, ନିତ୍ୟାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଉଭୟ ନେତା ରାତ୍ରୀ ଭୋଜନରେ ମଧ୍ୟ ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଛି। ସକାଳର ବୈଠକ ପରେ ଶାହା ତାଙ୍କ ସୋସିଆଲ ମିଡିଆର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ।
ଲୋକସଭା ନିର୍ବାଚନକୁ ଆଉ ମାତ୍ର ୮ମାସ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ସହ ମେଣ୍ଟ କରିଥିବା ସମସ୍ତ ରାଜନୈତିକ ଦଳ ଆସନ ବୁଝାମଣାକୁ ନେଇ ବିଜେପି ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରଛନ୍ତି। ବିହାରରେ ବିଜେପି ୨୦୧୪ ନିର୍ବାଚନ ଅନୁରୂପ ଆସନ ବୁଝାମଣା କରିବାକୁ ଚାହୁଁଛି। ସେତେବେଳେ ମେଣ୍ଟ ବୁଝାମଣାରେ ବିଜେପିକୁ ୨୨ଟି ଆସନ ମିଳିଥିଲା। ବିହାରରେ ମୋଟ୍‍ ୪୦ଟି ଆସନ ରହିଛି। ସେଥିମଧ୍ୟରୁ ଏନଡିଏ ୩୧ଟି ଆସନରେ ବିଜୟୀ ହୋଇଥିଲା। ତେବେ ସେତେବେଳେ ଜେଡିୟୁ ଏକାକୀ ନିର୍ବାଚନ ମଇଦାନରେ ଥିଲା। ଜେଡିୟୁ ପ୍ରାର୍ଥୀ ମୋଟ୍‍ ୨ଟି ଆସନରେ ବିଜୟୀ ହୋଇଥିଲେ। ତେବେ ଆସନ୍ନ ନିର୍ବାଚନରେ ଜେଡିୟୁକୁ ୧୬ରୁ ୧୭ପ୍ରତିଶତ ଭୋଟ ମିଳିବ ବୋଲି ଆଶା ବାନ୍ଧିଛି ଦଳ।
ଆସନ୍ତା ନିର୍ବାଚନରେ ବିଜେପିକୁ ୧୭ଟି ଆସନ ଛାଡ଼ିବାକୁ ଜେଡିୟୁ ଚାହୁଁଛି। ଅବଶିଷ୍ଟ ଆସନ ଏନଡିଏ ସମର୍ôଥତ ଏଲଜେପି ଓ ଅନ୍ୟାନ୍ୟ ଦଳକୁ ଦେବାକୁ ଜେଡିୟୁ ଚିନ୍ତା କରୁଛି। ୨୦୧୪ରୁ ୨୦୧୮ ମଧ୍ୟରେ ବିହାର ରାଜନୀତିରେ ବ୍ୟାପକ ପରିବର୍ତ୍ତନ ହୋଇଛି। ପ୍ରମୁଖ ବିରୋଧୀ ବିଜେପିକୁ ଘେରିବାର ରଣନୀତି ପ୍ରସ୍ତୁତ କରୁଛନ୍ତି। ଫଳରେ ନିର୍ବାଚନ ପୂର୍ବରୁ ବିଜେପି ସହ ମେଣ୍ଟ କରୁଥିବା ଦଳକୁ ୟୁପିଏର ଆକ୍ରମଣର ଶିକାର ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ଏନଡିଏରେ ସାମିଲ ଏକାଧିକ ରାଜନୈତିକ ଦଳ ନିଜକୁ ଅଲଗା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏଭଳି ପରିସ୍ଥିତିରେ ନୀତିଶ ଆଗାମୀ ଦିନରେ କେଉଁ ରଣନୀତିକୁ ଆପଣାଉଛନ୍ତି ଏହା ଉପରେ ରାଜନୈତିକ ସମୀକ୍ଷକ ଦୃଷ୍ଟି ରଖିଛନ୍ତି।

Leave A Reply